ପ୍ରେମିକକୁ ବିବାହ ପାଇଁ ଜିଦ୍ ଧରି ଥାନାରେ ବସିଲେ ପ୍ରେମିକା, ପୁଲିସ ହସ୍ତକ୍ଷେପ ପରେ ହେଲା ସମାଧାନ

ଭୁବନେଶ୍ବର : ବହୁ ବର୍ଷର ସମ୍ପର୍କ। ଏକାଠି ବୁଲିବା, ଖାଇବାପିଇବା ସବୁକିଛି। ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଥିଲେ ପ୍ରେମିକ। ଓଏମ୍‌ସିରେ ପ୍ରେମିକର ଚାକିରି। ଝିଅ ବି ଉଚ୍ଚ ଶିକ୍ଷିତା। କିନ୍ତୁ ଅଲଗା ଜାତି ସାଜିଥିଲା ବିବାହରେ ବାଧକ। ପ୍ରେମିକର ପରିବାର ଲୋକ ବିବାହ ପାଇଁ ରାଜି ନ ଥିଲେ। ଶେଷରେ ଆଜି ପ୍ରେମିକା ଜଣକ ଖଣ୍ଡଗିରି ଥାନାକୁ ଆସିଥିଲେ ଏବଂ ପ୍ରେମିକକୁ ବିବାହ କରିବା ଜିଦ୍‌ରେ ଦୀର୍ଘ ସମୟ ଧରି ବସି ରହିଥିଲେ। ଶେଷରେ ସେ ପ୍ରତାରଣା ଅଭିଯୋଗ କରିବା ପରେ ପ୍ରେମିକଙ୍କୁ ଉଠାଇ ଆଣିଥିଲା ପୁଲିସ। ତେବେ ଆପୋସ ବୁଝାମଣା ପରେ ସମସ୍ୟାର ସମାଧାନ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ପ୍ରେମିକ ଓ ପ୍ରେମିକାଙ୍କ ଘର ସୁନ୍ଦରଗଡ଼ରେ। ଉଭୟଙ୍କ ମଧ୍ୟରେ ୫ରୁ ୬ ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମିକ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସବୁକିଛି ଠିକ୍‌ଠାକ୍ ଚାଲିଥିଲା। କିନ୍ତୁ ପରେ ବିବାହ କରିବା ବଦଳରେ ପ୍ରତାରଣା କରିଥିଲେ ପ୍ରେମିକ। ଅଲଗା ଜାତିର ହୋଇଥିବାରୁ ପରିବାର ଲୋକ ରାଜି ହେଉ ନ ଥିବା କହିଥିଲେ। ଶେଷରେ ପ୍ରେମିକା ନିରାଶ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ବହୁ ସମୟ ଧରି ଆଲୋଚନା ପରେ ଯୁବକ ଜଣକ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଘଟଣାର ଆପୋସ ସମାଧାନ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର