ଭୁବନେଶ୍ବର: ୨୦୨୩ ମସିହା ମେ ମାସରେ କ୍ୟାପିଟାଲ୍‌ ଥାନା ପଛପଟେ ଜିଇଡି ବସ୍ତିରେ ଘଟିଥିବା ବହୁ ଚର୍ଚ୍ଚିତ ସୁଶାନ୍ତ ନାୟକ ଓରଫ କାଳିଆ ହତ୍ୟା ମାମଲାର ରାୟ ଆସିଛି। ଅତିରିକ୍ତ ସେସନସ୍ କୋର୍ଟ-୨ର ବିଚାରପତି ବନ୍ଦନା କର ମାମଲାର ଶୁଣାଣି କରି ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆସାମୀମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବିଶାଳ ନାୟକ, ତା’ର ତିନି ମାମୁ ଅଜିତ ନାୟକ, ସୁଜିତ ନାୟକ, ଟିକିଲି ନାୟକ ଓ ହତ୍ୟା ଷଡ୍‌ଯନ୍ତ୍ରର ମାଷ୍ଟର୍‌ମାଇଣ୍ଡ ତଥା ମାମୁମାନଙ୍କ ଭିଣୋଇ ସୁବାସ ନାୟକ। ସେମାନଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦାୟ ପ୍ରତ୍ୟେକଙ୍କୁ ଅତିରିକ୍ତ ଏକ ବର୍ଷ ଜେଲ୍‌ଦଣ୍ଡ ଆଦେଶ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୮ଜଣ ସାକ୍ଷୀ ଓ ପାଖାପାଖି ୪୦ ପ୍ରଯୁଜ୍ୟ ଦସ୍ତାବିଜ୍‌ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବରିଷ୍ଠ ସରକାରୀ ପିପି ସଲିଳ କୁମାର ପ୍ରଧାନ ଏହି ମାମଲା ପରିଚାଳନା କରିଥିଲେ। 

Advertisment

୨୦୨୩ ମସିହା ମେ ମାସ ୨୪ ତାରିଖ ଭୋର୍‌ ପ୍ରାୟ ସାଢ଼େ ୪ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାତି ତମାମ ଛକି ବସିଥିବା ଆସାମୀମାନେ ସୁଶାନ୍ତଙ୍କୁ ଏକୁଟିଆ ପାଇ ନିର୍ମମ ଭାବେ ହାଣି ପକାଇଥିଲେ। ବିଏମ୍‌ସିରେ ସଫେଇ କର୍ମଚାରୀ ଥିବା ପତ୍ନୀ ସରସ୍ବତୀ ନାୟକଙ୍କୁ କାମ ଉପରେ ୟୁନିଟ୍‌-୪ ଅଞ୍ଚଳରେ ଛାଡ଼ି ଘରକୁ ଫେରୁଥିବା ବେଳେ ସାହିମୁଣ୍ଡ ଛକରେ ସୁଶାନ୍ତଙ୍କ ଉପରେ ଝାମ୍ପି ପଡ଼ିଥିଲେ ଆସାମୀମାନେ। ସେ ବାଇକ୍‌ ଉପରେ ବସିଥିବା ଅବସ୍ଥାରେ ହିଁ ଆସାମୀମାନେ ଖଣ୍ଡା, ଭୁଜାଲି, ଚାପଡ଼ ଓ ଗୁପ୍ତି ଭଳି ମାରଣାସ୍ତ୍ରରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଚିତ୍କାର ଶୁଣି ସୁଶାନ୍ତଙ୍କ ବଡ଼ଭାଇ, ଭାଉଜ ଓ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ସବୁ କିଛି ଶେଷ ହୋଇସାରିଥିଲା। ରକ୍ତମୁଖା ବିଶାଳ ସହିତ ୩ ମାମୁ ଅଜିତ ନାୟକ, ସୁଜିତ ନାୟକ, ଟିକିଲି ୨ଟି ବାଇକ୍‌ରେ ଘଟଣାସ୍ଥଳରୁ ପଳାଇଥିଲେ। ବସ୍ତିବାସିନ୍ଦାମାନଙ୍କ ଆଖି ଆଗରୁ ହତ୍ୟାକାରୀମାନେ ପଳାଇଥିଲେ ହେଁ ସେମାନଙ୍କ ହାତରେ ରକ୍ତଭିଜା ମାରଣାସ୍ତ୍ର ଦେଖି କେହି ଭୟରେ ପିଛା କରି ନଥିଲେ। ହତ୍ୟା କରିବା ପରେ ଆସାମୀମାନେ ସିଧାସଳଖ ଖୋର୍ଦ୍ଧା ବଡ଼ପୋଖରିଆ ପଳାଇଥିଲେ। ବାଟରେ ଜଙ୍କିଆ ନିକଟ ମଲାଗୁଣି ନଦୀରେ ମାରଣାସ୍ତ୍ର ସବୁ ଫୋପାଡ଼ି ଦେବା ସହ ବଡ଼ପୋଖରିଆ ନିକଟ ଏକ ଜଙ୍ଗଲରେ ଦିନକ ପାଇଁ ଲୁଚିଥିଲେ। ଏହାପରେ ‌ସେମାନେ କହ୍ନେଇପୁର ମାଲୁଦାରେ ୩/୪ଦିନ ରହି ଦାରିଙ୍ଗିବାଡ଼ିସ୍ଥିତ ଗୌରା ହୋଟେଲରେ ରହିଥିଲେ। ପୁଲିସ ସେଠାରୁ ସୁଜିତଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଗିରଫ କରିଥିଲା। ଏହାପରେ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିଥିଲା। 

ନୟାଗଡ଼ ଅଞ୍ଚଳର ସୁଶାନ୍ତଙ୍କ ପରିବାର ଓ ଖୋର୍ଦ୍ଧା ବଡ଼ପୋଖରିଆ ଅଞ୍ଚଳର ଅଜିତଙ୍କ ପରିବାର ବହୁ ବର୍ଷ ଧରି ୟୁନିଟ୍-୧ ଜିଇଡି ବସ୍ତିରେ ରହୁଥିଲେ। ସୁଶାନ୍ତ ଓ ଅଜିତଙ୍କ ପରିବାର ମଧ୍ୟରେ ବହୁଦିନ ଧରି ବିଭିନ୍ନ କାରଣରୁ ଶତ୍ରୁତା ଲାଗିରହିଥିଲା। ଅଜିତଙ୍କ ଭିଣୋଇ ସୁବାସ ସହିତ ପାଣିନଳାକୁ ନେଇ ସୁଶାନ୍ତଙ୍କ ଝଗଡ଼ା ଲାଗିରହିଥିଲା। ଏସବୁ ଭିତରେ ଅଜିତର ଭଣଜା ବିଶାଳ ନୂଆ ଗଣ୍ଡଗୋଳ ପୂରାଇଥିଲା। ସୁଶାନ୍ତଙ୍କ ବଡ଼ଭାଇର କଲେଜ ପଢ଼ୁଆ ଝିଅଙ୍କୁ ବିଶାଳ ରାସ୍ତାଘାଟରେ ଅଶାଳୀନ ଇଙ୍ଗିତ କରି ହଇରାଣ କରିଥିଲା। ଏହା ଜାଣିବା ପରେ ସୁଶାନ୍ତ ରାଗରେ ବିଶାଳକୁ ଗାଳିମନ୍ଦ କରିବା ସହ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାଥିଲା ୨୦୨୩ ଏପ୍ରିଲ୍‌ ୨୬ ତାରିଖର ଘଟଣା। ଏହି ଗଣ୍ଡଗୋଳକୁ ନେଇ ବିଶାଳର ପରିବାର ପକ୍ଷରୁ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିଲା। ସୁଶାନ୍ତ, ବିଶାଳକୁ ମାଡ଼ମାରି ଲହୁଲୁହାଣ କରିଛି ବୋଲି ଥାନାରେ ଅଭିଯୋଗ ହେଲା। କିନ୍ତୁ ସେତେବେଳେ ପୁଲିସ କେବଳ ମାମଲା ରୁଜୁ କରି ଚୁପ ବସିଗଲା ବୋଲି ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ଥାନାରୁ ଅଭିଯୋଗ ଉଠାଇନେବା ପାଇଁ ସୁଶାନ୍ତଙ୍କ ଉପରେ ବିଶାଳ ପରିବାର ପକ୍ଷରୁ ଧମକପୂର୍ଣ୍ଣ ଚାପ ପଡ଼ୁଥିଲା। ମାତ୍ର ସୁଶାନ୍ତ ଡରି ନଥିଲେ। ତେଣୁ ଭଣଜାକୁ ହୋଇଥିବା ମାଡ଼ ବଦଳରେ ରକ୍ତାକ୍ତ ପ୍ରତିଶୋଧ ପାଇଁ ମାମୁମାନେ ସଜବାଜ ହୋଇଥିଲେ।