ଟିଉସନ୍‌ ଟିଚରଙ୍କ ପ୍ରେମ ପାଇଁ ହାତ କାଟିଦେଲେ ଛାତ୍ରୀ

ଚନ୍ଦ୍ରଶେଖରପୁର : ଟିଉସନ୍‌ ଟିଚରଙ୍କୁ ପ୍ରେମ କରୁଥିବା ଜଣେ ଛାତ୍ରୀଙ୍କୁ ନିଜ ପରିବାର ବାଧା ଦେବାରୁ ସେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଛାତ୍ରୀ ଧୀରେଧୀରେ ସୁସ୍ଥ ହେଉଥିବାବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ କରି ଛାତ୍ରୀଙ୍କ ପରିବାର ଲୋକେ ଇନ୍‌ଫୋସିଟି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଟିଉସନ୍ ମାଷ୍ଟର ଫେରାର୍ ହୋଇଯାଇଛନ୍ତି। ଘଟଣାକୁ ନେଇ ଇନ୍‌ଫୋସିଟି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କରୋନା କଟକଣା ଭିତରେ ବିଦ୍ୟାଳୟ ବନ୍ଦ ଥିବାରୁ ପରିବାରଲୋକେ ଛାତ୍ରୀଙ୍କ ପାଠପଢ଼ା ପାଇଁ ଜଣେ ଟିଉସନ୍ ମାଷ୍ଟର୍‌ଙ୍କୁ ଘରକୁ ଡକାଇଥିଲେ। ତେବେ ପାଠପଢ଼ା ଭିତରେ ଟିଚର ଏମ୍‌ ଭେଙ୍କେଟେଶଙ୍କ ସହ ଛାତ୍ରୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ କଥା ଜଣାପଡ଼ିଥିଲା ଓ ପରିବାରଲୋକେ ଟିଉସନ୍‌ ବନ୍ଦ କରି ଦେଇଥିଲେ। ଟିଉସନ୍ ଟିଚର୍‌ ସିନା ଘରକୁ ଆସି ପାରିଲେ ନାହିଁ, କିନ୍ତୁ ସେମାନଙ୍କ ପ୍ରେମରେ ଭଟ୍ଟା ପଡ଼ି ନଥିଲା। ସେମାନେ ମୋବାଇଲ୍‌ ଫୋନ୍‌ ଜରିଆରେ ଯୋଗାଯୋଗରେ ରହିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଛାତ୍ରୀଙ୍କ ଅଗୋଚରରେ ଏମ୍‌ ଭେଙ୍କଟେଶଙ୍କ ଘରକୁ ଯାଇ ବାରଣ କରିଥିଲେ। କିନ୍ତୁ ସେ ଫୋନ୍‌ କରି ଛାତ୍ରୀଙ୍କୁ ଜଣାଇ ଦେଇଥିଲେ। ତେଣୁ ରାଗରେ ଛାତ୍ରୀ ଜଣକ ବ୍ଲେଡ୍‌ରେ ହାତ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାରଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଓ ଟିଉସନ୍ ଟିଚର୍‌ ଏମ୍‌ ଭେଙ୍କଟେଶଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର