କରୋନା ବିଗାଡ଼ୁଛି ସାଧାରଣ ଚିକିତ୍ସା : କ୍ୟାପିଟାଲ ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଓପିଡି ବନ୍ଦ

ଭୁବନେଶ୍ୱର : କରୋନା ପାଇଁ ଅନ୍ୟ ସାଧାରଣ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଗତ ୮ ମାସ ଧରି ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି। ହସ୍ପିଟାଲରେ ସପ୍ତାହକୁ ଥରେ କାର୍ଯ୍ୟ କରୁଥିବା ଗ୍ୟାଷ୍ଟ୍ରୋ ଓପିଡି ବା ବହିର୍ବିଭାଗ କରୋନା ପାଇଁ ବନ୍ଦ ରହିଛି। ଫଳରେ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ, ତାହା ହସ୍ପିଟାଲ କର୍ତୃପକ୍ଷ ସ୍ପଷ୍ଟ କରିପାରୁ ନାହାନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ବିଭାଗ ପାଇଁ ସ୍ବତନ୍ତ୍ର ଭାବେ କେହି ଡାକ୍ତର ନାହାନ୍ତି। ଏସ୍‌ସିବି ମେଡିକାଲ କଲେଜରେ ସପ୍ତାହକୁ ଥରେ ଜଣେ ଡାକ୍ତର ଆସି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ପ୍ରତି ଶୁକ୍ରବାର ଏହି ଓପିଡି କାର୍ଯ୍ୟ କରିଥାଏ। ହେଲେ କରୋନା ପାଇଁ ଅନଲକ୍‌ର କିଛି ଦିନ ପାଇଁ ଏହି ଓପିଡି ଖୋଲିଥିବା ବେଳେ ଏବେ ଏଥିରେ ତାଲା ଝୁଲୁଛି। ଏଭଳି ପରିସ୍ଥିତିରେ ରୋଗୀମାନେ ଟିକେଟ୍‌ କରି ଅପେକ୍ଷା କରୁଥିବା ବେଳେ ଚିକିତ୍ସା ସୁବିଧା ପାଉ ନାହାନ୍ତି। ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ଉପରେ ରୋଗୀମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି।

କେବଳ ଗ୍ୟାଷ୍ଟ୍ରୋ ଓପିଡି ନୁହେଁ, ଏଣ୍ଡୋସ୍କୋପି ମଧ୍ୟ ବନ୍ଦ ରହିଛି। ପାକସ୍ଥଳୀରେ କୌଣସି ପ୍ରକାର ସମସ୍ୟା ହେଲେ ଏଥିପାଇଁ ଏଣ୍ଡୋସ୍କୋପି ପରୀକ୍ଷା ଅତ୍ୟନ୍ତ ଜୁରରୀ ହୋଇପଡ଼ିଥାଏ। ସପ୍ତାହରେ ହସ୍ପିଟାଲରେ ଏହା ଦୁଇଥର ପରୀକ୍ଷା କରାଯାଉଥିଲା। ତେବେ ଏଣ୍ଡୋସ୍କୋପିରେ ପାଟି ବାଟେ ଏକ ପାଇପ୍ ରୋଗୀଙ୍କ ଶରୀର ଭିତରକୁ ପ୍ରବେଶ କରିଥାଏ। ମାତ୍ର କୋଭିଡ୍‌ ସମୟରେ ସଂକ୍ରମଣ ସମସ୍ୟା ପାଇଁ ଡାକ୍ତର ଏହି ପରୀକ୍ଷା କରିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି। ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟରଗୁଡ଼ିକ ମଧ୍ୟ ଏବେ ଏଣ୍ଡୋସ୍କୋପି ପରୀକ୍ଷା ଦର ବୃଦ୍ଧି କରିଛନ୍ତି। ତେଣୁ ଗରିବ ରୋଗୀମାନଙ୍କୁ ବାଧ୍ୟ ହୋଇ ଏସବୁ ପରୀକ୍ଷା କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, କରୋନା ପାଇଁ ଗ୍ୟାଷ୍ଟ୍ରୋ ଓପିଡି ବନ୍ଦ ରହିଛି। କଟକରୁ ଆସୁଥିବା ଡାକ୍ତରଜଣକ ଏବେ ଆସୁ ନ ଥିବାରୁ ସମସ୍ୟା‌ ଦେଖା ଦେଇଛି। ଡାକ୍ତର ପୂର୍ବଭଳି ଯେପରି ହସ୍ପିଟାଲକୁ ନିୟମିତ ଆସିବେ, ସେଥିପାଇଁ ଚିଠି ଲେଖା ଯାଇଛି। କରୋନା ସଂକ୍ରମଣ ଏଣ୍ଡୋସ୍କୋପି କରିବା ଏକପ୍ରକାର ଆହ୍ବାନ। ତେଣୁ ଏଣ୍ଡୋସ୍କୋପି ପରୀକ୍ଷା ଏବେ ହୋଇପାରୁ ନ ଥିବା ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର