କାମୁକ ଅଟୋଚାଳକ ହାବୁଡ଼ରୁ ବର୍ତ୍ତିଗଲେ ଛାତ୍ରୀ

ଲଟାବାସେଳୀ ଜଙ୍ଗଲରେ ଦୁ‌ଷ୍କର୍ମ ଉଦ୍ୟମ, ଛେଚା ଖାଇବା ପରେ ଥାନାରେ ଅଟକ

ବାରଙ୍ଗ/ତ୍ରିଶୁଳିଆ : ପିଜି ଏଣ୍ଟ୍ରାସ୍‌ ପାଇଁ କଟକରୁ ଭୁବନେଶ୍ବର ଆସୁଥିବା ଜ‌ନୈକା ଛାତ୍ରୀ ଆଜି ଜଣେ କାମୁକ ଅଟୋଚାଳକ ହାବୁଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାସ୍ତା ଜାଣିନଥିବା ଛାତ୍ରୀଙ୍କୁ କଟକରୁ ଭୁବନେଶ୍ବର ନେବା ବଦଳରେ ଅଟୋ ଚାଳକଜଣକ ମୁଣ୍ଡଳୀ ନିକଟ ଲଟାବାସେଳୀ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ବେଳେ ୨ଜଣ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଲୋକଙ୍କ ହାତରୁ ଉତ୍ତମମଧ୍ୟମ ପାଇଥିବା ଅଭିଯୁକ୍ତକୁ ବାରଙ୍ଗ ଥାନା ପୁଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି। ଅଭିଯୁକ୍ତ ଅଟୋଚାଳକ ବାଙ୍କୀ କଳାପଥର ବଡ଼ସାହିର ଅଞ୍ଚଳର ଦିଲ୍ଲୀପ ମହାପାତ୍ର ବୋଲି ଜଣାପଡ଼ିଛି। ପୁଲିସ ଦିଲ୍ଲୀପକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଓ ପରେ ତାକୁ ‌କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି। ଛାତ୍ରୀଙ୍କ ଉଦ୍ଧାର କରିଥିବା ଯୁବ ସାମ୍ବାଦିକ ତୁଷାରକାନ୍ତ ବେହେରା ଓ ତାଙ୍କ ସାଙ୍ଗଙ୍କ ପାଇଁ ଜଣେ ଛାତ୍ରୀ ଯୌନପିପାସୁ କବଳରୁ ବଞ୍ଚି ଯାଇଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଆଜି ସ୍ଥାନୀୟ ଅଞ୍ଚଳରେ ୧୯୯୯ ମସିହାର ଦୁଷ୍କର୍ମ ଘଟଣାକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି।

