ଛାତ୍ରୀଙ୍କୁ ଅସଦାଚରଣ, ଟ୍ୟୁସନ୍‌ ସାର୍‌ ଅଟକ

ଧଉଳି : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣେ ଟ୍ୟୁସନ୍‌ ସାର୍‌ଙ୍କୁ ଅଟକ ରଖିଛି। ସ୍ଥାନୀୟ ସରଦେଇପୁର ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବାଲିପାଟଣା ଥାନା ଅଧୀନ ବଦଳା ଅଞ୍ଚଳର ଜଣେ ୩୦ ବର୍ଷୀୟ ବିବାହିତ ଯୁବକ ଉକ୍ତ ଛାତ୍ରୀଙ୍କୁ ଘରେ ଟ୍ୟୁସନ୍‌ କରୁଥିଲେ। ଆଜି ସେ ଛାତ୍ରୀଙ୍କ ଘରକୁ ଯାଇ ପାଠ ପଢ଼ାଇବା ବେଳେ ଅସଦାଚରଣ କରିଥିଲେ। ଟ୍ୟୁସନ୍‌ ସରିବା ପରେ ଛାତ୍ରୀଜଣଙ୍କ ଏ ସଂପର୍କରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ଝିଅର ମା’ ଏ ସଂପର୍କରେ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଶିକ୍ଷକଙ୍କ ଭଡ଼ା ଘରେ ଚଢ଼ଉ କରି ତାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଶେଷ ଖବର ମୁତାବକ ଛାତ୍ରୀଙ୍କ ମା’ ଏସଂପର୍କରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ମାମଲା ରୁଜୁ ହୋଇ ନଥିଲା।

ସମ୍ବନ୍ଧିତ ଖବର