ଦି’ଟା ବର୍ଷରେ ଆଣ୍ଠେଇ ପଡ଼ିଲା ଘଣା, ମିଳୁନି ଖାଣ୍ଟି ଘଣା ସୋରିଷ ତେଲ

ଖଣ୍ଡଗିରି: ଦାମ୍ ଯେତେ ପଡ଼ୁ ପଛେ ଖାଣ୍ଟି ଘଣା ପେଡ଼ା ସୋରିଷ ତେଲ ପାଇଁ ରାଜଧାନୀ ବଜାରରେ ବେଶ୍ ଚାହିଦା ଥିଲା। ଲିଟର ପିଛା ୨ଶହ ଟଙ୍କାରୁ ଅଧିକ ପଡ଼ୁଥିଲେ ବି ଗଣ୍ଡମୁଣ୍ଡାସ୍ଥିତ ଖଦୀ ବୋର୍ଡ ଘଣା ସୋରିଷ ତେଲ କିଣିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ଥିଲା। କିନ୍ତୁ ଏବେ ଏହି ସରକାରୀ ନିଗମ ଚାଳିତ ମିନି ଶିଳ୍ପଟି ରୁଗ୍‌ଣ ଅବସ୍ଥାକୁ ଆସି ଯାଇଛି। ମାତ୍ର ଦି’ଟା ବର୍ଷରେ ଏହି ମିନି କାରଖାନାର ୮ଟି କାଠଘଣା ମଧ୍ୟରୁ ପ୍ରାୟ ୩/୪ଟି ଭାଙ୍ଗି ପଡ଼ିଥିବାରୁ ଘଣା ଶିଳ୍ପ ଆଣ୍ଠେଇ ପଡ଼ିଛି। ଫଳରେ ଉତ୍ପାଦନ ହ୍ରାସ ପାଇଛି ଓ ବର୍ଷା ଦିନରେ ଖାଣ୍ଟି ଘଣା ସୋରିଷ ତେଲର ଚାହିଦା ଥିବା ବେଳେ ଲୋକେ ପାଉନାହାନ୍ତି। ତେଣୁ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ପ୍ରତି ଥିବା ନିଷ୍ଠା ଉପରେ ଏହି ରୁଗ୍‌ଣ କାରଖାନା ପ୍ରଶ୍ନବାଚୀ ଛିଡ଼ା କରାଇଛି ବୋଲି କୁହାଯାଉଛି।

୨୦୧୬ ମସିହା ଜୁଲାଇରେ ଏହି ମିନି କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ରାଜ୍ୟ ମଧ୍ୟମ କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ସହଯୋଗରେ ଖଦୀ ବୋର୍ଡ ଏହି କାରଖାନାର ପରିଚାଳନା ଦାୟିତ୍ବ ବହନ କରିଥିଲା। ଉତ୍ତରପ୍ରଦେଶ କାନପୁରରୁ ଅଣା ଯାଇଥିବା ୮ଟି କାଠ ଘଣାରୁ ତେଲ ଉତ୍ପାଦନ ଆରମ୍ଭ ହୋଇଥିଲା। ବିଦ୍ୟୁତ୍ ଶକ୍ତିଚାଳିତ ଏହି ଘଣାଗୁଡ଼ିକ ଚଳାଇବା ବେଶ୍ ସହଜ ଥିବାରୁ ଏହାକୁ ଏକ କୁଟୀର ଶିଳ୍ପ ଭାବେ ଲୋକାଦୃତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ଥିଲା। ବିଶେଷକରି ସୋରିଷ ଉତ୍ପାଦନ ହେଉଥିବା ଅଞ୍ଚଳରେ ଏହି କାରଖାନାକୁ ଦେଖି କିଛି ଲୋକ ଘରେ ଘଣା ବସାଇବାକୁ ଆଗ୍ରହ କରିବେ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। ଫଳରେ ଉଭୟ ସୋରିଷ ଚାଷ ଓ ତେଲ ଉତ୍ପାଦନ ବଢ଼ିବ ବୋଲି ସରକାର ଚିନ୍ତା କରିଥିଲେ। ତେଣୁ ଏହି ଘଣା କିଣିବା ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସରକାର ମଧ୍ୟ କମ୍ ହାରରେ ଋଣ ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ଫଳ ହୋଇଛି ଓଲଟା। ୩ଟି ଘଣା ପୂରା ଭାଙ୍ଗି ପଡ଼ିଥିବା ବେଳେ ଆଉ ଗୋଟିଏ ପ୍ରାୟତଃ ଅଚଳ। ମରାମତି ହୋଇ ପାରୁନାହିଁ। ଖାଲି ଘଣା ସମସ୍ୟା ପାଇଁ ଯେ ଏହି ମିନି ପ୍ଲାଣ୍ଟ ଅକାମି ହୋଇ ପଡ଼ିଛି, ତାହା ନୁହେଁ। ପରିଚାଳନାଗତ ତ୍ରୁଟି ମଧ୍ୟ ଏଥିପାଇଁ ଦାୟୀ। ୮ ଜଣ କର୍ମଚାରୀଙ୍କୁ ନେଇ ଏହି ଉଦ୍ୟୋଗ ଚାଲିଛି। ସେମାନଙ୍କ ମଧ୍ୟରେ ସୁପରଭାଇଜର୍ ଜଣଙ୍କ ହେଉଛନ୍ତି ସର୍ବେସର୍ବା। ଘଣା ମେସିନ୍ ମ୍ୟାନ୍ କହିଲେ ସେ ନିଜେ। ବଡ଼ କଥା ହେଉଛି, ଏଠାରେ ଥିବା ୩ ଜଣ ପିଅନ ମଧ୍ୟ ବହୁ ସମୟରେ ଘଣା ଚଳାଉଥିବା ଦେଖିବାକୁ ମିଳେ। ତେଣୁ ଅନଭିଜ୍ଞତା କାରଣରୁ ଘଣା ଖରାପ ହୋଇଯାଉଛି ବୋଲି କୁହାଯାଉଛି। କିନ୍ତୁ ସୁପରଭାଇଜର୍ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ସବୁବେଳେ ସବୁ ଘଣା ଚାଲୁ ହୁଏ ନାହିଁ। ଗଚ୍ଛିତ ଥିବା କଞ୍ଚାମାଲ ସୋରିଷର ପରିମାଣକୁ ଦେଖି ଘଣା ଚଳାଯାଏ। ପିଅନମାନେ ଖାଲି ଆଖି ପକାନ୍ତି ସିନା, ସେ ନିଜେ ସବୁ ଘଣା ଚଳାନ୍ତି ବୋଲି କହିଛନ୍ତି।

ଉଲ୍ଲେଖ‌‌ଯୋଗ୍ୟ, ଏଠାରେ ଦୈନିକ ୫୦/୫୫ କିଲୋଗ୍ରାମ୍ ଖାଣ୍ଟି ସୋରିଷ ତେଲ ଉତ୍ପାଦନ ହେଉଥିଲା। ମାତ୍ର ଏବେ ଏହା କମି ଯାଇଛି। ଘଣା ଅଚଳ ହୋଇପଡ଼ିବା ସହ ପରିଚାଳନାଗତ ସମସ୍ୟା ପାଇଁ ଏଭଳି ଅବସ୍ଥା ବୋଲି କର୍ମଚାରୀମାନେ କହନ୍ତି। ଅଧିକ ଦାମ୍ ଉପରେ କର୍ମଚାରୀମାନଙ୍କ କହିବା କଥା ଏକ କିଲୋ ସୋରିଷରୁ ପ୍ରାୟ ୩ଶହ ଗ୍ରାମ୍ ତେଲ ଉତ୍ପାଦନ ହୋଇଥାଏ। ତେଣୁ ଖଦୀ ବୋର୍ଡ କାଉଣ୍ଟରରେ ଏଠାରୁ ଉତ୍ପାଦନ ହେଉଥିବା ଏକ ଲିଟର ସୋରିଷ ତେଲକୁ ୨୧୦ ଟଙ୍କା ଦରରେ ବିକ୍ରି କରାଯାଏ। ବଜାରରେ ମିଳୁଥିବା ବହୁ ପ୍ରଚାରିତ ବ୍ରାଣ୍ଡର ସୋରିଷ ତେଲ କମ୍ ଦାମ୍‌ରେ ମିଳୁଥିଲେ ବି ଏଠାର ତେଲ ହିଁ ପୂରା ଖାଣ୍ଟି ବୋଲି ଉପଭୋକ୍ତମାନେ ଜାଣିଛନ୍ତି। ତେଣୁ ପରିଚାଳନାଗତ ତ୍ରୁଟି ସୁଧାରି ପାରିଲେ, ପୁଣି ଏହି ମିନି ପ୍ଲାଣ୍ଟ ପୂରା ସଚଳ ହୋଇପାରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର