ରସିକିଆ ଜର୍ଜ ଦିଗାଲ୍‌ ଛୁ, ଥାନାରେ ପ୍ରତାରିତା ସଦ୍ୟପ୍ରସୂତି, ଗର୍ଭବତୀ

ଚନ୍ଦ୍ରଶେଖରପୁର: ଜଣେ ଯୁବକ ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ଦୁଇ ଯୁବତୀ ଆଜି ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଛନ୍ତି। ଘଟଣା ନୀଳାଦ୍ରିବିହାର ଇଶାନେଶ୍ବର ବସ୍ତି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଯୁବତୀ ନିକଟରେ ମା’ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଛି। ତେବେ ମାମଲା ଥାନାକୁ ଆସିବା ପୂର୍ବରୁ ଶଠ ପ୍ରେମିକ ଜର୍ଜ ଦିଗାଲ ଫେରାର୍ ହୋଇଯାଇଛି। ପୁଲିସ ଜର୍ଜକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସୂଚନାନୁସାରେ କନ୍ଧମାଳର ଅଭିଯୁକ୍ତ ଜର୍ଜ ଦିଗାଲ୍‌ ନୀଳାଦ୍ରିବିହାର ଇଶାନେଶ୍ବର ବସ୍ତିରେ ରହୁଛି। କନ୍ଧମାଳର ଦୁଇ ଯୁବତୀଙ୍କ ସହ ସେ ପ୍ରେମ ସମ୍ପର୍କ ରଖିଥିଲା। ଜଣଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଭୁବନେଶ୍ବର ନେଇ ଆସିବା ପ‌ରେ ଲିଭ୍‌-ଇନ୍‌ରେ ରହୁଥିଲା। ସେହିଭଳି ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭୁବନେଶ୍ବର ଆଣିବା ପରେ ବାହାରେ ଏକ ମେସ୍‌ରେ ରଖାଇଥିଲା। ଦୁଇ ଯୁବତୀଙ୍କ ସହ ଜର୍ଜର ସମ୍ପର୍କ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଘଟଣା ହୋଇଥିଲେ ବି ଲିଭ୍‌-ଇନ୍‌ରେ ରହୁଥିବା ଯୁବତୀ ନିରବ ରହିବାକୁ ବାଧ୍ୟ ହୋଇଥିଲେ। କାରଣ ଜର୍ଜ ତାଙ୍କୁ ହିଁ ବାହା ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲା। ୟା ଭିତରେ ସେ ଗର୍ଭବତୀ ହୋଇ ସାରିଥିଲେ। ତେବେ ଗତ କିଛି ଦିନ ହେଲା ମେସ୍‌ରେ ରହୁଥିବା ଜର୍ଜର ଦ୍ବିତୀୟ ପ୍ରେମିକା ଉକ୍ତ ଲିଭ୍‌-ଇନ୍‌ ସମ୍ପର୍କ ଘଟଣା ଜାଣିବାକୁ ପାଇଥିଲେ।

ମାତ୍ର ସେତେବେଳକୁ ବି ସେ ଗର୍ଭବତୀ ହୋଇସାରିଥିବାରୁ ଜର୍ଜକୁ ବିରୋଧ କରିବାକୁ ସାହସ ଜୁଟାଇ ପାରିନଥିଲେ। ଜର୍ଜ ମଧ୍ୟ ତାଙ୍କୁ ହିଁ ବାହା ହେବ ବୋଲି ଜୋର୍‌ ଦେଇ କହିଥିଲା। ଗତ ପ୍ରାୟ ୧୦ ଦିନ ହେଲା ଜର୍ଜ ଅନ୍ତର୍ଧାନ ହୋଇଯାଇଛି। ଗତକାଲି ଲିଭ୍‌-ଇନ୍‌ରେ ଥିବା ଯୁବତୀ ନିକଟସ୍ଥ ଏକ ହସ୍ପିଟାଲ୍‌ରେ ଶିଶୁ କନ୍ୟାଟିଏ ଜନ୍ମ ଦେଇଛନ୍ତି। କୌଣସି ସୂତ୍ରରୁ ଏହି ଖବର ଦ୍ବିତୀୟ ପ୍ରେମିକା ପାଇବା ପରେ ଜର୍ଜକୁ ଖୋଜିଖୋଜି ଇଶାନେଶ୍ବର ବସ୍ତିରେ ପହଞ୍ଚିଥିଲେ। ଦ୍ବିତୀୟ ପ୍ରେମିକାଙ୍କୁ ଦେଖିବା ପରେ ପ୍ରଥମ ପ୍ରେମିକାଙ୍କ ହୋସ୍‌ ଉଡ଼ିଯାଇଥିଲା। ସେମାନଙ୍କ ମଧ୍ୟରେ ସିଧାସଳଖ କୌଣସି ବିବାଦ ହୋଇନଥିଲେ ହେଁ ଜର୍ଜର ସ୍ତ୍ରୀ ହୋଇ ରହିବାକୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସୌଭାଗ୍ୟକୁ ଜର୍ଜ ନଥିଲା। ତେଣୁ କଳି ବାହାରକୁ ଜଣାପଡ଼ିନଥିଲା। ଶେଷରେ ଦୁଇ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ପୃଥକ ପୃଥକ ଦୁଇଟି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏମିତି କାଣ୍ଡ କରି ଜର୍ଜ ଜେଲ୍‌ ଯାଇଥିଲା।

ସମ୍ବନ୍ଧିତ ଖବର