ଗଣ ଦୁଷ୍କର୍ମର ଶିକାର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଗଣଦୁଷ୍କର୍ମର ଶିକାର ହୋଇ ମାନସିକ ଚାପରେ ଥିବା ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଛି। ବାଥ୍‌ରୁମ୍‌ ସାୱାର୍‌ରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଛାତ୍ରୀଜଣକ ମାଲକାନାଗିରିର ହୋଇଥିବା ବେଳେ ସେ ପଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ଆଇଏଏସ୍‌ କୋଚିଂ ନେଉଥିଲେ। ଏଭଳି ଅଭିଯୋଗ ତମାଣ୍ଡୋ ଥାନାରେ ହେବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ଭଲ ପାଠ ପଢ଼ୁଥିଲେ। ଏକାଧିକ ବିଷୟରେ ଭଲ ମାର୍କ ରହୁଥିଲା। ମାତ୍ର ଗୋଟିଏ ବିଷୟରେ ମାର୍କ କମ୍‌ ରହୁଥିଲା। ଏହି ବିଷୟରେ ମାର୍କ ବଢ଼ାଇବା ପାଇଁ ଜଣେ ଅଧ୍ୟାପକ ସହଯୋଗର ହାତ ବଢ଼ାଇଥିଲେ। ମାତ୍ର ସୁଯୋଗ ଦେଖି ସେ ତାଙ୍କୁ ଦୁଷ୍କର୍ମ କଲେ। ପରେ ଅଧ୍ୟାପକଙ୍କ ସହ ମିଶିଲେ ସାମ୍ବାଦିକ। ଉଭୟ ମିଶି ତାଙ୍କୁ ପୁଣି ଦୁଷ୍କର୍ମ କଲେ। ଶେଷରେ ଆଉ ସହି ନପାରି ସେ ଥାନାର ଦ୍ବାରସ୍ଥ ହେଲେ। ହେଲେ ଥାନା ମଧ୍ୟ କୋହଳ ଦଫା ଲଗାଇବାରୁ ସମସ୍ତଙ୍କୁ ଜାମିନ୍‌ ମିଳିଗଲା। ଆଖିଦୃଶିଆ ଦଣ୍ଡ ହେଲା ନାହିଁ। ୨୦୧୭ ମସିହାରେ ଏହି ଘଟଣା ଘଟିଥିଲା। ‌ପୁଲିସ ହତାଶ କରିବା ପରେ ତାଙ୍କର ମାନସିକ ସ୍ଥିତି ଭଲ ନ ରହିବାରୁ ତାଙ୍କୁ ଭୁବନେଶ୍ବରରେ ଥିବା ବନ୍ଧୁଘରକୁ ପଠାଇ ଦିଆଯାଇଥିଲା। ସେ ଏଠାରେ ରହି ଆଇଏଏସ୍‌ କୋଚିଂ ନେଉଥିଲେ। ସେତେବେଳେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାକୁ ଆଉଥରେ ତଦନ୍ତ କରିବା ପାଇଁ ହାଇକୋର୍ଟରୁ ଆଦେଶ ଆସିଥିଲା। କିନ୍ତୁ ଏହି ଆଦେଶ ପାଳନ ହୋଇ ନଥିଲା। ସେଥିପାଇଁ ସେ ମାନସିକସ୍ତରରେ ଦୁର୍ବଳ ରହୁଥିଲେ। ପ୍ରାୟ ସମୟ ମନଦୁଃଖରେ ରହୁଥିଲେ। ତଥାପି ତାଙ୍କ ମନ ପରିବର୍ତ୍ତନ ପାଇଁ ବନ୍ଧୁବର୍ଗଙ୍କ ଉଦ୍ୟମ ଜାରି ରହିଥିଲା। ହେଲେ ଆଜି ସକାଳେ ବାଥ୍‌ରୁମ୍‌କୁ ଯାଇ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ‌ଏମ୍‌ସ ନିଆଯାଇଥିଲା।

ସମ୍ବନ୍ଧିତ ଖବର