ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ : ମଶାଣିରୁ ହାଡ଼ ପାଉଁଶ ଜବତ, ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଯୁବତୀଙ୍କ ମୃତ୍ୟୁ ପରେ ଶବଦାହ କରିଦେବା ହେତୁ ଘଟଣାଟି ରହସ୍ୟ ଘେରକୁ ଟାଣି ହୋଇ ଯାଇଛି। ବାଲିପାଟଣା ଥାନା ଭାକରସାହି ପଞ୍ଚାୟତ ବନ୍ଧଭୋଇ ସାହି ଗ୍ରାମର ବାନାମ୍ବର ଭୋଇଙ୍କର ଝିଅ ମିଲୁ ଭୋଇ (୨୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ମୃତ୍ୟୁପରେ ଯୁବତୀଙ୍କ ପରିବାର ଲୋକ, କିଛି ଗ୍ରାମବ‌ାସୀଙ୍କ ସହାୟତାରେ ଗାଁ ମଶାଣିରେ ଶବଦାହ କରି ଦେଇଥିଲେ।

ବାଲିପାଟଣା ଥାନା ପୁଲିସ ଖବର ପାଇ ଯୁବତୀଙ୍କ ଗାଁକୁ ଯାଇ ତଦନ୍ତ କରିବା ସହିତ ମଶାଣିରୁ ହାଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପରାହ୍‌ଣରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ସହିତ ମଶାଣିକୁ ଯାଇ ନମୁନା ବି ସଂଗ୍ରହ କରିଛି।

ଘଟଣାରୁ ପ୍ରକାଶ, ବାନାମ୍ବର ଭୋଇଙ୍କ ଝିଅ ମିଲୁ ଦୀର୍ଘ ଦିନ ହେବ ରୋଗରେ ଆକ୍ରାନ୍ତ ଥିଲେ। ପରିବାର ତରଫରୁ ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଉ ଥିଲେ ବୋଲି ତାଙ୍କ ମା’ ଶାନ୍ତି ଭୋଇ ଓ ଭାଉଜ କ୍ରିଷ୍ଣା ଭୋଇ କହିଛନ୍ତି। ମା’ଙ୍କ କହିବା ଅନୁସାରେ ଗତକାଲି ଝିଅ ପେଟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ବିଳମ୍ବିତ ରାତିରେ ଝିଅର ମୃତ୍ୟୁ ହୋଇଗଲା।

ଅନ୍ୟପକ୍ଷରେ ଯୁବତୀଜଣକ ଯନ୍ତ୍ରଣା ସହ୍ୟ କରି ନ ପାରି ଘରେ ଥିବା ୮/୧୦ ଲିଟର କିରା‌ସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ବାଲିପାଟଣା ପୁଲିସ ଯୁବତୀଙ୍କ ବାପା, ସାନଭାଇ ପ୍ରମୋଦଙ୍କ ସମେତ ଗ୍ରାମର କିଛି ବ୍ୟକ୍ତିଙ୍କୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଯୁବତୀଙ୍କ ପରିବାର ତରଫରୁ ତାଙ୍କ ଭାଇ ପ୍ରମୋଦ ଭୋଇ ବାଲିପାଟଣା ଥାନାରେ ଆଜି ଏକ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି କି ଦୀର୍ଘ ଦିନ ହେବ ତାଙ୍କ ଭଉଣୀ ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ଉପସ୍ଥିତିରେ ଶବ ଦାହ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ବାଲିପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତଦନ୍ତ ଅଧିକାରୀ ନୟନା ବେହେରା କହିଛନ୍ତି, ପୁଲିସକୁ ସୂଚନା ନ ଦେଇ ଶବ ଦାହ କରିଥିବା କାରଣରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧିତ ଖବର