ପୂର୍ବତନ କର୍ପୋରେଟରଙ୍କ ଉପ‌େର ଆଖି

ଅପରାଜିତାଙ୍କ ଆଡ଼କୁ ଢଳୁଛନ୍ତି ବଡ଼ ଗୋଷ୍ଠୀ, ବିଧାୟକ ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍‌ସ୍ ଜାରି, ଅନନ୍ତ ଜେନାଙ୍କ ଭୂମିକା ଉପରେ ବି ନଜର

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ପୂର୍ବତନ କର୍ପୋରେଟର୍‌ମାନେ କାହାର ହେବେ ? ବିଧାନସଭା ଆସନରେ ବିଜେଡି ଯଦି ପ୍ରାର୍ଥୀ ବଦଳାଇବ, ତେବେ ନୂଆ ପ୍ରାର୍ଥୀଙ୍କୁ ସେମାନେ ସହଯୋଗ କରିବେ ତ ? ଆଉ ଯଦି ବର୍ତ୍ତମାନର ବିଧାୟକମାନେ ପ୍ରାର୍ଥୀ ହୁଅନ୍ତି, ତେବେ ସେମାନେ ସମସ୍ତ ପୂର୍ବତନ କର୍ପୋରେଟର୍‌ଙ୍କ ସମର୍ଥନ ହାସଲ କରିବେ ତ ? ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବହୁ ପୂର୍ବତନ କର୍ପୋରେଟର୍‌ଙ୍କ ଭଲ ସମ୍ପର୍କ ଥିବାରୁ ସେମାନେ ତାଙ୍କୁ ସମର୍ଥନ କରିବେନି ତ ? ନିର୍ବାଚନରେ କ’ଣ ହେବ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଭୂମିକା ?

ସାଧାରଣ ନିର୍ବାଚନ ନେଇ ବିଗୁଲ୍‌ ବାଜିସାରିଥିଲା ବେଳେ ରାଜଧାନୀର ରାଜନୀତି ସରଗରମ ହୋଇ ଉଠିଛି। ରାଜନୀତି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପର୍କ ରଖିଥିବା ଲୋକମାନଙ୍କ ମଧ୍ୟରେ ଏମିତି ଅନେକ ପ୍ରଶ୍ନ ଏବେ ଉଠୁଛି। ଉଭୟ ବିଜେପି ଓ ବିଜେଡିର ବିଧାୟକ ପ୍ରାର୍ଥୀ କିଏ ହେବ, ତା‌ହାକୁ ନେଇ ସସ୍‌ପେନ୍‌ସ୍ ଜାରି ରହିଥିବାରୁ ଭୁବନେଶ୍ବରର ତିନିଟି ଯାକ ନିର୍ବାଚନମଣ୍ଡଳୀର ରାଜନୀତି ଆହୁରି ଗୋଳିଆ ହେବାରେ ଲାଗିଛି।

ଭୁବନେଶ୍ବର ମହାନଗର ନିଗମ ବିଜେଡି ଦଖଲରେ ଥିଲା। ୬୭ରୁ ୬୫ କର୍ପୋରେଟର୍ ବିଜେଡିର ଥିଲେ। ସେମାନଙ୍କ ମଧ୍ୟରୁ କିଛି ସ୍ବାଧୀନ ଭାବେ ଲଢ଼ିଥିଲେ ବି ପରବର୍ତ୍ତୀ ସମୟରେ ବିଜେଡିରେ ମିଶିଥିଲେ। ବାସ୍ତବରେ ତିନିଟି ଯାକ ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ଏମାନେ ହିଁ ସଂଗଠନ କରୁଥିଲେ। ବିଧାୟକମାନେ ସେମାନଙ୍କ ଉପରେ ଭରସା କରି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଭୁବନେଶ୍ବର ଉତ୍ତର ନିର୍ବ‌ାଚନମଣ୍ଡଳୀକୁ ବାଦ୍ ଦେଲେ ମଧ୍ୟ ବିଧାୟକ ବିଜୟ ମହାନ୍ତି ଓ ଏକାମ୍ରରେ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ କର୍ପୋରେଟର୍‌ମାନଙ୍କର ତାଳମେଳ ଠିକ୍ ରହୁଥିଲା। କେବଳ ଉତ୍ତର ଭୁବନେଶ୍ବରରେ କିଛି କର୍ପୋରେଟର୍‌ଙ୍କ ସହ ବିଧାୟକଙ୍କ ସମ୍ପର୍କ ତିକ୍ତ ‌ଥିବା ଦେଖାଯାଇଥିଲା। ଏହି କର୍ପୋରେଟର୍‌ମାନଙ୍କର କାର୍ଯ୍ୟକାଳ ଜାନୁଆରିରେ ଶେଷ ହୋଇଥିଲେ ମଧ୍ୟ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରେ ଏମାନେ ଏବେ ବି ଆଗରେ ରହୁଛନ୍ତି।

ତିନିଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡିର ଏକାଧିକ ଆଶାୟୀ ବାହାରିଛନ୍ତି। ତେବେ ଏକାମ୍ରରେ ଟିକେଟ୍ ଆଶାୟୀ ଥିବା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ ଗତ ସପ୍ତାହରେ ଦଳ ଛାଡ଼ିଛନ୍ତି। ତାଙ୍କୁ ଟିକେଟ୍ ମିଳିବା ସମ୍ଭାବନା ନାହିଁ ବୋଲି ଦଳ ପକ୍ଷରୁ କୁହାଗଲା ପରେ ସେ ଦଳରୁ ଇସ୍ତଫା ଦେବା ସହ ବିଜେପିରେ ‌ଦିନେ ଦୁଇ ଦିନ ଭିତରେ ଯୋଗ ଦେବାର ଯୋଜନା ରହିଛି। ତାଙ୍କ ପରେ ଏକାମ୍ରରେ ବିଜେଡିରୁ ଆଉ ପ୍ରମୁଖ ଆଶାୟୀଙ୍କ ନାମ ଆଗକୁ ଆସୁ ନ ଥିବାରୁ ବର୍ତ୍ତମାନର ବିଧାୟକ ଶ୍ରୀ ପଣ୍ଡାଙ୍କ ନାମ ଆଗରେ ରହିଛି। ମଧ୍ୟ ନିର୍ବାଚନମଣ୍ଡଳୀରେ ବିଧାୟକ ବିଜୟ ମହାନ୍ତିଙ୍କ ବିରୋଧରେ ସେପରି କିଛି ଅଭିଯୋଗ ନ ଥିଲେ ବି ଏଠ‌ାରେ ଏକାଧିକ ଦାବିଦାର ଅଛନ୍ତି। ପୂର୍ବତନ ଛାତ୍ର ନେତା ତଥା ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଲେନିନ୍ ମହାନ୍ତି, ଯୁବ ନେତା ଦୁର୍ଗା ସାମନ୍ତରାୟ ପ୍ରମୁଖ ଜୋର୍‌ଦାର୍ ଲବି ଚଳାଇଛନ୍ତି। ଏହା ମଧ୍ୟରେ କିଛି ପୂର୍ବତନ କର୍ପୋରେଟର୍ ନବୀନ ନିବାସ ଯାଇ ବିଜୟ ମହାନ୍ତିଙ୍କୁ ପୁଣି ପ୍ରାର୍ଥୀ କରିବାକୁ ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଉତ୍ତରରେ ମଧ୍ୟ ଏକାଧିକ ଦାବିଦାର ଟିକେଟ୍‌ ପାଇଁ ଲବି ଚଳାଇଛନ୍ତି। ଏମାନଙ୍କ ମଧ୍ୟରେ ସୁବାସ ପାତ୍ର ଓ ଚିନ୍ମୟ ସାହୁଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ତେବେ ବର୍ତ୍ତମାନର ବିଧାୟକ ଶ୍ରୀ ମିଶ୍ର ପୁଣି ଥିରେ ଟିକେଟ୍‌ ପାଇବେ ବୋଲି ତାଙ୍କ ସମର୍ଥକମାନେ ଜୋର୍‌ ଦେଉଛନ୍ତି। ଏହି ପରିସ୍ଥିତିରେ ଟିକେଟ୍‌ ଦେଲା ବେଳେ ପୂର୍ବତନ କର୍ପୋରେଟର୍‌ମାନଙ୍କ ମତାମତକୁ ଦଳ ଗୁରୁତ୍ବ ଦେବ ବୋଲି ଆକଳନ କରାଯାଉଛି। ଯଦିଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ପଦବି ଦିଆଯାଇ ନିର୍ବାଚନରୁ ଦୂରେଇ ରଖାଯିବ ବୋଲି ବାର୍ତ୍ତା ଦିଆଯାଇଛି, ତେବେ ତୃଣମୂଳ ସ୍ତରରେ ତାଙ୍କର ଦବଦବା ଥିବାରୁ ତାଙ୍କ ମତକୁ ଅଣଦେଖା କରାଯାଇପାରିବନି। ‌ବିଡିଏ ଅଧ୍ୟକ୍ଷ ପଦବି ପାଇ ସେ ଅସନ୍ତୁଷ୍ଟ ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ତେଣୁ ବିଧାୟକ ପ୍ରାର୍ଥୀ ଚୟନ ବେଳେ ବିଜେଡି ତାଙ୍କୁ କିପରି ମ୍ୟାନେଜ୍ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଭୁବନେଶ୍ବର ରାଜନୀତିରେ ବିଜେପି ନେତ୍ରୀ ଅପରାଜିତା‌ ଷଡ଼ଙ୍ଗୀଙ୍କ ସକ୍ରିୟତା ପରେ ବିଜେଡି ପକ୍ଷରୁ ବେଶ୍‌ ସତର୍କତାର ସହ ଗୋଟି ଚଳାଯାଉଛି। କାରଣ ଅପରାଜିତା ବିଏମ୍‌ସି କମିସନର୍‌ ଥିଲା ବେଳେ ବହୁ କର୍ପେ‌ାରେଟର୍‌ଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଏବେ ସେ ପ୍ରାର୍ଥୀ ହେବାକୁ ଯାଉଥିବାରୁ ସେହି ପୂର୍ବତନ କର୍ପୋରେଟର୍‌ମାନଙ୍କ ସହଯୋଗ ଲୋଡ଼ିବା ସ୍ବାଭାବିକ କଥା। ପୂର୍ବତନ କର୍ପୋରେଟର୍‌ଙ୍କ ମଧ୍ୟରୁ ଗୋଟିଏ ବଡ଼ ଗୋଷ୍ଠୀ ଅପରାଜିତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ତାଙ୍କୁ ସହଯୋଗ କରିବେ ବୋଲି ବିଜେଡି ହାଇକମାଣ୍ଡ୍‌ଙ୍କ ପାଖରେ ଖବର ପହଞ୍ଚିଛି।
ବିଜେଡି ପରି ବିଜେପିରେ ବି ବିଧାୟକ ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ୍ବ ରହିଛି। କେବଳ ମଧ୍ୟ ନିର୍ବାଚନମଣ୍ଡଳୀରେ ଜଗନ୍ନାଥ ପ୍ରଧାନଙ୍କ ନାମ ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। କିନ୍ତୁ ଉତ୍ତର ଓ ଏକାମ୍ରରେ ଦିନକୁ ଦିନ ଦ୍ବନ୍ଦ୍ବ ଅଧିକ ବଢ଼ିବାରେ ଲାଗିଛି। ଏକାମ୍ରରେ ଅମୀୟ ଦାଶଙ୍କ ନାମ ଆଗରେ ଥିଲେ ମଧ୍ୟ ବାବୁ ସିଂହଙ୍କର ବିଜେପିରେ ଯୋଗଦାନ ଓ ତାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ନେଇ ଦଳରେ ଅନ୍ତର୍ଦ୍ବନ୍ଦ୍ବ ଆରମ୍ଭ ହୋଇଯାଇଛି। ଯଦି ବାବୁ ସିଂହଙ୍କୁ ବିଜେପି ପ୍ରାର୍ଥୀ କରେ, ତେବେ ଅମୀୟ ଓ ତାଙ୍କ ସମର୍ଥକମାନେ ତାହାକୁ କିପରି ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଶ୍ରୀ ସିଂହଙ୍କୁ ସମର୍ଥନ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳର କିଛି କର୍ମକର୍ତ୍ତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନେ ଶ୍ରୀ ସିଂହଙ୍କ ନେତୃତ୍ବରେ ବିଜେପିରେ ମିଶିବାର ଯୋଜନା ରହିଛି। ସେହିପରି ଉତ୍ତରରେ ଗତ ଥରର ପ୍ରାର୍ଥୀ ଦିଲ୍ଲୀପ ମହାନ୍ତିଙ୍କ ନାମ ଆଗରେ ରହିଛି। ଏହା ସହ ଯିଜ୍ଞାଂଶୁ ପଣ୍ଡା ଓ ପ୍ରକାଶ ଶ୍ରୀଚନ୍ଦନଙ୍କ ନାମ ମଧ୍ୟରେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର