ଗୀତିଛାୟା: ଅବର୍ତମାନରେ ଅକ୍ଷୟଙ୍କୁ ଶୁଣିବାର ଅନୁଭବ

ଭୁବନେଶ୍ୱର: ଅକ୍ଷୟ ମହାନ୍ତିଙ୍କର ଆରମ୍ଭ ଅଛି, କିନ୍ତୁ ଶେଷ ନାହିଁ। ସେ ନିଜେ ରେକର୍ଡ ରଚୁଥିଲେ। ପୁଣି ନିଜ ରେକର୍ଡକୁ ନିଜେ ଭାଙ୍ଗିବାର ନିଶାରେ ଚୂର୍‌ ହେଉଥିଲେ। କଥାରେ କଥାରେ ଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଗୀତ ଲେଖିବାର ଅଧୈର୍ଯ୍ୟ ପଣଠୁ ନେଇ ଲେଖାରେ ଟ୍ରାଜେଡି ଭରି ଦେଇ ଅନ୍ୟକୁ କନ୍ଦାଇବା ପଣର ପରସ୍ତ ପରସ୍ତ ଇତିହାସ ବଖଣା ଚାଲିଥିଲା। ଆଉ ହାରମୋନିୟମ ତାଳେତାଳେ ଗୀତଗୁଡ଼ିକୁ ଅପୂର୍ବ ଲାଳିତ୍ୟ ଦେଇ ପରିବେଷଣ କରୁଥିଲେ ଅକ୍ଷୟ ମହାନ୍ତି। ତାଙ୍କ ଅବର୍ତମାନରେ ବି ଏଭଳି ଭ୍ରମ ସୃଷ୍ଟି ହୋଇଥିଲା ଆଜି ରାଜ୍ୟ ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ। ଆଉ କଥାରେ କଥାରେ ମନ ଓଦା କରିଥିଲେ ଆଉ ଜଣେ ଲବ୍ଧ ପ୍ରତିଷ୍ଠିତ ଗୀତିକାର ଦେବଦାସ ଛୋଟରାୟ। ଅଭୁଲା ସ୍ମୃତିର ଲେନ୍‌ସରେ ସାଇତା ଓଡ଼ିଆ ସଂଗୀତ ଜଗତର ଇତିହାସକୁ ନେଇ ସଂଗ୍ରହାଳୟ ପରିସରରେ ଆୟୋଜିତ ‘ଗୀତିଛାୟା’ର ଉଦ୍‌ଯାପନୀ ଉତ୍ସବରେ ଏମିତି ରେମାଞ୍ଚିତ ହେବାର ଏକ ବିରଳ ଅବସର ଜୁଟିଥିଲା।

ରାଜ୍ୟ ସଂସ୍କୃତି ବିଭାଗ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମରେ ଆଗୋ ଚନ୍ଦ୍ରମଲ୍ଲିକା.., ଆମ ଦୁହିଁଙ୍କର ମରମେ ଜଳୁଛି.., କିଶୋରୀ ପାସୋରି ଦେନା.., ମୁହିଁ ତୋତେ ଭଲ ପାଇବା ଆଗରୁ.., ସ୍ୱର୍ଗ ତୁମ ଇଏ ମୋ ମନ.., ଦୁଃଖ ଏ ଦେହରେ ରହି.., କାଲିର ପ୍ରେମିକା ଆଜି ଦେଖାହେଲେ.., ପରିଚୟ ହେଲା ଆଳାପ ବି ହେଲା.., ତୁମ ପରେ କି ରଖିବି ଭରସା.., ମେରା ଜୀଇଁବାରେ ଆଉ ମରିବାରେ ଫରକ ଦେଖେ ନାହିଁ.. ଭଳି ଅନାଲୋଚିତ ଗୀତଠୁ ନେଇ ସ୍ମୃତି ତୁମେ.. ଓ ଲାଲ ଟୁକଟୁକ୍‌ ଓଠେ..ଭଳି ୧୨ଟି ଗୀତ ଶିଣୁବାକୁ ମିଳିଥିଲା। ଶ୍ରୀ ଛୋଟ୍‌ରାୟ ଅକ୍ଷୟ ମହାନ୍ତିଙ୍କର ଗେଜେଟେଡ୍‌ ଚାମ୍‌ଚା ହେବାର ଅନୁଭୂତି ସହ ତାଙ୍କ ସହ ବିଳମ୍ବିତ ରାତିରେ ରିକ୍ସାରେ ବୁଲିବା ବେଳର ଅନୁଭୂତି ସହ ବେଶ୍‌ ଅନାଲୋଚିତ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଗୀତର ଲେଖନୀ ଶୈଳୀକୁ ତାଳିମାରିବା ପୂର୍ବରୁ ଅନେକଙ୍କ ମୁହଁରୁ ବାହାରି ଆସୁଥିଲା ଓ୍ଵାଃ ଓ୍ଵାଃ..। ମୁଢ଼ି ମିକ୍ସଚରର ମଜା ନେବା ସହ ଅକ୍ଷୟଙ୍କ ଅକ୍ଷୟ ଗୀତଗୁଡ଼ିକୁ ଆକଣ୍ଠ ପାନ କରିଥିଲେ ରସିକ ଶ୍ରୋତାଗଣ। ପ୍ରାରମ୍ଭରେ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‍ ଫୋରମ୍‌ର ସୂର୍ଯ୍ୟ ଦେଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର