ଇସ୍କନ ସମ୍ମୁଖ ରାସ୍ତା ସମସ୍ୟା ଦୂର କରିବେ ଜର୍ମାନୀର ରାଷ୍ଟ୍ରଦୂତ, ଆଉ ଜମିବନି ବର୍ଷା ପାଣି!

ସ୍ପଞ୍ଜ ଟେକ୍ନୋଲୋଜିରେ ହେବ ନିଷ୍କାସନ ବ୍ୟବସ୍ଥା
ଦାୟିତ୍ବ ନେବ ଜର୍ମାନୀର ଜିଆଇଜେଡ୍‌ ସଂସ୍ଥା

ଭୁବନେଶ୍ବର : ଅସରାଏ ବର୍ଷାରେ ରାଜଧାନୀର ଇସ୍କନ ମନ୍ଦିର ସାମ୍ନା ରାସ୍ତା ବୁଡ଼ିଯିବା ସ୍ବାଭାବିକ କଥା। ଅଧିକାଂଶ ରାଜଧାନୀବାସୀ ଏହାକୁ ଅଙ୍ଗେ ନିଭାଇଛନ୍ତି। ନିଜ ଆଖି ଆଗରେ କାର୍‌ ଓ ବାଇକ୍‌ ବୁଡ଼ିଯିବା ଦେଖିଛନ୍ତି। ଏ ନେଇ ବିଏମ୍‌ସି ଯେତେ ସମାଲୋଚନାର ଶିକାର ହେଲେ ମଧ୍ୟ ବର୍ଷବର୍ଷ ଧରି ଏହାର ସମାଧାନର ବାଟ ବାହାର କରି ପାରିନାହିଁ। ତେବେ ଏଥିପାଇଁ ଆଉ ବେଶି ଦିନ ଅପେକ୍ଷା କରିବାକୁ ନପଡ଼ିପାରେ। ସ୍ପଞ୍ଜ ‌ଟେକ୍ନୋଲୋଜି ବ୍ୟବହାର କରାଯାଇ ଏଠାରେ ପାଣି ଜମିବା ସମସ୍ୟାକୁ ସମାଧାନ କରିବାକୁ ଯୋଜନା ହୋଇଛି। ସ୍ମାର୍ଟ ସିଟି ପ୍ରକଳ୍ପରେ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଏଠାରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ହେବାକୁ ଯାଉଛି। ଆଜି ଏ ନେଇ ଜର୍ମାନୀର ରାଷ୍ଟ୍ରଦୂତ ୱାଲ୍ଟର ଜେ.ଲିଣ୍ଡନରଙ୍କ ସହ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀ ଗୌତମ ଦାସ। ଆସନ୍ତା ବର୍ଷାଋତୁ ପୂର୍ବରୁ ଜର୍ମାନୀର ସଂସ୍ଥା ଜିଆଇଜେଡ୍‌ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି।

ଏହି ପ୍ରକଳ୍ପ ମୁତାବକ, ସ୍ପଞ୍ଜ ଟେକ୍ନୋ‌ଲୋଜି ବ୍ୟବହାର କରାଯାଇ ଏହି ବର୍ଷାଜଳ ପରିଚାଳନା କରାଯିବ। ପ୍ରଥମେ କିଛି ପାଣି ଜମିବା ପାଇଁ ଏକ ଟାଙ୍କି ବ୍ୟବସ୍ଥା କରାଯିବ। ତାହା ମାଟି ତଳେ ରହିବ। ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏକ କୃତ୍ରିମ ହ୍ରଦ ତିଆରି କରାଯିବ। ବର୍ଷା ଜଳ ଏହି ତଳ ଟାଙ୍କିରେ ଜମିବା ପରେ ପ‌ରେ ଏହାକୁ ମଟର ସାହାଯ୍ୟରେ ଟାଣି ନେଇ ଉପରେ ଥିବା ସେହି କୃତ୍ରିମ ହ୍ରଦରେ ରଖାଯିବ। ବର୍ଷା ଛାଡ଼ିବା ପ‌ରେ ସେହି ସଂଗୃହୀତ ଜଳକୁ ଧୀରେଧୀରେ ଡ୍ରେନ୍‌ ଦେଇ ବାହାରକୁ ଛାଡ଼ି ଦିଆଯିବ। ଏହି ବ୍ୟବସ୍ଥା ପୂର୍ବରୁ ଜର୍ମାନୀର ବର୍ଲିନ୍‌ରେ କରାଯାଇ ସଫଳତାର ସହ ଜଳ ପରିଚାଳନା ହେଉଛି। ବର୍ଲିନ୍‌ ପରେ ଭାରତରେ ପ୍ରଥମ ଥର ପାଇଁ ଭୁବନଶ୍ବେରରେ ହେବାକୁ ଯାଉଛି। ଏହି ବ୍ୟବସ୍ଥା ବର୍ଲିନ୍‌ରେ ସଫଳତାର ସହ କାମ କରୁଥିବାରୁ ଏଠାରେ ମଧ୍ୟ ଏହା କାମ କରିବ ବୋଲି ବିଏମ୍‌ସି ସହ ଜେ. ଲିଣ୍ଡନର ମଧ୍ୟ ଆଶାବାଦୀ ଅଛନ୍ତି।

ବର୍ଷା ହେଲେ ଇସ୍କନ ସମ୍ମୁଖ ସର୍ଭିସ୍‌ ରୋଡ୍‌ରେ ୫ ଫୁଟ୍‌ ଉଚ୍ଚାରେ ପାଣି ଜମି ଯାଏ। ଆଖପାଖ ଅଞ୍ଚଳ ସମେତ ଓଭରବ୍ରିଜ୍‌ରୁ ପାଣି ଗଡ଼ି ଆସି ମାତ୍ର କେଇ ମିନିଟ୍‌ ଭିତରେ ଏହି ଅଞ୍ଚଳ ପୋଖରୀ ସଦୃଶ ହୋଇଯା‌ଏ। ଫଳରେ ଏହି ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ବି ପାଣିରେ ଉବୁଟୁବୁ ହୁଏ। ଏହି ସମସ୍ୟା ସମାଧାନ କରିବାକୁ ବିମ୍‌ସି ଉଦ୍ୟମ ଜାରି ରଖିଥିଲା। ପୂର୍ବରୁ ଜିଆଇଜେଡ୍‌ ସଂସ୍ଥା ବିଏମ୍‌ସିରେ ଟ୍ରାନ୍‌ସ୍‌ପୋର୍ଟ ସହ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାମ କରୁଥିଲା। ଏବେ ଜର୍ମାମୀ ରାଷ୍ଟ୍ରଦୂତଙ୍କ ସହ କଥାବାର୍ତ୍ତା ପରେ ଏହି କାମ ଜିଆଇଜେଡ୍‌ ସଂସ୍ଥା କରିବାକୁ ଯାଉଛି। କିନ୍ତୁ ସଂସ୍ଥା ପକ୍ଷରୁ ଏ ଯାବତ୍‌ ଲିଖିତ ଭାବେ ପ୍ରସ୍ତାବ ଆସି ନାହିଁ। ଲିଖିତ ପ୍ରସ୍ତାବ ଆସିବା ପରେ ବିଏମ୍‌ସି ଏହାର ଫିଜିବିଲିଟି ଯାଞ୍ଚ କରିବ। ଏହା ସମ୍ଭବ ବୋଲି ହୃଦବୋଧ ହେଲେ କାମ କରିବା ପାଇଁ ବିଏମ୍‌ସି ସ୍ବୀକୃତି ଦେବ। ତେବେ ଏତେ ପାଣିକୁ ଥରେ ମାଟି ତଳେ ଓ ଆଉ ଥରେ ଓଭରହେଡ୍‌ ଟାଙ୍କିରେ ରଖାଯିବା କେତେଦୂର ସମ୍ଭବ ହେବ ତାହା ସମୟ କହିବ।

ସମ୍ବନ୍ଧିତ ଖବର