ନୃତ୍ୟର ବ୍ୟାକରଣ ବଦଳିବା ଉଚିତ୍‌ ନୁହେଁ: ଗୀତା ଚନ୍ଦ୍ରନ

0

ମାତ୍ର ୨ ବର୍ଷ ବୟସରେ ମଞ୍ଚରୁ ଭାସି ଆସୁଥିବା ସଂଗୀତ ତାଙ୍କୁ ଥମ୍‌ କରି ଦେଇଥିଲା। ଲାଗୁଥିଲା ଯେମିତି ସେ ସଂଗୀତର ରସ ସବୁକୁ ଆକୁଣ୍ଠ ପାନ କରିଚାଲିଛନ୍ତି। ତାଙ୍କ ମା’ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖାଲି ସେତିକି ନୁହେଁ, ଝିଅର ଆଗ୍ରହ ଦେଖି ତାଙ୍କୁ ନେଇ ଥାଞ୍ଜାଭୁର୍‌ ନୃତ୍ୟ ପରମ୍ପରାର ପ୍ରସିଦ୍ଧ ଗୁରୁ ସ୍ୱର୍ଣ୍ଣ ସରସ୍ୱତୀଙ୍କୁ ଭେଟେଇ ଦେଲେ। ସେବେଠୁ ଆଉ ତାଙ୍କ ପାଦ ଅଟକିନି। ସଂଗୀତ ଓ ନୃତ୍ୟରେ ଦୀର୍ଘ ୫୦ ବର୍ଷର ଅଭିଜ୍ଞତାକୁ କରାୟତ୍ତ କରିଥିବା ଭାରତନାଟ୍ୟମ ଶିଳ୍ପୀଜଣଙ୍କ ହେଉଛନ୍ତି ପଦ୍ମଶ୍ରୀ ଗୀତା ଚନ୍ଦ୍ରନ। ‘ଶ୍ରେଷ୍ଠ ଭାରତ ସଂସ୍କୃତି ସମାଗମ’ରେ ନୃତ୍ୟ ଶୈଳୀ ବାବଦରେ ବକ୍ତତା ଦେବାକୁ ଆସିଥିବା ବେଳେ ତାଙ୍କ ସହ ଗପସପରୁ କିଛି…

ଛୋଟ ବେଳୁ ନୃତ୍ୟ ପ୍ରତି ଏତେ ଆକର୍ଷଣ ସମ୍ପର୍କରେ ପଦେ ?
ମୋ ମା’ କହୁଥିଲେ, ପାଠ ସହ ନୃତ୍ୟ ଓ ସଂଗୀତ ଶିଖିବା ଜରୁରି। ଦକ୍ଷିଣ ଭାରତରେ ନୃତ୍ୟ ସଂଗୀତ ବିନା ଶିକ୍ଷା ଯେମିତି ଅସମ୍ପୂର୍ଣ୍ଣ ବୋଲି ମାନୁଥିଲେ। ଏତିକି ବେଳେ ମୋ ମା’ ପାର୍ବତୀ ରାମକ୍ରିଷ୍ଣନ୍‌ ମୋର ପ୍ରଥମ ଗୁରୁ ସାଜିଲେ। ମା’ ବୀଣା ବଜାଉଥିବାରୁ ଘରେ ସଂଗୀତର ପରିବେଶ ଥିଲା। ତେଣୁ ମୁଁ ୮ ବର୍ଷ ବୟସରୁ କର୍ଣ୍ଣାଟକୀ ସଂଗୀତ ଶିଖିଲି। ପରେ ନୃତ୍ୟକୁ ଆସିଲି।
ଭାରତନାଟ୍ୟମ ସହ ୫୦ ବର୍ଷର ସଂପର୍କ; କ’ଣ ପାଇଛନ୍ତି ଏବଂ କ’ଣ ହରାଇଛନ୍ତି ?
ମୁଁ କେବଳ ପାଇ ଚାଲିଛି। କିଛି ହରାଇବା ମୋର ହୃଦବୋଧ ହୋଇନାହିଁ। ନୃତ୍ୟ ଦୁନିଆର ଜୀବନକୁ ଜଣେ ଶିଳ୍ପୀ କେମିତି ଦେଖୁଛି ତା’ର ଦୃଷ୍ଟିକୋଣ ଉପରେ ନିର୍ଭର କରେ। ମୋ ଗୁରୁମାନେ ମୋ’ଠାରୁ ବହୁତ ଆଶା କରୁଥିଲେ। ତେଣୁ ଏହା ମତେ ଆନନ୍ଦ ଦେଉଥିଲା।
ସମସାମୟିକ ଚିତ୍ରକୁ ନୃତ୍ୟରେ ଚିତ୍ରଣ କରିବା କେତେ ଯଥାର୍ଥ ବୋଲି ବିଚାର କରନ୍ତି ?
ସମୟ ଦ୍ରୁତ ବେଗରେ ଦୌଡ଼ୁଛି। ତା’ସହ ତାଳ ଦେବା ପାଇଁ ସାଂପ୍ରତିକ କଥାକୁ ନୃତ୍ୟରେ ଫୁଟାଇଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ମୋର ବିଶ୍ୱାସ। ତେବେ ବ୍ୟାକରଣ ବାହାରକୁ ଯିବା ଉଚିତ୍‌ ନୁହେଁ।
‘ସଂସ୍କୃତି ସମାଗମ’ର ଆଲୋଚନାଚକ୍ର ସାଂସ୍କୃତିକ ଜଗତ ପାଇଁ କେତେ ସହାୟକ ହେବ ?
ଅତୀତ, ବର୍ତମାନ ଓ ଭବିଷ୍ୟତର ନୃତ୍ୟଶୈଳୀ, ଏହାର ପରିବର୍ତନ ଏବଂ ଲୋକାଦୃତି ପାଇଁ ଆଗକୁ କ’ଣ ହେବା ଉଚିତ୍‌ ସେ ବିଷୟରେ ବହୁ ବଡ଼ବଡ଼ ନୃତ୍ୟ ବିଦ୍ୱାନ/ବିଦୂଷୀ ମତ ରଖିବେ। ଏହା ପୁସ୍ତକ ଆକାରରେ ପ୍ରକାଶିତ ହେବ। ତେଣୁ ପରପିଢ଼ି ପାଇଁ ଏହା ମାର୍ଗଦର୍ଶିକା ସାଜିବ ବୋଲି ଆଶା।
ଆପଣଙ୍କ ନୃତ୍ୟ ଜୀବନର ସବୁଠୁ ସାର୍ଥକ ମୁହୂର୍ତ ?
ଯେବେ ପଦ୍ମଶ୍ରୀ ପାଇଲି, ସେବେ ଏପିଜେ ଅବଦୁଲ କଲାମଙ୍କ ହାତରୁ ପୁରସ୍କାର ଗ୍ରହଣ ବେଳେ ସେ କହିଥିଲେ, କଳାକାର ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ। କଳାକୁ ନେଇ ଉଡ଼ିବାକୁ ଚେଷ୍ଟା କର। ଏହା ମୋ ଜୀବନର ସବୁଠୁ ପ୍ରେରଣାଦାୟୀ ସମୟ ଥିଲା।
ନୃତ୍ୟ ଦୁନିଆକୁ ଆସୁଥିବା ପରପିଢ଼ିଙ୍କୁ କି ବାର୍ତା ଦେବେ?
ନୂଆପିଢ଼ି ବହୁତ ଭଲ ନୃତ୍ୟ ପରିବେଷଣ କରୁଛନ୍ତି। ମୋର ବି ଇଚ୍ଛା କଳାକୁ ଶିକ୍ଷା ସହ ଯୋଡ଼ିବା। ଏହି ଲକ୍ଷ୍ୟ ନେଇ ନୂଆପିଢ଼ି ଆଗେଇଲେ ନୃତ୍ୟର ଆଦୃତି ଆହୁରି ବଢ଼ିବ।
କେଉଁ କଥା ଆପଣଙ୍କୁ ‘ସୋ ମେନି ଜର୍ଣ୍ଣି’ ଲେଖିବା ପାଇଁ ପ୍ରବର୍ତାଇଥିଲା ?
ଆମ ନୃତ୍ୟର ପରିବେଶ, ଦର୍ଶକ, ନୃତ୍ୟଶିଳ୍ପୀ ଓ ନୃତ୍ୟର ବଦଳୁଥିବା ଧାରା ଏହି ପୁସ୍ତକର ସାରକଥା। ଲାଇଟ୍‌, ସାଉଣ୍ଡ୍‌, ଦର୍ଶକଙ୍କ ନୃତ୍ୟ ଉପଭୋଗ କରିବାର ମନୋବୃତ୍ତି ଏବଂ କ୍ରିଟିକ୍‌କୁ ନେଇ ଲେଖିବାକୁ ଚେଷ୍ଟା କରିଛି। ମନୋରଂଜନର ମାଧ୍ୟମ ବଦଳି ଯାଇଛି। ତେଣୁ ସେହି ଦୁନିଆ ସହ ଆମକୁ ଚାଲିବା ପାଇଁ ମୋର ଏ ପୁସ୍ତକ।

ସମ୍ବନ୍ଧିତ ଖବର