ସୂଚନାନୁସାରେ, ସମୟ ପାଖାପାଖି ସାଢ଼େ ଗୋଟାଏ। ମୁଣ୍ଡଳୀ ନିକଟସ୍ଥ ଲଟାବାସେଳୀ ଜଙ୍ଗଲ ଭିତରୁ ଜଣେ ଯୁବତୀ ବିକଳ ହୋଇ ଦୌଡ଼ୁଥିଲେ। ‘ବଞ୍ଚାଅ ବଞ୍ଚାଅ’ ବୋଲି ପାଟି କରୁଥିଲେ। ପଛରେ ଜଣେ ଅର୍ଧନଗ୍ନ ଯୁବକ ଦୌଡ଼ୁଥିଲା। ଖରାବେଳ ହୋଇଥିବାରୁ ଉକ୍ତ ରାସ୍ତା ପୂରା ନିଛାଟିଆ ଥିଲା। କିନ୍ତୁ ସୌଭାଗ୍ୟକୁ ଠିକ୍‌ ସେତିକିବେଳେ ସ୍ଥାନୀୟ ଯୁବ ସାମ୍ବାଦିକ ତୁଷାରକାନ୍ତ ବେହେରା ତାଙ୍କ ବନ୍ଧୁଙ୍କ ସହ ବାଇକ୍‌ରେ ସେହି ରାସ୍ତା ଅତିକ୍ରମ କରୁଥିଲେ। ଜଙ୍ଗଲ ଭିତରୁ ଯୁବତୀଙ୍କ ଚିତ୍କାର ଶୁଣି ସେମାନେ ଅଟକି ଯାଇଥିଲେ। ଯୁବତୀଙ୍କୁ ଏଭଳି ଅବସ୍ଥାରେ ଦେଖି ହଠାତ୍ କିଛି ବୁଝି ପାରିନଥିଲେ। କୌଣସି ସିନେମା କିମ୍ବା ଆଲବମ୍ ସୁଟିଂ ହେଉଛି ବୋଲି ପ୍ରଥମେ ସେମାନେ ଅନୁମାନ କରିଥିଲେ। କିନ୍ତୁ ପରେ ସେମାନେ ଅର୍ଧନଗ୍ନ ହୋଇ ଦୌଡ଼ୁଥିବା ଅଟୋଚାଳକ ଦିଲ୍ଲୀପକୁ ଦେଖି ବୁଝି ପାରିଲେ ‌ଯେ କିଛି ଅଘଟଣ ଘଟିବାକୁ ଯାଉଛି। ଯୁବତୀଜଣକ ସେମାନଙ୍କ ପାଖକୁ ଧାଇଁ ଧାଇଁ ଆସି ଅଟକି ଯାଇଥିଲେ ଓ କୋହ କୋହ ହୋଇ ଅଟୋଚାଳକର କାରନାମା ବାବଦରେ କହିଥିଲେ। ସେମାନଙ୍କୁ ଦେଖି ଦିଲ୍ଲୀପ ସେଠାରୁ ଖସିବାକୁ ଉଦ୍ୟମ କରିଥିଲା। କିନ୍ତୁ ଦୁଇ ବନ୍ଧୁ ତାକୁ କାବୁ କରିନେଇଥିଲେ। ତଥାପି ଅଭିଯୁକ୍ତ ଦିଲ୍ଲୀପ ଖସିବା ପାଇଁ ମିଛ ବାହାନା କରିଥିଲା। ତୁଷାର ପୁଲିସକୁ ଫୋନ୍‌ କରିବା ଭିତରେ ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ଲୋକ ଅଟକି ଯାଇଥିଲେ। ଯୁବତୀଙ୍କଠାରୁ ସବୁ କଥା ଶୁଣିବା ପରେ ଦିଲ୍ଲୀପ ଉପରେ ଆରମ୍ଭ ହୋଇ ଯାଇଥିଲା ବିଧା, ଗୋଇଠା ଓ ମୁଥ ବର୍ଷା। ପୁଲିସ ପହଞ୍ଚିବା ବେଳକୁ ଲୋକେ ଦିଲ୍ଲୀପକୁ ବହେ ଛେଚି ସାରିଥିଲେ। ବାରଙ୍ଗ ଥାନା ପୁଲିସ ତୁରନ୍ତ ତାକୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା।

ଯୁବତୀଙ୍କ କହିବା ଅନୁସାରେ, ସେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପିଜି ଏଣ୍ଟ୍ରାନ୍‌ସ ପାଇଁ କେନ୍ଦ୍ରାପଡ଼ାରୁ ଆସିଥିଲେ। କଟକରେ ପହଞ୍ଚିବା ପରେ ବସ୍ ନପାଇ ସେ ଉକ୍ତ ଅଟୋରେ ବସିଥିଲେ। କଟକ ଛାଡ଼ିବା ପୂର୍ବରୁ ଅଟୋରେ ୨ ଜଣ ମହିଳା ଥିଲେ। କିନ୍ତୁ ସେମାନେ ବାଟରେ ଓହ୍ଲାଇ ପଡ଼ିବା ପରେ ସେ ଏକୁଟିଆ ହୋଇ ଯାଇଥିଲେ। ରାସ୍ତା ଜାଣିନଥିବାରୁ ଅଟୋ ଚାଳକ କେଉଁ ଆଡ଼କୁ ଯାଉଥିଲା, ସେ ଜାଣି ପାରୁନଥିଲେ। କିନ୍ତୁ ‌ଜଙ୍ଗଲିଆ ରାସ୍ତା ଦେଖିବା ପରେ ସେ ସନ୍ଦେହ କରି ପଚାରିଥିଲେ। ମାତ୍ର ଏହି ରାସ୍ତା କମ୍ ଦୂରତ୍ବ ବିଶିଷ୍ଟ ବୋଲି ଚାଳକ କହି ଶେଷରେ ଏକ ଜଙ୍ଗଲ ଭିତରକୁ ପଶିଥିଲା। ଅଟୋ ଅଟକାଇବା ପୂର୍ବରୁ ଛାତ୍ରୀଜଣଙ୍କ ବୁଝି ପାରି ଅଟୋରୁ ଡେଇଁ ପଡ଼ି ଦୌଡ଼ିଥିଲେ। ଅଭିଯୁକ୍ତ ଦିଲ୍ଲୀପ ତାଙ୍କୁ ଗୋଡ଼ାଇ ଧରି ପକାଇଥିଲେ ମଧ୍ୟ ସେ ଖସି ଯାଇଥିଲେ।

ସମ୍ବନ୍ଧିତ ଖବର