ଚନ୍ଦ୍ରଶେଖରପୁର : ମାନସିକ ନିର୍ଯାତନା, ଅଶ୍ଳୀଳ ଆଚରଣ, ଅସଦାଚରଣ ଶେଷରେ ରାସ୍ତା ଉପରେ ଟଣାଓଟରା। ସବୁର ସୀମା ଟପି ଯାଇଥିଲେ ୪ ଦୁର୍ବୃତ୍ତ। ଜଣେ ୧୭ ବର୍ଷର ନାବାଳିକା କେତେ ବା ସହିଥାନ୍ତେ। ଶେଷରେ ସବୁ କଥା ଡାଏରିରେ ଲେଖି ବେକରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଲେ। ନାବାଳିକା ଜଣଙ୍କ ଶୈଳଶ୍ରୀବିହାର ଛକ ନିକଟ ମହିଳା ମହର୍ଷି କଲେଜର ପଢ଼ନ୍ତି। ପରିବାର ସହ ଶୈଳଶ୍ରୀବିହାର ଏଲଆଇଜି ୮/୩୬ରେ ରହୁଥିଲେ। ଏହି ଆତ୍ମହତ୍ୟା ପାଇଁ ସେ ସ୍ଥାନୀୟ ଅଞ୍ଚଳର ୪ଜଣ ଯୁବକଙ୍କୁ ଦାୟୀ କରିଛନ୍ତି। ଡାଏରିରେ ଆତ୍ମହତ୍ୟାର କାରଣ ଓ ଯୁବକମାନଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହାକୁ ଆଧାରକରି ପୁଲିସ୍‌ ସେମାନଙ୍କୁ ଗିରଫ କରିବା ନେଇ ଚଢ଼ଉ କରୁଛି।

Advertisment

ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଛାତ୍ରୀଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ଡାଏରିରେ ଛାତ୍ରୀଙ୍କ ଲେଖା ଅନୁଯାୟୀ ସେ କଲେଜ୍‌କୁ ଯାଉଥିବା ବେଳେ କିଛି ମାସ ହେବ ୪ ଯୁବକ ତାଙ୍କୁ ପିଛାକରି ହଇରାଣ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏପରିକି ଅସଦାଚରଣ କରିବାକୁ ପଛାଉ ନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଏକତରଫା ପ୍ରେମ ନିବେଦନ କରିବା ଫଳରେ ଗଣ୍ଡଗୋଳ ବି ହୋଇଥିଲା। କଲେଜ ଫାଟକ ନିକଟରେ ଯୁବକମାନଙ୍କ ଖଟି ଜମୁଥିବାରୁ ଛାତ୍ରୀ ଜଣଙ୍କ ବିଭିନ୍ନ ସମୟରେ ମାନସିକ ନିର୍ଯାତନାର ଶିକାର ମଧ୍ୟ ହେଉଥିଲେ। ଆଜି ସେମାନେ ତାଙ୍କୁ କଲେଜ ନିକଟରୁ ଗୋଡ଼ାଇ ଗୋଡ଼ାଇ ଘର ପର୍ଯ୍ୟନ୍ତ ଆସିଥିଲେ। ରାସ୍ତା ଉପରେ ଟଣାଓଟରା କରିଥିଲେ। ତେବେ ରବିବାର ସବୁ ସୀମା ଟପି ଯାଇଥିଲା। ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ସେମାନେ ଶୈଳଶ୍ରୀବିହାର ଛକକୁ ଯାଇ ଅଶ୍ଳୀଳ ଆଚରଣ କରିଥିଲେ। ଫଳରେ ସେ ମାନସିକ ଚାପରେ ଥିଲେ। ଆଜି ସକାଳେ ଘରେ କେହି ନଥିବା ବେଳେ ବେକାରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ପୂର୍ବରୁ ଶୈଳଶ୍ରୀବିହାର ଛକରେ ଜଣେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼ ହୋଇଥିଲା। ଏମିତି ଅନେକ ଘଟଣା ଉକ୍ତ ରାସ୍ତାରେ ଘଟୁଛି। ଅସାମାଜିକ ଯୁବକଙ୍କ ଭିଡ଼ ଜମୁଛି। ଏଠାରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।