ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣା : ପୁଲିସକୁ ନୟାନ୍ତ କଲେଣି ଅଭିଯୁକ୍ତ, ରିମାଣ୍ଡ ଶେଷ, ଜେଲ୍‌ ଗଲା ଆଶିଷ

ଭୁବନେଶ୍ବର : ଫ୍ୟାସନ୍ ଡିଜାଇନିଂ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ହାତରେ ସବୁ ତଥ୍ୟ ଲାଗି ସାରିଛି। ଦୁଇ ଦିନିଆ ରିମାଣ୍ଡରେ ଆସି ମୁଖ୍ୟ ଅଭିଯୁକ୍ତ ଆଶିଷ ନାୟକ ପୂରା କାହାଣୀର ଗୁମର ଫିଟାଇଛି। କିନ୍ତୁ ଏପର୍ଯ୍ୟନ୍ତ ବ୍ୟବହୃତ ବନ୍ଧୁକ ଠାବ କରି ପାରିନାହିଁ ପୁଲିସ। ପ୍ରଥମେ ଘଟଣାକୁ ଲୁଚାଉଥିବା ଆଶିଷ ରିମାଣ୍ଡରେ ଆସି ଗୁଳିକାଣ୍ଡ ଘଟଣାରେ ସବୁ ସତ କଥା କହିଥିଲେ ବି ବନ୍ଧୁକ ବାବଦରେ ପୁଲିସକୁ ଭୁଆଁ ବୁଲାଇଛି। ଅଟକ ଆଶିଷର ସହଯୋଗୀ ରାଜେଶ ତରାଇ ବି ପୁଲିସକୁ ବେଶ୍ ନୟାନ୍ତ କଲାଣି। ରଘୁନାଥପୁରଠାରେ ଗଙ୍ଗୁଆ ନାଳରେ ବନ୍ଧୁକ ଫିଙ୍ଗି ଦେଇଥିବା ପ୍ରଥମେ ରାଜେଶ ପୁଲିସ ଆଗରେ କହିଥିଲା। ତା’ ବୟାନକୁ ଭିତ୍ତି କରି ପୁଲିସ ଦୁଇ ଦିନ ଧରି ଗଙ୍ଗୁଆ ନାଳ ନିକଟରେ ତନାଘନା କରି ନାକେଦମ୍ ହୋଇଥିଲା। ପରେ ରାଜେଶ ପୁଲିସକୁ ଭିନ୍ନ ତଥ୍ୟ ଦେଇଛି। ଏବେ କହିଛି, ଯେଉଁ ବେପାରୀଠାରୁ ବନ୍ଧୁକ ଆଣିଥିଲା ତାକୁ ଫେରାଇ ଦେଇଛି। ବନ୍ଧୁକ ବେପାରୀ ଘର ନୟାଗଡ଼ରେ ବୋଲି ପୁଲିସ ଜାଣିବା ପରେ ସେଠାରେ ଚଢ଼ଉ କରିଥିଲା। କିନ୍ତୁ ବନ୍ଧୁକର ସନ୍ଧାନ ପାଇ ପାରିନାହିଁ। ଏହି ଘଟଣାରେ ଖୋର୍ଧାରେ ବି ପୁଲିସ ଟିମ୍ ଚଢ଼ଉ କରି ନିରାଶ ହୋଇ ଫେରିଛି। ବନ୍ଧୁକ ବେପାରୀକୁ ଧରିବା ପାଇଁ ଇନଫୋସିଟି ଥାନା ପୁଲିସ ଖୋର୍ଦ୍ଧା ଓ ନୟାଗଡ଼ ପୁଲିସର ସହାୟତା ମଧ୍ୟ ନେଇଛି। ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରଦୀପ ଅଗସ୍ତି ଗିରଫ ହେବା ପରେ ଘଟଣା ନୂଆମୋଡ଼ ନେବା ଓ ବନ୍ଧୁକ ନ ମିଳିବା ଅଧିକ ରହସ୍ୟାବୃତ୍ତ କରିଛି।

ସମ୍ବନ୍ଧିତ ଖବର