ଭୁବନେଶ୍ୱର ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ରାଜ୍ୟ କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟ୍ ଏସ୍ଡିଜେଏମ୍ କୋର୍ଟରେ ଦାଖଲ କରିଛି। ୨୦ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡ଼ିଛି। ଏ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲୋକାୟୁକ୍ତଙ୍କୁ ସୂଚନା ଦିଆଯାଇଛି। ତେବେ ମାମଲାର ସଂପୂର୍ଣ୍ଣ ତଦନ୍ତ ଶେଷ ହୋଇ ନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଯେଉଁ ଶିଥିଳତା ପ୍ରଦର୍ଶନ କରିଥିଲା, ଲୋକାୟୁକ୍ତଙ୍କ ହସ୍ତକ୍ଷେପ ପରେ ତାହା ତ୍ବରାନ୍ବିତ ହୋଇଛି। ତେଣୁ ଲୋକାୟୁକ୍ତଙ୍କ ନିକଟରେ ଏହି ମାମଲାକୁ ବନ୍ଦ କରି ଦିଆଯାଇଥିବା ସୂଚନା ଦିଆଯାଇଛି। ଘଙ୍ଗାପାଟଣା ଜମି ଦୁର୍ନୀତିରେ ବହୁ ରାଜନେତାଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତେବେ କ୍ରାଇମବ୍ରାଞ୍ଚ ଏହା ତଦନ୍ତ କରିବା ଲାଗି ବହୁ ବିଳମ୍ବ କରିଥିଲା। ଏପରିକି ୫ବର୍ଷ ପରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇ ନଥିଲା। ଏହା ବିରୋଧରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର କରିଥିଲେ। ଲୋକାୟୁକ୍ତ ଏହାକୁ ଗୁରୁତ୍ବର ସହ ନେଇ ୩ମାସ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ନିର୍ଦେଶ ଦେଇଥିଲେ। ପରବର୍ତୀ ସମୟରେ କ୍ରାଇମବ୍ରାଞ୍ଚ ଗତ ମାସ ୧୬ତାରିଖରେ ଚାର୍ଜସିଟ୍ ଦାଖଲ କରିଥିବା ଲୋକାୟୁକ୍ତଙ୍କୁ ସୂଚନା ଦିଆଯାଇଛି। ମାତ୍ର ଅନ୍ୟ ଲୋକଙ୍କ ସଂପୃକ୍ତି ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା କ୍ରାଇମବ୍ରାଞ୍ଚ ଜଣାଇଛି। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଏହି ଘଟଣାରେ ଯେଉଁ ଦୁଇ ରାଜନେତାଙ୍କ ଦୁଇ ଟ୍ରଷ୍ଟ ଗରିବ ଲୋକଙ୍କୁ ଭୁଲାଇ ଜମି ହଡ଼ପ କରି ନେଇଥିବା ଅଭିଯୋଗ ହୋଇଥିଲା, ଏହା ବିରୋଧରେ କ୍ରାଇମବ୍ରାଞ୍ଚ କୌଣସି ପଦକ୍ଷେପ ନେଇନାହିଁ। ତେଣୁ ଚାର୍ଜସିଟ୍କୁ ସଂପୂର୍ଣ୍ଣ ଅନୁଧ୍ୟାନ କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା : ୨୦ ଜଣଙ୍କ ବିରୋଧରେ ଚାର୍ଜସିଟ୍
/sambad/media/post_attachments/wp-content/uploads/2020/10/ghangaptna-land.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)