ଜିଇଡି ବସ୍ତି ସୁଶାନ୍ତ ହତ୍ୟା ମାମଲା: ଦାରିଙ୍ଗବାଡ଼ିରୁ ଧରାହେଲେ ୩ ଅଭିଯୁକ୍ତ

ନଦୀରେ ଲୁଚାଇଥି‌ଲେ ଖଣ୍ଡା, କଟୁରି

ଭୁବନେଶ୍ବର: ଭୁବନେଶ୍ବର ଜିଇଡି ବସ୍ତି ସୁଶାନ୍ତ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସ୍‌ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ହୋଟେଲ୍‌ରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଗୋଡ଼ିପଦାରର ଅଜିତ୍‌ ନାୟକ(୪୦), ଖୋର୍ଦ୍ଧା ନିରାକାରପୁରର ବିଶାଲ ନାୟକ(୨୫) ଏବଂ ଟିକିଲି କୁମାର ନାୟକ ଓରଫ୍‌ ରକି(୨୫)। ପୁଲିସ ସେମାନଙ୍କଠାରୁ ଗୋଟିଏ ଚାପଡ଼, ଗୋଟିଏ ଛୁରି ଏବଂ ଦୁଇଟି ବାଇକ୍‌ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଜେରା କରି ପୁଲିସ୍‌ ହତ୍ୟାକାଣ୍ଡ ବାବଦରେ ବହୁ ତଥ୍ୟ ହାତେଇଛି।

‌‌ଜେରା ବେଳେ ଅଭିଯୁକ୍ତମାନେ କହିଛନ୍ତି, ଛୋଟଛୋଟ କଥାକୁ ନେଇ ସୁଶାନ୍ତଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହେଉଥିଲା। ସୁଶାନ୍ତର ସାନଭାଇ ନିଶା ଖାଇ ଗାଳିମନ୍ଦ କରୁଥିଲା। ସୁଶାନ୍ତ ତାକୁ ଆକଟ କରିବା ପରିବର୍ତ୍ତେ ସାହସ ଦେଉଥିଲା। ତେଣୁ ସୁଶାନ୍ତକୁ ରାସ୍ତାରୁ ହଟାଇଦେଲେ, ସବୁ ସମସ୍ୟାର ସମାଧାନ ହୋଇଯିବ। ପଡ଼ୋଶୀରେ ଆମକୁ ନାଲିଆଖି ଦେଖାଇବା ଭଳି କେହି ରହିବେ ନାହିଁ। ତେଣୁ, ଯୋଜନା ମୁତାବକ ଗତ ୨୪ ତାରିଖରେ ସମସ୍ତେ ମିଶି ହତ୍ୟା କରିଥିଲୁ ବୋଲି ଅଭିଯୁକ୍ତମା‌ନେ କହିଛନ୍ତି। ପୁଲିସ୍‌ ସୂଚନାନୁଯାୟୀ, ହତ୍ୟା ପରେ ଅଭିଯୁକ୍ତମାନେ ବାଇକ୍‌ ଧରି ବଡ଼ପୋଖରିଆ ଗାଁକୁ ପଳାଇଥିଲେ। ଯିବା ବାଟରେ ଜଙ୍କିଆ ନିକଟ ମଲାଗୁଣି ନଦୀରେ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଫୋପାଡ଼ି ଦେଇଥିଲେ। ଗାଁ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ନିକଟ ଜଙ୍ଗଲରେ ୪-୫ ଦିନ ଲୁଚି ରହିଥିଲେ। ପୁଲିସ୍‌ ଭୟରେ ବାରମ୍ବାର ସ୍ଥାନ ବଦଳାଇଥିଲେ। ପରେ ମଲୁଡ଼ା, କହ୍ନେଇପୁର ଯାଇ ସେଠାରେ ୩-୪ ଦିନ ରହିଥିଲେ। ଅନ୍ୟତମ ଅଭିଯୁକ୍ତ ସୁଜିତ୍‌ କୋର୍ଟରେ ଆତ୍ମସମର୍ପଣ କରିଦେବାରୁ କାଳେ ପୁଲିସ ସେମାନଙ୍କ ଠିକଣା ପାଇଯିବ, ସେଥିପାଇଁ ସେମାନେ ବାଇକ୍‌ରେ ଦାରିଙ୍ଗବାଡ଼ି ପଳାଇଥିଲେ। ସେଠାରେ ଗୌରା ହୋଟେଲ୍‌ରେ ପାଖାପାଖି ୧୦ଦିନ ରହିଥିଲେ।

ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ୟାପିଟାଲ୍‌ ଥାନା ପୁଲିସ୍‌ ସ୍ପେସାଲ ସ୍କ୍ବାଡ୍‌ ତୀକ୍ଷ୍ଣ ନଜର ରଖିଥିଲା। ସେମାନେ ଦାରିଙ୍ଗବାଡ଼ିସ୍ଥିତ ‌ହୋଟେଲ୍‌ରେ ଥିବା ଜାଣିବା ପରେ ବୁଧବାର ରାତିରେ ପୁଲିସର ଦୁଇଟି ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ରାତାରାତି ସେମାନଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ପରେ ସେମାନଙ୍କୁ ନଦୀ ନିକଟକୁ ନେଇ ସେଠାରୁ ମାରଣାସ୍ତ୍ର ଜବତ କରାଯାଇଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନା‌‌ଯୋଗ୍ୟ, ସୁଶାନ୍ତ ଓ ବିଶାଲର ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ମାସ ୨୪ ତାରିଖ ଭୋର୍‌ ପ୍ରାୟ ସାଢ଼େ ୪ଟାରେ ସୁଶାନ୍ତ ନିଜ ପତ୍ନୀଙ୍କୁ ୟୁନିଟ୍‌-୪ରେ ଛାଡ଼ି ଘରକୁ ‌ଫେରିଥିବା ବେଳେ ୟୁନିଟ୍‌-୧ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ସୁଶାନ୍ତକୁ ଖଣ୍ଡା ଓ କଟୁରିରେ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣାରେ ଅନ୍ୟମାନେ ଫେରାର୍‌ ଥିବା ବେଳେ ଅଭିଯୁକ୍ତ ସୁଜିତ ଗତ ୩୧ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର