ସମସ୍ତ ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂରେ ରହିବେ ଗେଟ୍‌ ମିତ୍ର

ନିରାପତ୍ତା ନିମନ୍ତେ ପୂର୍ବତଟ ରେଳ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ

୧୪୪ଟି ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହେଲେ

ଚନ୍ଦ୍ରଶେଖରପୁର : ଏଣିକି ଆଉ ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂରେ ରେଳ ଦୁର୍ଘଟଣାରେ ଧନଜୀବନ ହାନି ହେବାକୁ ଦିଆଯିବ ନାହିଁ। ପୂର୍ବତଟ ରେଳପଥ ପକ୍ଷରୁ ଏଥିନିମନ୍ତେ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ନୂତନ ପଦକ୍ଷେପ ସ୍ୱରୂପ ସମସ୍ତ ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂ ଗେଟ୍‌ରେ ନିୟୋଜିତ ହୋଇଛନ୍ତି ‘ଗେଟ୍‌ ମିତ୍ର’ (ଗେଟ୍‌ କାଉନ୍‌ସେଲର)। ଏହି ଗେଟ୍‌ ମିତ୍ରମାନେ ଜଗୁଆଜିବିହୀନ ରେଳ ଫାଟକ ପାର ହେଉଥିବା ପଥଚାରୀମାନଙ୍କୁ ରେଳ ଆସୁଥିବାର ସୂଚନା ଦେବା ସହିତ ଲେଭେଲ୍‌ କ୍ରସିଂ ପାର ହେବାର ନିୟମ ଉପରେ ସଚେତନ କରାଇବେ। ଏହାସହିତ ବିଭିନ୍ନ ରେଳ ବିଭାଗ ପକ୍ଷରୁ ଜଗୁଆଳିବିହୀନ ରେଳ ଫାଟକଗୁଡ଼ିକୁ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପରାସ୍ତା କିମ୍ବା ରୋଡ଼୍‍ ଓଭରବ୍ରିଜ୍‌ରେ ପରିବର୍ତ୍ତନ କରାଯିବ।

ଗେଟ୍‌ ମିତ୍ରମାନେ ଏହି ଫାଟକଗୁଡ଼ିକରେ ନିରାପତ୍ତା ସମ୍ବନ୍ଧୀୟ ପ୍ରଚାରପତ୍ର ବଣ୍ଟନ କରିବା ସହିତ ପତାକା ଦେଖାଇ ରାସ୍ତା ବ୍ୟବହାରକାରୀଙ୍କୁ ସାବଧାନ କରିବେ। ନିୟୋଜନ ପୂର୍ବରୁ ଏହି ଗେଟ୍‌ ମିତ୍ରମାନଙ୍କୁ ଏନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହିମାନେ ଲେଭେଲ୍‌ କ୍ରସିଂରେ ୨୪ଘଣ୍ଟା ନିୟୋଜିତ ରହିବେ। ଏମାନଙ୍କ ପାଇଁ ଅନୁମୋଦିତ ଡ୍ରେସ୍‌ କୋଡ଼୍‍(ପ୍ରତିଦୀପ୍ତ ଆଲୋକିତ ନିରାପତ୍ତା ଜ୍ୟାକେଟ) ପିନ୍ଧିବା ସହିତ ନିୟମ ଉଂଲ୍ଲଘନକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେବାର ଅଧିକାର ମଧ୍ୟ ରହିଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ୧୪୪ଟି ସମ୍ବେଦନଶୀଳ ସ୍ଥାନରେ ଗେଟ୍‌ ମିତ୍ରମାନେ ନିୟୋଜିତ ହୋଇଛନ୍ତି। ଖୋର୍ଧା ରେଳ ମଣ୍ଡଳରେ ୧୦, ସମ୍ବଲପୁରରେ ୬୮ ଓ ଓ୍ଵାଲ୍‌ଟିୟର ରେଳ ମଣ୍ଡଳରେ ୬୬ଜଣ ଗେଟ୍‌ ମିତ୍ର ନିୟୋଜିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୮ ସୁଦ୍ଧା ସମସ୍ତ ଜଗୁଆଳତବିହୀନ ଲେଭେଲ୍‌ କ୍ରସିଂ ଗେଟ୍‌ଗୁଡ଼ିକ ବନ୍ଦ କରିଦିଆଯିବାର ଯୋଜନା ରହିଥିବାରୁ ଗେଟ୍‌ ମିତ୍ର ନିୟୋଜନ ଏକ ଅସ୍ଥାୟୀ ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର