ଗାୟତ୍ରୀବାଳା ପଣ୍ଡା ପାଇଲେ ‘ଅକ୍ଷୟ ସାହିତ୍ୟ ସମ୍ମାନ’: ଆଦ୍ୟାଶା ଦାସଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଓ ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ଆଜି ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ‘୧୯ ତମ ସ୍ମୃତିରେ ତୁମେ ଅକ୍ଷୟ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ପ୍ରଦୋଷ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ବିଶିଷ୍ଟ ଲେଖିକା ଗାୟତ୍ରୀବାଳା ପଣ୍ଡାଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ଓ କଣ୍ଠଶିଳ୍ପୀ ଆଦ୍ୟାଶା ଦାସଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଛି। କନ୍ଧମାଳ ସାଂସଦ ତଥା କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନ କୁମାର ଦାସ ଓ ‘କାଦମ୍ବିନୀ’ ସମ୍ପାଦିକା ଇତିରାଣୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କୁ ଜଣେ କାଳଜୟୀ ସଙ୍ଗୀତ ସ୍ରଷ୍ଟା ବୋଲି କହିଥିଲେ। ସାହିତ୍ୟ କ୍ଷେତ୍ରକୁ ମଧ୍ୟ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆୟୋଜିତ ସଂଗୀତ ସନ୍ଧ୍ୟାରେ ବିଚିତ୍ରାନନ୍ଦ ଦେଓ, ଛନ୍ଦା ମିଶ୍ର, ସୀମା ମହାନ୍ତି, ଲୋଭା ବିଶ୍ବାଳ, ପ୍ରତିଭା ପ୍ରଧାନ, ରାଜେନ୍ଦ୍ର ରାଉଳ, ଅର୍ଣ୍ଣବ ପଣ୍ଡା ଓ ଭାଓଲିନ୍ ବାଦକ ରାକେଶ ବିଶ୍ବାଳ ପ୍ରମୁଖ ଅକ୍ଷୟ ସଙ୍ଗୀତ ପରିବେଷଣ କରିଥିଲେ। ଅବନୀକାନ୍ତ ଦାସ ଓ କୁମାର ଗୌର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର