ଭୁବନେଶ୍ବର: କେଉଁ ଆବହମାନ କାଳରୁ ପାହାଡ଼ ଘେରା ଘଞ୍ଚ ଅରଣ୍ୟ ମଧ୍ୟରେ ପୂଜା ପାଉଥିଲେ ମା’ ଦୁର୍ଗା। ଶିଳା ରୂପରେ ବାଟୋଇ ଓ ଭକ୍ତଙ୍କ ରକ୍ଷାର କବଚ ପାଲଟିଥିଲେ। ଧୀରେଧୀରେ ରାଜ୍ୟର ରାଜଧାନୀ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର ହେବା ସହ ସହର ବିକାଶ ଧାରାରେ ସାମିଲ ହୋଇଥିଲା। ଏହାସହ ଭୁବନେଶ୍ବରର କେନ୍ଦ୍ରସ୍ଥଳ ଖାରବେଳନଗର ପ୍ରଥମେ ବିକଶିତ ହେବା ଆରମ୍ଭ କଲା। ବସ୍‌ଷ୍ଟାଣ୍ଡ୍‌ ଓ ରେଳଷ୍ଟେସନ ଯୋଗୁ ସେହି ପାହାଡ଼ିଆ ଅଞ୍ଚଳରେ ବହୁ ବହିଦୋକାନ ଖୋଲିବାରୁ ଲୋକମାନଙ୍କ ଚଳପ୍ରଚଳ ବଢ଼ିଥିଲା। ସେଠାରେ ରହୁଥିବା କିଛି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ମିଶି ମା’ଙ୍କୁ ଏକ ଚାଳଘରେ ପ୍ରତିଷ୍ଠା କରିଥିଲେ। ଏହିଭଳି ଭାବେ ୭୦ ବର୍ଷ ତଳୁ ଆରମ୍ଭ ହୋଇଥିଲା ଖାରବେଳନଗରସ୍ଥିତ ‘ଓଁ ମା’ ଗିରିଦୁର୍ଗା ମନ୍ଦିର’ର  କାହାଣୀ।

Advertisment

ମନ୍ଦିରର ପୂଜକ ନିରଞ୍ଜନ ପଣ୍ଡା କହିଛନ୍ତି, ମା’ ‌କେବେଠାରୁ ଏଠାରେ ଶିଳା ରୂପରେ ଆବିର୍ଭୂତା ସେ କଥା କାହାରିକୁ ଜଣାନାହିଁ। ହେଲେ ପ୍ରାୟ ୭୦ ବର୍ଷ ତଳେ ଖାରବେଳନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ତାଙ୍କପାଇଁ ମନ୍ଦିରଟିଏ ତୋଳିବା ପାଇଁ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା। ଏହାପରେ ମା’ଙ୍କ ମନ୍ଦିର ତିଆରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଖପାଖର ବ୍ୟବସାୟୀ, ବାସିନ୍ଦାଙ୍କ ସମେତ ଜଣାଶୁଣା ଉଦ୍ୟୋଗୀ କେସି ମହାନ୍ତି ପ୍ରମୁଖ ମନ୍ଦିର ପ୍ରତିଷ୍ଠା ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୯୭୮ ମସିହା ଆଡ଼କୁ ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଗଲା। ପ୍ରାୟ ୩ ବର୍ଷ ପରେ ୧୯୮୧ ମସିହା ଆଷାଢ଼ ମାସରେ ମା’ଙ୍କ ମନ୍ଦିର ସହ ମହାଦେବ ଶିବଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମନ୍ଦିର ଏବେ ୮୦୦ ଡିସିମିଲ୍‌ ପରିମିତ ଜମିରେ ପରିବ୍ୟାପ୍ତ। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସେତେବେଳେ ସଙ୍କୁଚିତ ରାସ୍ତାଟିଏ ପଡ଼ିଥିଲା। ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣାମାନ ଘଟୁଥିଲା। ଏହି ଦୁର୍ଘଟଣା ରୋକିବା ପାଇଁ ମନ୍ଦିରରେ ସଙ୍କଟମୋଚନ ହନୁମାନଙ୍କୁ ପ୍ରତିଷ୍ଠା କରିବାକୁ କିଛି ଜ୍ଞାନୀଗୁଣି ଲୋକ ପରାମର୍ଶ ଦେଇଥିଲେ। ଫଳରେ ମନ୍ଦିର ଭିତରେ ହନୁମାନଙ୍କ ମନ୍ଦିର ବି ପ୍ରତିଷ୍ଠା ହୋଇଥିଲା। ମନ୍ଦିର ପ୍ରତିଷ୍ଠା ପରେ ସଡ଼କ ଦୁର୍ଘଟଣା ଭଳି ସଙ୍କଟର ମୋଚନ ହୋଇଥିବା କିଛି ପୁରୁଖା ଲୋକ କହିଛନ୍ତି। ମନ୍ଦିର ପରିସରରେ ଏହି ତିନିମନ୍ଦିର ସହ ଶ୍ରୀଜଗନ୍ନାଥ, ଶ୍ରୀଗଣେଶ, ଅଷ୍ଟଲକ୍ଷ୍ମୀ, ସରସ୍ବତୀ ଓ ପଦ୍ମାବତୀ ଆଦି ଦେବଦେବୀଙ୍କ ମନ୍ଦିର ମଧ୍ୟ ରହିଛି। 

ମା’ ଦୁର୍ଗା ଏଠାରେ ପର୍ବତ ବା ଗିରି ଉପରେ ବିଦ୍ୟମାନ ଥିବାରୁ ସ୍ଥାନୀୟ ଲୋକେ ମା’ଙ୍କୁ ‘ଗିରିଦୁର୍ଗା’ ନାମ ଦେଇଥିଲେ। ମା’ ଶିଳା ରୂପରେ ଆବିର୍ଭାବ ହୋଇଥିବା ବେଳେ ଏବେ ତିଆରି ହୋଇଥିବା ୪ ଫୁଟ୍‌ର ମୂର୍ତ୍ତି ମଧ୍ୟରେ ଉକ୍ତ ଶିଳାଖଣ୍ଡକୁ ସ୍ଥାନିତ କରାଯାଇଛି। ମା’ ଏଠାରେ ସିଂହବାହିନୀ ଓ ଅଷ୍ଟଭୂଜା। ମା’ଙ୍କ ମାହାତ୍ମ୍ୟ ବି ଅନେକ। ମୂଳାଷ୍ଟମୀଠାରୁ ଏଠାରେ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା ୧୬ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ଏଥିସହ ମହାସପ୍ତମୀଠାରୁ ଏଠାରେ ୪ ଦିନ ମୃଣ୍ମୟୀ ମୂର୍ତ୍ତି ପୂଜା ବି ପାଇଥା’ନ୍ତି।। ଏତଦ୍‌ବ୍ୟତୀତ ଲକ୍ଷ୍ମୀପୂଜା, କାଳୀପୂଜା, ଗଣେଶପୂଜାଠାରୁ ଆରମ୍ଭ କରି ସମସ୍ତ ପୂଜା ଏଠାରେ ହୋଇଥାଏ। ମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥ ବିଦ୍ୟମାନ। ଏଣୁ ମନ୍ଦିର ମଧ୍ୟକୁ ଆମିଷ ନିଷେଧ। ମା’ଙ୍କ ସହ ସମସ୍ତ ଦେବଦେବୀଙ୍କ ନିକଟରେ ପ୍ରତିଦିନ ସଙ୍ଖୁଡ଼ି ଭୋଗ ଲାଗି ହୋଇଥାଏ। ଏବେ ମନ୍ଦିର ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ଥିବା ବେଳେ ବିଭାଗ ହିଁ ମନ୍ଦିରର ପରିଚାଳନା ଭାର ସମ୍ଭାଳିଛି।