ଭୁବନେଶ୍ବର: ଆଜିର ଯୁବପିଢ଼ି ଚାଷକୁ ବେଉସା ଭାବେ ଆପଣାଇବାକୁ କୁଣ୍ଠାବୋଧ କରୁଛନ୍ତି। ମାତ୍ର ଘାସିରାମ ନାମକ ଜଣେ ଯୁବକ ନିଜର କର୍ତ୍ତବ୍ୟନିଷ୍ଠା ଆଉ ଅଧ୍ୟବସାୟ ଦ୍ବାରା ଏବେ ସଫଳ ଚାଷୀ ପାଲଟିଛନ୍ତି। ପାରମ୍ପାରିକ ଧାନ ଚାଷ ସହିତ ବିଦେଶୀ ପନିପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୌଦ୍ଧଜିଲ୍ଲା ଛାତନିଆକଟା ଗ୍ରାମର ଚାଷୀ ଘାସିରାମ ୧୨ ବର୍ଷ ଧରି ଧାନ ଚାଷ କରି ଆସୁଥିଲେ। ଜୈବିକ ଚାଷର ଗୁରୁତ୍ୱ ବୁଝିବା ପରେ ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ଅଧିକ ଲାଭ ଆଶାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ହାସଲ କରି ପନିପରିବା ଚାଷ ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ନର୍ସରୀ ଆରମ୍ଭ କରିଥିଲେ। 

Advertisment

ଏବେ  ନିଜର ଜ୍ଞାନ କୌଶଳ ଏବଂ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇ ୪ଏକର ଜାଗାରେ ବର୍ଷସାରା ବିଭିନ୍ନ ପ୍ରକାର ବିଦେଶୀ ପନିପରିବା, ଯେପରିକି ବ୍ରୋକୋଲି, କାରୋଟିନା, ଭାଲେଣ୍ଟେନା, ଲାଲ ବନ୍ଧାକୋବି, ପାକଚୋଇ, ଚାଇନିଜ୍ ବନ୍ଧାବୋକି ଚାଷ କରୁଛନ୍ତି। ବର୍ଷସାରା ଫୁଲକୋବି ଚାଷରୁ ୧.୩ ଲକ୍ଷ ଟଙ୍କା, ବିଦେଶୀ ପନିପରିବା ଚାଷରୁ ପ୍ରାୟ ୪୯ ହଜାର ଟଙ୍କା ଆୟ କରୁଛନ୍ତି। ତାଙ୍କ ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ଜୈବିକ ଭିତ୍ତିକ ହୋଇଥିବାରୁ ବଜାରରେ ଭଲ ମୂଲ୍ୟ ମିଳୁଛି। ତାଙ୍କ ପ୍ରେରଣାରେ ଅନେକ ଚାଷୀ ଏବେ ବିଦେଶୀ ପନିପରିବା ଚାଷ କରୁଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଗ୍ରାମୀଣ ଯୁବକଙ୍କୁ ତାଙ୍କ ଫାର୍ମରେ ନିଯୁକ୍ତି ଦେବା ସହିତ ସ୍ୱଚ୍ଚଳ ଜୀବନଯାପନ କରିବାର ଉଦାହରଣ ପାଲଟିଛନ୍ତି।

ଏହି ଜଣେ ଚାଷୀ ନୁହଁନ୍ତି, କୃଷି ବିଜ୍ଞାନ କେନ୍ଦ୍ରର ମାର୍ଗଦର୍ଶନରେ ରାଜ୍ୟର କୃଷକ ସଙ୍ଗଠନଗୁଡ଼ିକ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ୨୦୨୧ରେ ଏକ ଗ୍ରାମୀଣ କୃଷକ ସଂଘ ଭାବେ ଗଠିତ ହୋଇଥିବା ଖଟୁଗାଁ କୃଷକ ଉତ୍ପାଦକ ସଂଗଠନ ଏହା ଭିତରୁ ଅନ୍ୟତମ। ଚାଷୀ ସଶକ୍ତିକରଣର ଏକ ପ୍ରେରଣାଦାୟୀ ମଡେଲ ଭାବେ ୧୨୦ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ କରିଥିବା ଏହି ସଙ୍ଗଠନ ବିହନ, କୀଟନାଶକ, ସାର ଓ ଜୈବିକ ଇନ୍‌ପୁଟ୍‌ ପରି କୃଷି ଉତ୍ପାଦନର ବିପଣନ, ଡାଲି ଜାତୀୟ ଫସଲର ପ୍ରକ୍ରିୟାକରଣ କରୁଛି। ଏହାର କାରବାର ୨୦୨୧-୨୨ରେ ପ୍ରାୟ ସାଢ଼େ ୭ ଲକ୍ଷ ଥିବାବେଳେ ବର୍ତ୍ତମାନ ଅଭିବୃଦ୍ଧି ଘଟି ୪୦ ଲକ୍ଷ ଟଙ୍କାରେ ପହଞ୍ଚିସାରିଲାଣି। କେବଳ ସେତିକି ନୁହେଁ ୨୦୨୩ ମସିହାରେ ଓୟୁଏଟିର ପ୍ରତିଷ୍ଠା ଦିବସ ଅବସରରେ ଶ୍ରେଷ୍ଠ ଏଫ୍‌ପିଓ ଭାବେ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲା।

ଓୟୁଏଟି ଦ୍ୱାରା ପରିଚାଳିତ ‘ସେଣ୍ଟର ଅଫ ଏକ୍ସଲେନ୍ସ’ ମାଧ୍ୟମରେ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ମାର୍ଗଦର୍ଶନ ଓ ତାଲିମ ଭଳି ଅନେକ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି। ଉତ୍ତମ ଗୁଣବତ୍ତାପୂର୍ଣ୍ଣ ବିହନ ଓ ଅନ୍ୟାନ୍ୟ କୃଷି ଉପକରଣର ଅଭାବ, ବଜାରୀକରଣ ସମସ୍ୟା, ଉନ୍ନତ କୃଷି ପ୍ରଣାଳୀ, ଉଦ୍ୟାନ କୃଷି ଓ ସରକାରୀ ଯୋଜନା ପ୍ରତି ସଚେତନା ଅଭାବ ଭଳି ସମସ୍ୟା ଦୂରୀକରଣ ଦିଗରେ ପଦକ୍ଷେପ ନିଆଯାଉଛି। ଚେତନତା ବୃଦ୍ଧି ଏବଂ ତାଲିମ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ, କୃଷି ବିଜ୍ଞାନ କେନ୍ଦ୍ର ଓ ବିଭାଗ ସହଯୋଗରେ ଉନ୍ନତ ଚାଷ ପ୍ରଣାଳୀ ସମ୍ବନ୍ଧୀୟ ମାର୍ଗଦର୍ଶନ, ପ୍ରଶିକ୍ଷଣ, ଟେକ୍ନିକାଲ ସହଯୋଗ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଓୟୁଏଟି ପକ୍ଷରୁ କୁହାଯାଇଛି।