ଗୀତଗୋବିନ୍ଦ ସଦନର ବିକଳାଙ୍ଗ ସ୍ଥିତି

ପାର୍କିଂ ନେଇ ଗୁରୁତର ସମସ୍ୟା, ସାଉଣ୍ଡ୍ ନାହିଁ କି ଲିଫ୍ଟ ନାହିଁ

ଭୁବନେଶ୍ବର: ପ୍ରେକ୍ଷାଳୟର ଅଭାବ ପୂରଣ ପାଇଁ ଜୟଦେବ ଭବନ ପରିସରରେ ନିର୍ମାଣ ହେଲା ‘ଗୀତଗୋବିନ୍ଦ ସଦନ’। କାମ ସାରିବାକୁ ସାଢ଼େ ଚାରି ବର୍ଷ ବିଳମ୍ବ ହେଲା। ନିର୍ଦ୍ଧାରିତ ବ୍ୟୟ ଅଟକଳରୁ ବହୁ ଅଧିକ ଖର୍ଚ୍ଚ ହେଲା। ଉଦ୍‌ଘାଟନ ପରେ ବି ୭/୮ ମାସ ଅକାମି ହୋଇପଡ଼ିଲା। ଏତେ ସବୁ ସତ୍ତ୍ବେ ପ୍ରେକ୍ଷାଳୟଟି ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ। ଏବେ ଆୟୋଜକଙ୍କୁ ଏହା ଭଡ଼ାରେ ଦିଆଯାଉଥିଲେ ବି ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ। ଏ ନେଇ ଆୟୋଜକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଉଭୟ ଭୌ‌ଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ବର ସହର ବଢ଼ୁଥିବାରୁ ପ୍ରେକ୍ଷାଳୟର ଆବଶ୍ୟକତା ସବୁ ସମୟରେ ଅନୁଭୂତ ହେଲା। ହାତଗଣତି ୪/୫ଟି ପ୍ରେକ୍ଷାଳୟ ସହରର ଚାହିଦା ପୂରଣ କରିବାରେ ସକ୍ଷମ ହେଲା ନାହିଁ। ଏହାକୁ ଦୃଷ୍ଟିରେ ରଖି ଜୟଦେବ ଭବନ ପଛପଟେ ଥିବା ଖାଲି ଜାଗାରେ ନୂଆ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ହେଲା। ୨୦୧୩ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଦେଢ଼ ବର୍ଷ ଭିତରେ ଏହି ଭବନ ସ˚ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ସରକାରୀ ଭାବେ କୁହାଗଲା। କିନ୍ତୁ ଦେଢ଼ ବର୍ଷ ବଦଳରେ କାମ ସରିବାକୁ ଲାଗିଗଲା ସାଢ଼େ ଚାରି ବର୍ଷ। ପ୍ରଥମ ପର୍ଯ୍ୟାୟରେ ଯେତିକି ବ୍ୟୟବରାଦ କରାଯାଇଥିଲା, ପରବର୍ତ୍ତୀ ସମୟରେ ଅଟକଳ ଅହେତୁକ ଭାବେ ବଢ଼ି ଯାଇଥିଲା। ଏ ନେଇ ସରକାର ସମାଲୋଚିତ ବି ହୋଇଥିଲେ। ଶେଷରେ ଗତ ବର୍ଷ ମାର୍ଚ୍ଚ ୫ ତାରିଖରେ ଏହି ଭବନର ଉଦ୍‌ଘାଟନ କରାଯାଇ ‘ଗୀତଗୋବିନ୍ଦ ସଦନ’ ନାମରେ ନାମିତ କରାଗଲା।

ଏହି ୩ ତଳ ବିଶିଷ୍ଟ ପ୍ରେକ୍ଷାଳୟର ବେସ୍‌ମେଣ୍ଟ୍‌ରେ ପାର୍କିଂ ବ୍ୟବସ୍ଥା, ତଳ ମହଲାରେ ଡାଇନିଂ, ପ୍ରଥମ ମହଲାରେ ସମ୍ମିଳନୀ କକ୍ଷ ଥିବା ବେଳେ ଦ୍ବିତୀୟ ମହଲାରେ ପାଠାଗାର ରହିଛି। ‌କିନ୍ତୁ ଉଦ୍‌ଘା‌ଟନ ପରେ ପ୍ରାୟ ସାତ ମାସ କାହାରିକୁ ଭଡ଼ା ସୂତ୍ରରେ ଦିଆଗଲା ନାହିଁ। କର୍ମଚାରୀ ଅଭାବ, ଲିଫ୍ଟ ଲାଗି ନ ଥିବା ତଥା ସାଉଣ୍ଡ୍ ବ୍ୟବସ୍ଥା କରାଯାଇନଥିବାରୁ ଭଡ଼ାରେ ଦିଆଗଲା ନାହିଁ ବୋଲି କର୍ତ୍ତୃପକ୍ଷ କହିଲେ। କିନ୍ତୁ ସାତ ମାସ ଭିତରେ ଏହି ସମସ୍ୟା ସମାଧାନ କଲେ ନାହିଁ। ବିଭିନ୍ନ ସଂସ୍ଥାରେ ସମ୍ମିଳନୀ କକ୍ଷକୁ ଭଡ଼ା ଦେବା ଆରମ୍ଭ କଲେ। ଏବେ ୧୬୪ ସିଟ୍ ବିଶିଷ୍ଟ ପ୍ରେକ୍ଷାଳୟ ପା‌ଇଁ ସକାଳ ବେଳା ୪ ହଜାର ଟଙ୍କା ଓ ସନ୍ଧ୍ୟାରେ ୫ ହଜାର ଟଙ୍କା ଭଡ଼ା ନିଆଯାଉଛି। ଗୋଟିଏ ସଂସ୍ଥା ପୂରା ଦିନ ପାଇଁ ନେଲେ ୮ ହଜାର ଟଙ୍କା ଦେବାକୁ ପଡ଼ୁଛି। ସରକାରୀ ପ୍ରେକ୍ଷାଳୟ ତୁଳନାରେ ଏହି ଭଡ଼ା କିଛି କମ୍ ନ ଥିଲେ ବି ଆୟୋଜକଙ୍କ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ପ୍ରେକ୍ଷାଳୟରେ ସାଉଣ୍ଡ୍ ବ୍ୟବସ୍ଥା ନ ଥିବାରୁ ବାହାରୁ ଭଡ଼ାରେ ଆଣିବାକୁ ପଡ଼ୁଛି। ପୁଣି ବେସ୍‌ମେଣ୍ଟ୍‌ରେ ପାର୍କିଂ ବ୍ୟବସ୍ଥା ଥିଲେ ବି କର୍ମଚାରୀ ଅଭାବରୁ ତାହାକୁ ବ୍ୟବହାର କରିବାକୁ ଦିଆଯାଉ ନାହିଁ। ଫଳରେ ଗାଡ଼ି ପାର୍କିଂ ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଇଛି। ପୁଣି ସଦନରେ କର୍ମଚାରୀ ନ ଥିବାରୁ ଆୟୋଜକମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ସମସ୍ୟା ହେଲେ ଆୟୋଜକମାନେ କାହାକୁ କହିବେ, ଜାଣିପାରୁ ନାହାନ୍ତି। ଲିଫ୍ଟ ନ ଥିବାରୁ ବୟସ୍କ ଲୋକମାନେ ପ୍ରେକ୍ଷାଳୟକୁ ଯିବାରେ ଅସୁବିଧା ଭୋଗୁଛନ୍ତି। ଅନ୍ୟ ପଟେ ଉପରମହଲାରେ ଥିବା ଲାଇବ୍ରେରି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ ଜୟଦେବ ଭବନର ମ୍ୟାନେଜର ଭବାନୀ ଶଙ୍କର ଭୂୟାଁଙ୍କୁ ‌ଯୋଗାଯୋଗ କରିବାରୁ ସେ କହି‌ଲେ, ଲିଫ୍ଟ ଓ ସାଉଣ୍ଡ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଏହା ଶେଷ ହେବ। ଏଠାରେ ଥିବା ଲାଇବ୍ରେରିରେ ଇ-ଲାଇବ୍ରେରି ବ୍ୟବସ୍ଥା କରାଯାଇଛି। ଜୟଦେବ ଭବନରେ ଥିବା ଲାଇବ୍ରେରି ମଧ୍ୟ ଏଠାକୁ ସ୍ଥାନାନ୍ତର ହେବ। ବର୍ତ୍ତମାନ ସଦନରେ ଜଣେ ମାତ୍ର କର୍ମଚାରୀ ଅଛନ୍ତି। ସେଥିପାଇଁ ବେସ୍‌ମେଣ୍ଟ୍ ପାର୍କିଂ ଖୋଲା ଯାଇ ପାରୁନାହିଁ। କର୍ମଚାରୀ ନିଯୁକ୍ତି ହେଲେ ଏହି ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର