ରାଜଧାନୀକୁ ଫେରିଛି ଘଣା: ୪୦ ଘଣାରୁ ଦୈନିକ ବିକ୍ରି ୨ଶହ ଲିଟର ସୋରିଷ ତେଲ

ଭୁବନେଶ୍ବର: ପୁଣି ଫେରିଛି ଘଣା; ଅବଶ୍ୟ ନୂଆରୂପରେ। ବିଦ୍ୟୁତ୍‌ଚାଳିତ ଉଭୟ କାଠ ଓ ଲୁହା ଘଣା ପୁଣି ବଜାରରେ ଆସ୍ଥାନ ଜମଇେଲେଣି। ଖାଣ୍ଟି ତେଲର ଚାହିଦା ବଢ଼ୁଥିବାରୁ ବ୍ୟବସାୟୀମାନେ ଘଣା ବେପାର ବଢ଼ାଇବାରେ ଲାଗିଛନ୍ତି। ଏବେ ରାଜଧାନୀରେ ଚାଲିଛି ୪୦ ଘଣା। ଦୁଇ ବର୍ଷ ଭିତରେ ୧୦ଟି ଘଣା ବଢ଼ିବଢ଼ି ୪୦ରେ ପହଞ୍ଚିଲାଣି। ସେହିଭଳି ପୂର୍ବରୁ ଦୈନିକ ବିକ୍ରି ହେଉଥିବା ୫୦ ଲିଟର ଖାଣ୍ଟି ଘଣା ପେଡ଼ା ସୋରିଷ ତେଲ ଏବେ ୨ଶହ ଲିଟରରେ ପହଞ୍ଚିଲାଣି। ଲୋକଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ବଢ଼ି ଥିବାରୁ ଖାଣ୍ଟି ତେଲ ପ୍ରତି ଆଗ୍ରହ ବଢ଼ୁଛି। ତେଣୁ ବଜାରରେ ମିଳୁଥିବା ତେଲ ଦର ଅପେକ୍ଷା ଘଣା ତେଲର ଦର ବହୁ ଅଧିକ ହୋଇଥିଲେ ବି ଲୋକେ ସେଆଡ଼କୁ ଆକୃଷ୍ଟ ହେଉଛନ୍ତି।

ଏବେ ରାଜଧାନୀରେ ସତ୍ୟନଗର ବିଗ୍‌ବଜାର ଛକ, ତୋଷାଳି ଭବନ, ଭିଏସ୍‌ଏସ୍‌ନଗର, ଡମଣା, ଜାଗମରା, ପଟିଆ, ଲୁଇସ୍ ରୋଡ୍, ଆଇଗିଣିଆ, ବରମୁଣ୍ଡା, ନଖରା, ପଳାସୁଣି, ସିଆର୍‌ପି ଛକ ଭଳି ପାଖାପାଖି ୪୦ ସ୍ଥାନରେ ମେସିନ୍‌ ଘଣା ପଡ଼ିଛି। ସେଠାରେ ସୋରିଷ ପେଡ଼ା ହେବା ସହ ନଡ଼ିଆ, କରଞ୍ଜ, ରାଶି, କୋଚିଲା, ଆଲମଣ୍ଡ, ନିମ୍ବ, ସୂର୍ଯ୍ୟମୁଖୀ, ଚିନାବାଦାମ, ଜଡ଼ା, ପୋଲାଙ୍ଗ, କଳାଜିରା, କଦମ୍ବ, ଶିଶୁ ଆଦି ପ୍ରାୟ ୨୦ ପ୍ରକାର ତୈଳବୀଜ ପେଡ଼ା ହେଉଛି। ବଡ଼ କଥା ହେଉଛି, ଖୋଦ୍ ଗ୍ରାହକ ସମ୍ମୁଖରେ ଘଣାରୁ ତେଲ ବାହାରୁଛି ଓ ଖାଣ୍ଟି ‌ତେଲ କିଣି ଗ୍ରାହକ ଖୁସି ହେଉଛି। ଏମିତିକି ଗ୍ରାହକ ଇଚ୍ଛା କଲେ, ନିଜେ ସୋରିଷ ବା ଅନ୍ୟାନ୍ୟ ତୈଳବୀଜ କିଣି ଘଣାରେ ପେଡ଼ାଇ ଖାଣ୍ଟି ତେଲ ‌ପାଇପାରୁଛି। ସତ୍ୟନଗରସ୍ଥିତ ବିଗ୍ ବଜାର ସମ୍ମୁଖରେ ଥିବା ଗୋପୀନାଥ ଦେବ ଘଣାର ମାଲିକ ଗିରିଧାରୀ ଦାସଙ୍କ କହିବା କଥା, ସେ ୨୦୧୮ ମସିହାରେ ଏହି ଘଣା ପକାଇଥିଲେ। ଚାହିଦା ବଢ଼ିବାରୁ ଧୀରେଧୀରେ ତାଙ୍କ ବେପାର ବଢ଼ିଲା ଓ ଏବେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ତାଙ୍କର ୮ଟି ଘଣା ଚାଲିଛି। ସବୁ ଘଣାରୁ ଦୈନିକ ପ୍ରାୟ ୨୦୦ ଲିଟର ତେଲ ବିକ୍ରି ହେଉଛି। କେବଳ ସତ୍ୟନଗର ଘଣାରୁ ସେ ଦୈନିକ ୫୦ ଲିଟର ଖାଇବା ତେଲ ବିକ୍ରି କରୁଛନ୍ତି। ସେଥିରୁ ଶତକଡ଼ା ୮୦ ଭାଗ ହେଉଛି ସୋରିଷ ତେଲ। ଗିରିଧାରୀଙ୍କ ହିସାବ ଅନୁସାରେ, ୧କେଜି ସୋରିଷ ପେଡ଼ିଲେ, ସେଥିରୁ ୩୫୦ ଗ୍ରାମ୍ ତେଲ ବାହାରିଥାଏ। ତେଣୁ ପ୍ରାୟ ଅଢ଼େଇ କେଜି ସୋରିଷରୁ ୧ଲିଟର ତେଲ ବାହାରିଥାଏ। ବଜାରରେ ସୋରିଷ କେଜି ପାଖାପାଖି ୯୫ ଟଙ୍କା ଥିବାରୁ ଏକ କେଜି ସୋରିଷ ତେଲ ପାଇଁ ପ୍ରାୟ ୨୮୫ ଟଙ୍କା‌ ବ୍ୟୟ କରିବାକୁ ହୁଏ।

ପେଡ଼ା ମଜୁରି ସହ ହିସାବ କଲେ ଏକ କେଜି ସୋରିଷ ତେଲ ପାଇଁ ୩୨୦ରୁ ୩୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେବେ ରାଜସ୍ଥାନରୁ ଆସୁଥିବା ସୋରିଷରୁ ଭଲ ପରିମାଣର ତେଲ ବାହାରୁଛି ବୋଲି ସେ କହିଛନ୍ତି। ପେଡ଼ା ତେଲ ବିକି ତାଙ୍କୁ ଖୁବ୍‌ କମ୍ ଲାଭ ମିଳିଥାଏ। ଅସଲ ଲାଭ ମିଳେ ସୋରିଷ ଚୋକଡ଼ରୁ। ପାନବରଜ ମାଲିକମାନେ ଏହି ଚୋକଡ଼କୁ କ୍ବିଣ୍ଟାଲ୍‌ ପିଛା ୩୫୦୦ଟଙ୍କାରେ କିଣି ନିଅନ୍ତି। ତାଙ୍କ ସୂଚନାନୁସ‌ାରେ, ନଡ଼ିଆରୁ ଅଧିକ ତେଲ ମିଳେ। ଏକ କେଜି ନଡ଼ିଆ ପେଡ଼ିଲେ ୬୦୦ ଗ୍ରାମ୍‌ ତେଲ ମିଳେ। ତାଙ୍କ ଦର ଅନୁସାରେ ସୂର୍ଯ୍ୟମୁଖୀ ତେଲ ୩୨୫ଟଙ୍କା, ବାଦାମ ତେଲ ୩୦୦ଟଙ୍କା, ରାଶି ତେଲ ୩୮୦ ଟଙ୍କା, ନଡ଼ିଆ ତେଲ ୪୫୦ଟଙ୍କା, କରଞ୍ଜ ତେଲ ୯୦୦ଟଙ୍କା ରହିଛି।
ଗିରିଧାରୀଙ୍କ କହିବା କଥା, ପୁରୁଣା କାଳର ଗାଁମାନଙ୍କରେ ଥିବା କାଠଘଣା ବଜାରକୁ ଆସିଥିବା ବିଭିନ୍ନ କମ୍ପାନିମାନଙ୍କ ସହ ପ୍ରତିଯୋଗିତା କରିପାରିଲା ନାହିଁ। କମ୍ପାନିର ପ୍ୟାକେଟ୍ ତେଲ ଦାମ୍‌ କମ୍ ରହିବାରୁ ଲୋକେ ସେଥିପ୍ରତି ଆଗ୍ରହ କଲେ। ମାତ୍ର ସେସବୁ ଅପମିଶ୍ରିତ ବୋଲି ଲୋକେ ବୁଝି ଗଲେଣି। ଲୋକେ ପ୍ୟାକେଟ୍‌ ତେଲରୁ ମୁହଁ ଫେରାଇବାରେ ଲାଗିଛନ୍ତି। ତେଣୁ ଘଣାରୁ ବାହାରୁଥିବା ଖାଣ୍ଟି ତେଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ସେହିଭଳି ଘଣାରେ ମେସିନ୍‌ ଖଞ୍ଜା ହେବା ପରେ ନୂଆ ରୂପ ନେଇ ଘଣା ଲୋକଙ୍କୁ ହାତ ପାଖରେ ଓ ଚାହିଦା ଅନୁସା‌ରେ ଯୋଗାଇପାରୁଛି। ଘଣା ମାଲିକଙ୍କୁ ବି ଦି’ ପଇସା ମିଳୁଛି। ତେଣୁ ଆଉ ଘଣା ପଛକୁ ହଟିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର