ଖଣ୍ଡଗିରି: ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ପିଛା କରିବା ଓ ବାଟ ସାରା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ଜଣେ ରୋମିଓ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବତୀଙ୍କୁ ଫସାଇବାକୁ ଯାଇ ଶେଷରେ ନିଜେ ଫସି ଯାଇଛି। ପ୍ରଥମେ ଯାହା ଲୋକେ ତ ପିଟିଲେ ପିଟିଲେ, ଶେଷକୁ ଯୁବତୀ ଜଣଙ୍କ ବି ଚପଲରେ ସେକି ଦେଇଗଲେ। ବିଚରା ରୋମିଓ ଯୁବତୀଙ୍କ ଗୋଡ଼ ଧରି କ୍ଷମା ମାଗିବା ସହ କାନ ଧରି ଉଠ୍ବସ୍ ହେବା ପରେ ଛାଡ଼ ପାଇଲା। ଘଟଣାଟି ସ୍ଥାନୀୟ ଘାଟିକିଆ ନିକଟ ଖଣ୍ଡଗିରିବାରୀ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
ଅପରାହ୍ଣ ପ୍ରାୟ ସାଢ଼େ ୧ଟା। ସ୍ଥାନୀୟ କୋଳଥିଆ ଜୟଦେବ ବାଟିକା ରାସ୍ତାରେ ଆମ୍ରି ହସ୍ପିଟାଲ ନିକଟରେ ସିଟି ବସ୍ରୁ ଓହ୍ଲାଇ ଜଣେ ଯୁବତୀ ଘାଟିକିଆ ରାସ୍ତାରେ ଘରକୁ ଯାଉଥିଲେ। ଚାଲି ଚାଲି ଯାଉଥିବାବେଳେ ଏକ ବାଇକ୍ରେ ଜଣେ ଯୁବକ ତାଙ୍କୁ ପିଛା କରିଥିଲା। କଲେଜ ଛାତ୍ର ଭଳି ଜଣାପଡ଼ୁଥିବା ଯୁବକ ଜଣଙ୍କ ଯୁବତୀଙ୍କ ପଛେ ପଛେ ବାଇକ୍ ଚଳାଉଥିଲେ। ଯୁବକଟି ତାଙ୍କୁ ପିଛା କରୁଛି ବୋଲି ଯୁବତୀ ବୁଝି ଯାଇଥିଲେ। ତେବେ ସ୍ଥାନୀୟ ଝିଅ ହୋଇଥିବାରୁ ସେ ଡରି ନଥିଲେ। ଯୁବକ ଜଣଙ୍କ କିଛି ବାଟ ବାଇକ୍କୁ ନେଇ ଆଗରେ ରଖିବା ସହ ଠିଆ ହୋଇ ରାସ୍ତା କଡ଼ରେ ପରିସ୍ରା କଲେ। ଏତିକିବେଳେ ଯୁବକଟି ଯୁବତୀଙ୍କୁ ଲକ୍ଷ୍ୟ କରି କିଛି କହିଲେ। ଯୁବତୀଜଣଙ୍କ ପଛକୁ ଫେରି ଚାହିଁବା ପରେ ପୁଣି ଆଗକୁ ବଢ଼ିଲେ। ଯୁବତୀଜଣଙ୍କ ଫସିଲେ ଭାବି ଯୁବକଟି ତାଙ୍କ ପିଛା କରିବାକୁ ଲାଗିଲା। କିଛି ବାଟ ପରେ ଗୋଟେ ଘର ପଡ଼ିଲା ଓ ଯୁବତୀ ଜଣଙ୍କ ଉକ୍ତ ଘରର ଗେଟ୍ ନିକଟରେ ଅଟକିଗଲେ। ରୋମିଓ ବି ସେଠି ବାଇକ୍ ଅଟକାଇଲେ। ମାତ୍ର ସେଇଟା ଯେ ଯୁବତୀଙ୍କଘର ତାହା ସେ ଜାଣି ପାରି ନଥିଲେ। ହଠାତ୍ ଯୁବତୀ ଜଣଙ୍କ ରୋମିଓ ଉପରେ ହମ୍ଲା ଆରମ୍ଭ କରିଦେଲେ। ଢୋ ଢୋ ଚାପୁଡ଼ା ମାରିବା ସହ ବଡ଼ ପାଟିରେ ଗାଳି କଲେ। ତାଙ୍କ ପାଟି ଶୁଣି ଘର ଭିତରୁ ତାଙ୍କ ପରିବାର ଲୋକେ ବାହାରି ଆସିଲେ ଓ ନିକଟସ୍ଥ ବିଲରେ କାମ କରୁଥିବା କିଛି ଲୋକ ମଧ୍ୟ ଘଟଣାସ୍ଥଳକୁ ଧାଇଁଆସିଲେ। ଯୁବତୀ ଜଣଙ୍କ ଚପଲରେ ପିଟି ଚାଲିଥିଲେ। ଏହା ପରେ ଯିଏ ଯେମିତି ପାରିଲା, ପିଟିଲା ଓ ଗାଳିକଲା। ଲୋକେ ପୁଲିସକୁ ଡାକିବାକୁ ବିସିଥିବାବେଳେ ବିଚରା ରୋମିଓ କାନଧରି ଉଠବସ୍ ହୋଇ ହୋଇ ଛାଡ଼ିଦେବାକୁ ନେହୁରା ହୋଇଥିଲା। ଯୁବତୀ ଜଣଙ୍କ ମଧ୍ୟ ପୁଲିସକୁ ନ ଡାକିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/m7.jpg)