ଡାକ୍ତରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

Clipart Station

ଭୁବନେଶ୍ୱର : ‘ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ’ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀ ଭୁବନେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ନୟାପଲ୍ଲୀ ପ୍ଲଟ ନମ୍ବର ୬୫୦/୯୨୬ରେ ରହୁଥିବା ସୋନପୁର ଅଞ୍ଚଳର ଡାକ୍ତର କେ.ଏନ୍‌ ଶର୍ମାଙ୍କ ଘରୁ ଜଣେ ଶିଶୁ ଶ୍ରମିକ(ନାବାଳିକା)ଙ୍କୁ ଆଜି ଉଦ୍ଧାର କରାଯାଇଛି। ମାସିକ ୫ ହଜାର ଟଙ୍କାରେ ଗତ ତିନିମାସ ହେବ କାମ କରୁଥିବା ଏହି ନାବାଳିକାଙ୍କୁ ଆଜି ନୟାପଲ୍ଲୀ ଥାନା ସହଯୋଗରେ ଚାଇଲ୍ଡ ଲାଇନ୍‌ ଉଦ୍ଧାର କରିଛି। ସୋନପୁର ଅଞ୍ଚଳର ସମ୍ପୃକ୍ତ ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ‌ହୋଇଥିବାରୁ ଡାକ୍ତରଙ୍କ ଘରେ ସ୍ବଇଚ୍ଛାରେ ଛାଡ଼ିଥିବା କହିଛନ୍ତି। ଅପରପକ୍ଷରେ ଡାକ୍ତରଙ୍କ ସନ୍ତାନ ମାନସିକ ଅନଗ୍ରସର ହୋଇଥିବାରୁ କେବଳ ତା’ର ଯତ୍ନ ନେବା ପାଇଁ ନାବାଳିକାଙ୍କୁ ଘରେ ରଖିଥିବା ଡାକ୍ତର କହିଛନ୍ତି। ମାତ୍ର ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ଚାଇଲ୍ଡ ଲାଇନ୍‌ କହିଛି। ଉଦ୍ଧାର ପରେ ନାବାଳିକାଙ୍କୁ ସିଡବ୍ଲ୍ୟୁସି(ଶିଶୁ ମଙ୍ଗଳସମିତି)ରେ ଉପସ୍ଥାପନ କରାଯାଇଛି। ଛୁଟି ପଡ଼ୁଥିବାରୁ ଦୁଇଦିନ ପରେ ଏ ବାବଦରେ ନିଷ୍ପତ୍ତି ନିଆଯିବ। ଏହା ସମ୍ପୂର୍ଣ୍ଣ ବେଆଇନ ଜାଣି ଜଣେ ଡାକ୍ତର ଏଭଳି କରିଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଖବର ପାଇ ଆଜି ପୂର୍ବାହ୍ନରେ ଚାଇଲ୍ଡ ଲାଇନ୍‌ର ସଂଯୋଜିକା ରୁଲିନା ପାତ୍ର ନୟାପଲ୍ଲୀ ଥାନାରେ ସୂଚନା ଦେବା ସହ ସଦଳବଳେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ନାବାଳିକା ଘରର ସମସ୍ତ କାମ କରୁଥିବା କହିଥିଲା। ନାବାଳିକା ଓ ତାର ପରିବାରବର୍ଗଙ୍କ ବୟାନକୁ ଆଧାର କରି ସଂଯୋଜିକା ଏକ ରିପୋର୍ଟ ପ୍ରସ୍ତୁତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସିଡବ୍ଲ୍ୟୁସିକୁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର