ଭୁବନେଶ୍ୱର: ସାମାଜିକ ନ୍ୟାୟର ଆଲୋଚନାରେ ପ୍ରାୟତଃ ପୁରୁଷମାନଙ୍କୁ ଅଣଦେଖା କରାଯାଉଛି। ଫଳସ୍ୱରୁପ ପୁରୁଷ ନିର୍ଯାତନା ବଢ଼ିବାରେ ଲାଗିଛି। ତେଣୁ ପୁରୁଷମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଏକ ପୁରୁଷ କମିସନ ଗଠନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ବାବା ବଳିଆ। କମିସନ ଗଠନ କରିବାକୁ ଦାବି କରିବା ସହିତ ଆବଶ୍ୟକ ପଡ଼ିଲେ ବହୁ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟରେ ସେ ଏହି ପ୍ରସ୍ତାବ ରଖିବେ। ଏଥିସହିତ ଅବହେଳିତ ବୁଢ଼ା ବାପା ଓ ମା’ଙ୍କ ପାଇଁ ପିତୃମାତୃ କମିସନ ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି। ରେଡ୍କ୍ରସ୍ ଭବନ ପରିସରରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨ରୁ ୬ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ଜ୍ଞାନ ଓ ବିଜ୍ଞାନ ସମ୍ୱଳିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୀତା କଥା’ ପାଇଁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ପଞ୍ଚଦିବସୀୟ କାର୍ଯ୍ୟକ୍ରମରେ ଗୀତାର ମହତ୍ତ୍ୱ, ପରିବେଶ ଓ ଗଣତନ୍ତ୍ରକୁ ଗୁରୁତ୍ୱାରୋପ କରାଯିବ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ ପାଲାଚାର୍ଯ୍ୟ ସୁଦର୍ଶନ ମହାପାତ୍ର, ଶିକ୍ଷାବିତ ସତ୍ୟବ୍ରତ ମୀନକେତନ, ରାଧାଚରଣ ସାମନ୍ତରାୟ, କେଶବ ଚରଣ ସାମଲଙ୍କୁ ସମ୍ୱର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟରେ ପୁରୁଷ କମିସନ ଗଠନ ଉପରେ ବାବା ବଳିଆଙ୍କ ଗୁରୁତ୍ବାରୋପ
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ସ୍ୱାଗତ କମିଟି ଅଧ୍ୟକ୍ଷ ଭାବେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ସେ କହିଥିଲେ, ବାବାଙ୍କର ଗଣତନ୍ତ୍ରର ସୁରକ୍ଷା ପ୍ରତି ଥିବା ସମର୍ପଣ ଭାବକୁ ଜାଣିବା ପାଇଁ ପ୍ରମାଣର ଆବଶ୍ୟକତା ନାହିଁ। ପରିବେଶ, ପରିବାର ଓ ଗଣତନ୍ତ୍ର ମଧ୍ୟରେ ସମନ୍ୱୟ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ପାଇଁ ସମସ୍ତେ କାର୍ଯ୍ୟ କରୁଛନ୍ତି ବୋଲି କହୁଛନ୍ତି। ହେଲେ ଗଣତନ୍ତ୍ରର ସୁରକ୍ଷା ପାଇଁ ଥିବା ଅନୁଷ୍ଠାନଗୁଡ଼ିକ ଧୀରେ ଧୀରେ ଅବକ୍ଷୟ ହୋଇଯାଉଛି। ଗୀତା ହେଉଛି ଗଣତନ୍ତ୍ରର ସୁରକ୍ଷା କବଚ। ତେଣୁ ଏହି କାର୍ଯ୍ୟକ୍ରମ ସମାଜର ମୂଲ୍ୟବୋଧ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ତଥା କାର୍ଯ୍ୟକ୍ରମ ସଂଯୋଜକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦେଇ ବର୍ତ୍ତମାନ ଅବକ୍ଷୟମୁଖୀ ସମାଜରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଅନନ୍ତ ବଳିଆ ଟ୍ରଷ୍ଟ୍ର ଆବାହକ ବାବା ପ୍ରଣବାନନ୍ଦ ଦାସ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/01/BXGIFuZejfsf2p0H7GT1.jpg)