ବାଂଲା ରସଗୋଲା ଜିଆଇ ଟ୍ୟାଗ୍‌କୁ ଚ୍ୟାଲେଞ୍ଜ, ସେପ୍ଟେମ୍ବର ୬ରେ ଶୁଣାଣି, ବିଜୟ ପାଇଁ ପଦଯାତ୍ରା

ଭୁବନେଶ୍ବର: ପଶ୍ଚିମବଙ୍ଗ ଚଞ୍ଚକତା କରି ବାଂଲା ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ହାତେଇ ନେଇଥିବା ନେଇ ଚେ‌ନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରିରେ ପ୍ରତିବାଦର ଜନଶୁଣାଣି ସେପ୍ଟେମ୍ବର ୬ରେ ହେବାକୁ ଯାଉଥିବା ବେଳେ ଏନେଇ ଭୁବନେଶ୍ବରରୁ ଏକ ପଦଯାତ୍ରା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ଶ୍ରୀଜଗନ୍ନାଥ ମନ୍ଦିର ଅଭିମୁଖେ ଏହି ପଦଯାତ୍ରା ହୋଇଥିଲା। ଶୁଣାଣିର ବିଜୟ କାମନା କରି ପଦଯାତ୍ରାରେ ସାମିଲ୍ ବ୍ୟକ୍ତିବିଶେଷ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଫେରିଛନ୍ତି।

ସୂଚନାଯୋଗ୍ୟ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ର ସଂଗଠନ ସମ୍ପାଦକ ସୁଶାନ୍ତ, ‘ଓଡ଼ିଆ ପର୍ବ’ ସାହିତ୍ୟ ପତ୍ରିକାର ସମ୍ପାଦକ ସନ୍ତୋଷ କୁମାର ସାହୁ ବାଂଲା ରସଗୋଲା ନାଁରେ ପଶ୍ଚିମବଙ୍ଗ ଚଞ୍ଚକତା କରିଛି ବୋଲି ୨୦୧୮ ଫେବ୍ରୁଆରି ୫ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ସେହିବର୍ଷ ଫେବ୍ରୁଆରି ୧୩ରେ ‘ଭୁବନେଶ୍ବର ରିଜିଓନାଲ୍‌ ଡେଭଲପ୍‌ମେଣ୍ଟ୍‌ ଟ୍ରଷ୍ଟ୍‌’ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରିରେ ପଶ୍ଚିମବଙ୍ଗ ଚଞ୍ଚକତା କରିଛି ବୋଲି ପ୍ରତିବାଦ କରିଥିଲେ। ସେପ୍ଟେମ୍ବର ୬ ତାରିଖରେ ଏହାର ଶୁଣାଣି ଚେନ୍ନାଇରେ ହେବାକୁ ଯାଉଥିବା ବେଳେ ଜିଆଇ ପକ୍ଷରୁ ପ୍ରତିପକ୍ଷକୁ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ନୋଟିସ୍‌ ଦିଆଯାଇଛି। ପଶ୍ଚିମବଙ୍ଗର ମିଥ୍ୟା ତଥ୍ୟକୁ ଲୋକଲୋଚନକୁ ଆଣିବା, ବାଂଲା ରସଗୋଲାର ଜିଆଇ ଟ୍ୟାଗ୍‌କୁ ବାତିଲ୍‌ କରିବା କାମନା ପୂର୍ବକ ଶ୍ରୀଜଗନ୍ନାଥ ମନ୍ଦିରକୁ ହୋଇଥିବା ପଦଯାତ୍ରାରେ ୩ଟି ଅନୁଷ୍ଠାନର କର୍ମକର୍ତା ସାମିଲ୍‌ ହୋଇଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ବିଷ୍ଣୁଦତ୍ତ ରାଉତରାୟ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ‘ମନ୍ତ୍ର’ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା, ସମାଜସେବୀ ଅଂଶୁମାନ ହୋତା, ଆର୍‌ଡିଟିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର