ଭୁବନେଶ୍ବର: ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ନିବେଦିତ ଭାବ ସଂଗୀତ ‘ପ୍ରାୟଶ୍ଚିତ୍ତ’ର ୨ଟି ଗୀତଦୃଶ୍ୟ ଗୁରୁଦ୍ବାର ନିକଟସ୍ଥ ଶ୍ରୀଗଣେଶ ପୂଜାମଣ୍ଡପରେ ଲୋକାର୍ପିତ ହୋଇଛି। ଶିବ ରଥଙ୍କ ଗାଇଥିବା ‘ମୁଁ ମରିଗଲେ ଦୁନିଆ କହିବ ପାପୀଟିଏ ମରିଗଲା.. ଏବଂ ପ୍ରଣବ ପଟ୍ଟନାୟକ ଗାଇଥିବା ‘ହଜିଯିବ ଧନ ଯଉବନ ଚାଲିଯିବ ଦିନେ ଏ ଜୀବନ..ଶୀର୍ଷକ ଗୀତ ଦୁଇଟିକୁ ଗୀତଦୃଶ୍ୟରେ ରୂପାନ୍ତର କରାଯାଇଛି। ସତ୍ୟ ପାଣିଗ୍ରାହୀ ଗୀତ ଲେଖିଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ସଂଗୀତ ନିର୍ଦେଶକ ଯଜ୍ଞ। ପ୍ରିୟାଂଶୁ ପ୍ରିୟଦେବ, ବିକ୍ରମ ଓ ଆର୍ଯ୍ୟା ନୃତ୍ୟ ସଂଯୋଜନା କରିଥିବା ବେଳେ ବାବୁଲି, ରାନୀ, ଅମିତ୍ ଓ ରାଣୀ ଅଭିନୟ କରିଛନ୍ତି। ଗାଳ୍ପିକ ଅଜୟ ସ୍ବାଇଁ, ଅଭିନେତା ସବ୍ୟସାଚୀ, ଲାୟନ ବିପିନ ବିହାରୀ ନାୟକ, ମୁମ୍ବାଇ ଓଡ଼ିଆ ମହାସଂଘ ସଭାପତି ବିପିନ ମିଶ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ପ୍ରଣୟ ଜେଠୀ ପ୍ରମୁଖ ଗୀତଦୃଶ୍ୟକୁ ଲୋକାର୍ପଣ କରିଥିଲେ। ଦେବ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳନା କରିଥିଲେ ବାଳକୃଷ୍ଣ ରାଉତ।