ଡେଲ୍‌ଟା ଛକରେ ଡେଇଁଲେ ମାତାଲ୍‌ ଯୁବତୀ

ଖଣ୍ଡଗିରି : ସୋମବାର ରାତି ପ୍ରାୟ ୯ଟାବେଳେ ସ୍ଥାନୀୟ ଡେଲ୍‌ଟା ଛକରେ ଜଣେ ମିନି ସ୍କଟ ପିନ୍ଧା ମାତାଲ୍‌ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ପୁଲିସକୁ ନାକେଦମ୍‌ କରିଛି। ପ୍ରାୟ ଅଧଘଣ୍ଟାର ଅପରେସନ୍ ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଭରତପୁରସ୍ଥିତ ତାଙ୍କ ଘରେ ଛାଡ଼ିଛି। ପ୍ରଚୁର ମଦ ପିଇଥିବା ଏହି ଯୁବତୀ ନିଶାରେ ଛକ ସାରା ଡେଇଁବା ସହ ଉଦଣ୍ଡ ନୃତ୍ୟ କରିବାରୁ ଅଧ ଘଣ୍ଟା କାଳ ଡେଲ୍‌ଟା ଛକ ଜାମ୍ ହୋଇଥିଲା ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୂଚନାନୁସାରେ ହଠାତ୍ ଏହି ଛକରେ ଯୁବତୀ ଜଣଙ୍କ ଅର୍ଧନଗ୍ନ ହୋଇ ପାଟି କରୁଥିବା ଦେଖିବାକୁ ମିଳିଥିଲା। କେତେବେଳେ ଏଣେତେଣେ ଦୌଡ଼ୁଥିଲେ ତ ପୁଣି ଉନ୍ମାଦିଆ ନୃତ୍ୟ କରୁଥିଲେ। ବହୁ ସମୟରେ ସେ ଦେହରୁ ପୋଷାକ ଓହ୍ଲାଇବାକୁ ଉଦ୍ୟମ କରି ଅର୍ଧନଗ୍ନ ‌ହୋଇ ପଡ଼ୁଥିଲେ। ଖାଲି ସେତିକି ନୁହେଁ, ଅଶ୍ଳୀଳ ଭାଷା କହୁଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଦୁଇ ଜଣ ମହିଳା ପୁଲିସ କର୍ମଚାରୀ ତାଙ୍କ ପାଖ ମାଡ଼ି ପାରିନଥିଲେ। ପୁଲିସକୁ ଦେଖିବା ପରେ ସେ ଅଧିକ ଉତ୍ତେଜିତ ହୋଇ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ। ତେବେ ବଡ଼ କଷ୍ଟରେ ପୁଲିସ ତାଙ୍କୁ କାବୁ କରି ପିସିଆର୍ ଭ୍ୟାନ୍‌ରେ ବସାଇଥିଲା। ଭ୍ୟାନ୍‌ରେ ବସିବା ପରେ ତାଙ୍କୁ ଭରତପୁରରେ ଛାଡ଼ିଦେବାକୁ ସେ ପୁଲିସକୁ କହିଥିଲେ। ଯୁବତୀ ଜଣଙ୍କ କାହା ସହିତ କେଉଁ ଆଡ଼ୁ ଡେଲ୍‌ଟା ଛକକୁ ଆସିଲେ, କୌଣସି ସ୍ଥାନୀୟ ଲୋକ କହି ପାରୁନଥିଲେ। ଯୁବତୀ ଜଣଙ୍କ ଓଡ଼ିଆ ଭାଷା କହୁଥିଲେ ବି ଅଣଓଡ଼ିଆ ବୋଲି ଜଣାପଡ଼ିଛି ଓ ଅଧିକ ପାଠଶାଠ ପଢ଼ିନଥିବା ଯୁବତୀ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର