ଜଟଣୀ: ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲିକୁ ଯାତାୟାତ ପାଇଁ ଥିବା ଏକମାତ୍ର ଅସ୍ଥାୟୀ ନଦୀ ରାସ୍ତା ପାଣି ସୁଅରେ ଧୋଇ ହୋଇଯାଇଛି। ରାଜୁଆ ଓ ଦୟାନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ପାଣ୍ଡିଆବିଲି ଅସ୍ଥାୟୀ ରାସ୍ତାରେ ଆଜି ଅପରାହ୍ନରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଛି।
ହୀରାକୁଦର ୫ଟି ଗେଟ୍ ଖୋଲିବା ପରେ ଏହା ସଂଲଗ୍ନ ସମସ୍ତ ନଦୀରେ ଜଳସ୍ତର ବୃଦ୍ଧିପାଇଥିବା ବେଳେ ଦୟାନଦୀରେ ମଧ୍ୟ ଅନୁରୂପ ଭାବେ ଜଳସ୍ତର ବୃଦ୍ଧିପାଇ ଦୁର୍ବଳ ତଥା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଥିଲା। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ବନ୍ଧର ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସୂଚନାଥାଉକି ଗତବର୍ଷ ମଧ୍ୟ ଏହି ଅସ୍ଥାୟୀ ରାସ୍ତା ଭାଙ୍ଗିଯିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଡଙ୍ଗା ବ୍ୟବସ୍ଥା କରାଯାଇଥିଲା। ହେଲେ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ଲାଗି କାହାରି ଆନ୍ତରିକତା ନଥିବା ଜଣାପଡ଼ିଛି।