ରାଜଧାନୀର ବର୍ଷା ଜଳ ପରିଚାଳନା ପାଇଁ ଜର୍ମାନି କରିବ ସହଯୋଗ

ଭୁବନେଶ୍ବର: ରାଜଧାନୀରେ ବର୍ଷା ଜଳ ନିଷ୍କାସନ ଚିନ୍ତାର ବିଷୟ ପାଲଟିଥିବାବେଳେ ଏବେ ଏହାର ସମାଧାନ ପାଇଁ ଜର୍ମାନ ସରକାର ହାତ ବଢ଼ାଇଛନ୍ତି। ‘ଜିଆଇଜେଡ୍‌’ ବିଏମ୍‌ସିକୁ ଏନେଇ ବୈଷୟିକ ସହାୟତା ଯୋଗାଇଦେବ। ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରେ କିପରି ବର୍ଷା ଜଳ ନିଷ୍କାସନ ହେବ, ଡ୍ରେନ୍ ଡିଜାଇନ୍ କିପରି ହେବା ଦରକାର, ଛୋଟ ଡ୍ରେନ୍‌ରୁ ବଡ଼ ଡ୍ରେନ୍‌କୁ ପାଣି ବହିବାରେ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଜର୍ମାନ ସରକାର ସବୁ ପ୍ରକାରର ସହାୟତା ଯୋଗାଇବେ। ଏନେଇ ‘କ୍ଲାଇମେଟ୍‌ ସ୍ମାର୍ଟ ସିଟିଜ୍’ ପ୍ରକଳ୍ପରେ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି।

ବିଏମ୍‌ସି, ଜିଆଇଜେଡ୍‌, ବିଡିଏର ପ୍ଲାନିଂ ଟିମ୍‌ର ଅଧିକାରୀମାନେ ଆଜି ମୁଖ୍ୟ ଡ୍ରେନ୍-୧୦ର ଉତ୍ପତ୍ତି ସ୍ଥଳ ବେହେରା ସାହି ନିକଟକୁ ଯାଇ ଡ୍ରେନ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଟିମ୍‌ରେ ବିଏମ୍‌ସିର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ବର୍ତ୍ତମାନ ବର୍ଷା ଜଳ ନିଷ୍କାସନରେ ଦେଖାଯାଉଥିବା ସମସ୍ୟା ଏବଂ ଏହାର ସମାଧାନ ପାଇଁ ବିଏମ୍‌ସି କରୁଥିବା ଯୋଜନା ବିଷୟରେ କହିଥିଲେ। ସେହିପରି ଏହି କର୍ମଶାଳାକୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଉଦ୍‌ଘାଟନ କରି କହିଥିଲେ ଯେ, ବର୍ଷା ଜଳ ସଂରକ୍ଷଣ କରିବା ପାଇଁ ପରକୋଲେସନ୍ ଫ୍ରେଣ୍ଡଲି ପେଭର୍‌ସ ବ୍ଲକ୍ ବ୍ୟବହାର କରାଯିବ। ଏହାଦ୍ବାରା ସହରାଞ୍ଚଳରେ ବନ୍ୟା ଭଳି ସ୍ଥିତିକୁ ଏଡାଯାଇପାରିବ। ବର୍ଲିନର ବୈଷୟିକ ବିଶ୍ବବିଦ୍ୟାଳୟର ମରକସ୍ ଜିଉଟନ୍‌ର ଭୁବନେଶ୍ବରରେ ବର୍ଷା ଜଳ ନିଷ୍କାସନ ଏବଂ ଏହାର ଠିକ୍ ପରିଚାଳନା ନେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର