ଭୁବନେଶ୍ବର: ଅତି ସୁନ୍ଦର ଭାବେ ବହିଟିଏ ତିଆରି କରାଯାଉଛି। ମାତ୍ର ଯେଉଁ ପିଢ଼ି ତାହାକୁ ଆଦର କରିବା କଥା, ତାଙ୍କୁ ଆମେ ତିଆରି କରିପାରି ନାହେଁ। ବର୍ତ୍ତମାନ ସମୟରେ ସୁନ୍ଦର ବହିଟିଏ ପ୍ରକାଶ କରିବା ଅପେକ୍ଷା ତାହାର ବିତରଣ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦିଆଯିବା ଉଚିତ। ସମୟ ସହ ତାଳ ଦେଇ ଲେଖକ ଓ ପ୍ରକାଶକମାନେ ନୂଆ ବୈଷୟିକ ଜ୍ଞାନକୌଶଳର ସହାୟତା ନେଇ ବହି ବିକ୍ରି ଉପରେ ଧ୍ୟାନ ଦିଅନ୍ତୁ। ଅନ୍ଲାଇନ୍ରେ ବହି ବିକ୍ରି ପ୍ରତି ଧ୍ୟାନ ଦେଲେ ଅଧିକରୁ ଅଧିକ ପୁସ୍ତକ ବିକ୍ରି ହୋଇପାରିବ। ପକ୍ଷୀଘର ପ୍ରକାଶନୀ ପକ୍ଷରୁ ‘ସମ୍ବାଦ ଭବନ’ରେ ଅରବିନ୍ଦ ରାୟଙ୍କ ଗଳ୍ପ ସଂକଳନ ‘ଚନ୍ଦ୍ରକଳାର ଚିଠି’ ଓ ଉପନ୍ୟାସ ‘ଖଟି’କୁ ଲୋକାର୍ପଣ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।
‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଶିକ୍ଷିତ ମଧ୍ୟବିତ୍ତ ମହିଳାମାନେ ହିଁ ପୁସ୍ତକର ପ୍ରକୃତ ଗ୍ରାହକ। ସେମାନଙ୍କ ପାଖରେ ବହି ପଢ଼ିବା ପାଇଁ ସମୟ, ରୁଚି ଓ ସାମର୍ଥ୍ୟ ରହିଛି। ତେଣୁ ସେଭଳି ପାଠକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରକାଶକମାନେ ଅଧିକରୁ ଅଧିକ ଚେଷ୍ଟା କରିବା ଦରକାର। କଥାଶିଳ୍ପୀ ବିଜୟ ନାୟକ କହିଲେ, ଭାଷା, ଘଟଣା ଓ ଚରିତ୍ରକୁ ନେଇ ଲେଖାଯାଇଥିବା ଗଳ୍ପ ପାଠକାଦୃତ ହୋଇଥାଏ। କଥାକାର ଗୌରହରି ଦାସ କହିଲେ, ଲେଖକ ଅରବିନ୍ଦ ରାୟଙ୍କ ଏହି ୨ଟି ପୁସ୍ତକରେ ପାତ୍ର ଉପଯୋଗୀ ଭାଷା, ମଣିଷପଣିଆ କଥା, ଆସ୍ଥା ଓ ବିଶ୍ବାସ ରହିଛି। ଏହି ଅବସରରେ ଗଳ୍ପ ସଂକଳନ ‘ଚନ୍ଦ୍ରକଳାର ଚିଠି’କୁ ସାହିତ୍ୟିକ ଅଜୟ ସ୍ବାଇଁ ଓ ଉପନ୍ୟାସ ‘ଖଟି’କୁ ହିରଣ୍ମୟୀ ମିଶ୍ର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଦେବପ୍ରସାଦ ଦାସ, ଅଜୟ ମହାପାତ୍ର, ଭୀମ ପୃଷ୍ଟି, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, କ୍ଷୀରୋଦ ଦାସ, ଶୁଭଶ୍ରୀ ଲେଙ୍କା, ତନ୍ଦ୍ରାଳସା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପକ୍ଷୀଘର ସଂପାଦକ ବନୋଜ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/39-6.jpg)