ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଆଜି ଝରଣା ସାହିର ଏକ ଭଡ଼ାଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ହେଲେ, ପ୍ରିୟମ୍ବଦା ନାୟକ। ଘର ବୌଦ୍ଧ। ଘର କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Advertisment

ପୁଲିସ ସୂଚନା ଅନୁସାରେ, ପ୍ରିୟମ୍ବଦା ଝରଣା ସାହିରେ ଭଡ଼ାରେ ରହୁଥିଲେ। ସେ ହୋମ୍ ନର୍ସିଂରେ କାମ କରନ୍ତି। ଗତକାଲି ଗାଁରୁ ଫେରିଥିଲେ। ତେବେ ଆଜି ଦିନ ସାରା ତାଙ୍କ ଘର କବାଟ ବନ୍ଦ ରହିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ପ୍ରଥମେ ଝରକା ବାଟେ ଫ୍ୟାନ୍‌ରେ ଯୁବତୀଙ୍କ ଝଲନ୍ତା ମୃତଦେହ ଦେଖିଥିଲା। ପରେ କବାଟ ଭାଙ୍ଗି ଭିତରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖା ଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ଏ ସଂପର୍କରେ ପୁଲିସ ଯୁବତୀଙ୍କ ପରିବାରକୁ ଖବର ଦେବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଗତକାଲି ଘରୁ ଫେରିବା ପରେ ଏମିତି କ’ଣ ହେଲା ଯେ ଯୁବତୀଜଣଙ୍କ ଆତ୍ମହତ୍ୟା କଲେ, ସେ ନେଇ ପୁଲିସ ତଦନ୍ତ ଚଳାଇଛି। କିଛି ପଡ଼ୋଶୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି।