ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌, ଟ୍ବିଟର୍‌ରେ ଅସନ୍ତୋଷ ଜାହିର କଲେ ଯୁବତୀ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ୩ ମାସ ବିତିଲାଣି। ହେଲେ ଏବେ ବି ରାଜଧାନୀର ଅଧିକାଂଶ ଅଞ୍ଚଳରେ ଅନ୍ଧାର ରାଜୁତି କରୁଛି। ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍‌ ଜଳୁନି। ବାତ୍ୟାରେ ଭାଙ୍ଗି ପଡ଼ିଥିବା କିମ୍ବା ଚୋରି ହୋଇଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌ର ସଜାଡ଼ିବା କାମ ଆଜି ଯାଏଁ ବି ସରି ପାରିନି। ବାଧ୍ୟ ହୋଇ ଶେଷରେ ଜଣେ ଯୁବତୀ ବିଏମ୍‌ସିର ଆକାଉଣ୍ଟକୁ ଟ୍ବିଟ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ବିଏମ୍‌ସି ପକ୍ଷରୁ ତାଙ୍କୁ କୌଣସି ପ୍ରତ୍ୟୁତ୍ତର ଦିଆଯାଇନାହିଁ।

ସ୍ମୃତିଲଗ୍ନା ନନ୍ଦ ନାମକ ଜଣେ ଯୁବତୀ ଟ୍ବିଟ୍‌ରେ ଲେଖିଛନ୍ତି ଯେ ଏକାମ୍ର ପାର୍କ ରାସ୍ତାରୁ କଳିଙ୍ଗ ଷ୍ଟୁଡିଓ ରାସ୍ତା ହେଉ ବା ସମ୍ ହସ୍ପିଟାଲରୁ ଘାଟିକିଆ ଆଡ଼କୁ ଯିବା ରାସ୍ତା, ଗଣ୍ଡମୁଣ୍ଡାରୁ ପୋଖରୀପୁଟ ଯିବା ରାସ୍ତା; ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଭୁବନେଶ୍ବରରେ ଅପରାଧ ନିୟନ୍ତ୍ରଣ ପାଇଁ ଜୋରଦାର ପ‌ାଟ୍ରୋଲିଂ କରଯାଉଥିବା ବେଳେ ଅନ୍ଧାରକୁ କିଏ ମାପୁଛି ? ଏଥିପାଇଁ ଆମକୁ କିଏ ଜରିମାନା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କର ଏଭଳି ଟ୍ବିଟ୍‌ ରାଜଧାନୀରେ ଷ୍ଟ୍ରିଟ୍‌ ଲାଇଟ୍‌କୁ ନେଇ ବିଏମ୍‌ସି କେତେ ସଚେତନ, ତାହା ପଦାରେ ପକାଇ ଦେଇଛି। ତାଙ୍କର ଏଭଳି ଟ୍ବିଟ୍‌କୁ ଅନେକ ପସନ୍ଦ(ଲାଇକ୍‌) କରିବା ସହ ତାଙ୍କୁ ଏଥିରେ ସମର୍ଥନ ମଧ୍ୟ ଜଣାଇବାକୁ ପଛାଇ ନାହାନ୍ତି।

ରାଜଧାନୀ‌‌‌‌‌ରେ ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ଦାୟିତ୍ବ ବିଏମ୍‌ସି ସହ ପିପିପି ମୋଡ୍‌ରେ ୨ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ପ୍ରାୟ ବର୍ଷେ ପୂର୍ବରୁ ରାଜଧାନୀରେ ୨୦ ହଜାର ସୋଡିୟମ୍‌ ଲାଇଟ୍‌କୁ ବଦଳାଇ ଏଲଇଡି ଲାଇଟ୍‌ ଲଗାଯାଇଥିଲା। ତେବେ ବାତ୍ୟାରେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍ ଚୋରି ମଧ୍ୟ ହୋଇଯାଇଛି। ଏହା ଭିତରେ ୩ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ବିଏମ୍‌ସି ସଂପୂର୍ଣ୍ଣ ରାଜଧାନୀରେ ଲାଇଟ୍‌ ଜଳାଇ ପାରିନାହିଁ। ଏବେ ବି ଷ୍ଟ୍ରିଟ୍ ଲାଇଟ୍ ସଜାଡ଼ିବା କାମ ଜାରି ରହିଛି। ବାୟାବାବା ମଠରୁ ରିଜିଓନାଲ କଲେଜ/ନିକୋ ପାର୍କ ଅଞ୍ଚଳ ଷ୍ଟ୍ରିଟ୍‌ ଲାଇଟ୍, ଲକ୍ଷ୍ମୀସାଗର କେନାଲ ରୋଡ୍‌ ସମେତ ରାଜଧାନୀର ଅନ୍ୟାନ୍ୟର ଅଞ୍ଚଳର ୩୦ପ୍ରତିଶତ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଷ୍ଟ୍ରିଟ୍‌ ଲାଇଟ୍‌ ସଜଡ଼ା କାମ ଏତେ ମନ୍ଥର ଗତିରେ ଚାଲିଛି ଯେ ସଂପୂର୍ଣ୍ଣ ରାଜଧାନୀରେ ଆଲୁଅ ଜଳିବା ପାଇଁ ଆହୁରି ୧ମାସରୁ ଅଧିକ ସମୟ ଲାଗିବ। ଏଭଳି ପରିସ୍ଥିତିରେ ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ଦୁର୍ଘଟଣାଠାରୁ ଆରମ୍ଭ କରି ଛିନ୍‌ତାଇ ଭଳି ଘଟଣା ବଢ଼ି ଚାଲିଛି।

ବିଏମ୍‌ସିର ଇଲେକ୍ଟ୍ରିକାଲ (ଜେଇ) ଆର.ମିଶ୍ରଙ୍କ ସୂଚନା ଅନୁସାରେ, ଯେଉଁ ଯେଉଁ ଅଞ୍ଚଳ କଥା ଯୁବତୀ ଟ୍ବିଟ୍‌ରେ ‌ଉଲ୍ଲେଖ କରିଛନ୍ତି, ସେସବୁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ଗତକାଲି ଲାଇଟ୍ ଜଳୁଥିଲା। ବାତ୍ୟାରେ ଯେଉଁ ‌ଷ୍ଟ୍ରିଟ୍‌ ଲାଇଟ୍‌ କ୍ଷତିଗ୍ରସ୍ତ ହୋଇଛି, ତାହା ସଜାଡ଼ିବା କାର୍ଯ୍ୟ ଜାରି ରହିଛି। ଯେଉଁ ଯେଉଁ ସ୍ଥାନରେ ସୋଡିୟମ୍‌ ଲାଇଟ୍‌ ବନ୍ଦ ରହିଛି, ସେଠାରେ ଲାଇଟ୍‌ ଲଗାଯାଉଛି। ଅନେକ ସ୍ଥାନରେ ସୋଡିୟମ୍‌ ଲାଇଟ୍‌ ସଜଡ଼ା ଯାଉଛି। ସବୁ ସ୍ଥାନରେ ଶତ ପ୍ରତିଶତ ଲାଇଟ୍ ଜଳାଇବା ସମ୍ଭବପର ନୁହେଁ। କଳିଙ୍ଗବିହାର ଅଞ୍ଚଳ ପାଇଁ ଗୋଟିଏ ଏଜେନ୍‌ସିକୁ ଦାୟିତ୍ବ ଦିଆଯାଇଥିବା ବେଳେ ବଳକା ୩୪/୩୫ହଜାର ଲାଇଟ୍‌ର ଦାୟିତ୍ବ ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଛି। ଏହାସହ ସୋଡିୟମ୍‌ ଲାଇଟ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍‌ସ କରୁଛି। ଲାଇଟ୍ ସଜାଡ଼ିବା/ବଦଳାଇବା କାର୍ଯ୍ୟ ଆସନ୍ତା ୧୫/୨୦ ଦିନ ଭିତରେ ଶେଷ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର