ଏକ୍ସପାରି ଔଷଧ ଖାଇ ମୃତ୍ୟୁ ଘଟଣା : ମୃତକଙ୍କ ପିତାଙ୍କୁ ୩ ଲକ୍ଷ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଟିବି ପାଇଁ ଉଦ୍ଦିଷ୍ଟ ଅବଧି ଅତିକ୍ରାନ୍ତ ଔଷଧ (ଏକ୍ସପାରି ମେଡିସିନ୍‌) ଖାଇ ଯୁବତୀଙ୍କର ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଝଟ୍‌କା ଲାଗିଛି। ମାମଲାର ବିଚାର କରି ରାଜ୍ୟ ମାନବାଧିକାର ଆୟୋଗ ମୃତକଙ୍କ ପିତାଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଏହାସହ ଦୋଷୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଆଦେଶ ହୋଇଛି।

ସୂଚନା ଅନୁଯାୟୀ, କଟକ ବାଦାମବାଡ଼ି ସର୍ବୋଦୟପୁର ନାୟକସାହିର ରାଜୁ ନାୟକଙ୍କ ଝିଅ ଗୁଡ଼ି ନାୟକ(୧୮) ଦୁଇ ବର୍ଷ ହେବ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଦରଘା ବଜାରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଟକ ସିଟି ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଆଶାକର୍ମୀ ତାଙ୍କୁ ଯେଉଁ ଔଷଧ ଦେଉଥିଲେ, ତାହାର ଅବଧି ଶେଷ ହୋଇସାରିଥିଲା। ତିନି ମାସ ଧରି ସେ ଔଷଧ ଖାଇବା ପରେ ଗୁଡ଼ିଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ଏକ୍ସପାରି ଔଷଧ ଖାଇଥିବାରୁ ଏଭଳି ହୋଇଥିବା ଡାକ୍ତର କହିଥିଲେ। ପରେ ୨୦୧୭ ମସିହା ଡିସେମ୍ବର ୩୦ରେ କଟକ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତା ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ରଣଜିତ ସୂତାର, ଅଖଣ୍ଡ, ପ୍ରଦୀପ୍ତ ନାୟକ ପ୍ରମୁଖଙ୍କ ସମେତ ଗୁଡ଼ିଙ୍କ ବାପା ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ ତଲବ କରିଥିବା ରିପୋର୍ଟରେ ଏକ୍ସପାରି ଔଷଧ ଦିଆଯାଇଥିବା ବିଭାଗ ସ୍ବୀକାର କରିଥିବା ବେଳେ ସିଟି ହସ୍‌ପିଟାଲର ଡ୍ରଗ୍‌ ଷ୍ଟକ୍‌ ରେଜିଷ୍ଟର ରଶ୍ମିରଞ୍ଜନ ଜେନା ତଦାରଖ କରୁଥିବା ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର