ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦିଅ

ଭୁବନେଶ୍ବର: ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା ଦାବିରେ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ଆସୋସିଏସନ୍‌ ପକ୍ଷରୁ ଗୁରୁବାର ୟୁନିଟ୍‌-୨ସ୍ଥିତ ଭାରତୀୟ ମଜଦୁର ସଂଘ ପ୍ରଦେଶ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଂଘର କହିବା କଥା, ଅଙ୍ଗନୱାଡି କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ କରି ଆସୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ କରୁଛନ୍ତି। କରୋନା ମହାମାରୀ ଭଳି ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସରକାରଙ୍କୁ କରୋନା ରୋଗୀଙ୍କ ତଥ୍ୟ ଦେଉଥିଲେ।

ମାତ୍ର ଏଯାବତ୍‌ ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସଂଘ କହିଛି। ତେଣୁ ଅଙ୍ଗନୱାଡି କର୍ମଚାରଙ୍କୁ ମାସିକ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୧୦ହଜାର ଟଙ୍କା ପ୍ରଦାନ, ମିନି ଅଙ୍ଗନୱାଡି କର୍ମଚାରୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ଭାବେ ଘୋଷଣା, ଇପିଏଫ, ଇଏସଆଇସି ଓ ଗ୍ରାଚୁଇଟି ଲାଗୁ କରିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ପ୍ରାଥମିକ ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ, ସହାୟିକାଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଙ୍ଗନୱାଡି କର୍ମୀ ପଦବୀକୁ ପଦୋନ୍ନତି, ସ୍ନାତକରୁ ଅଧିକ ଯୋଗ୍ୟତା ଥିବା କର୍ମଚାରୀଙ୍କୁ ସୁପରଭାଇଜର୍‌ ଭାବେ ପଦୋନ୍ନତି ଦେବାକୁ ସଂଘ ଦାବି କରିଛି। ଏନେଇ ବାରମ୍ବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଉଥିଲେ ହେଁ ସରକାର ଏ ଦିଗ ପ୍ରତି ଧ୍ୟାନ ଦେଉନାହାନ୍ତି। ତେଣୁ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାନେତ୍ରୀ ସୁମିତା ମହାପାତ୍ର, ସଂଗଠନ ସଂପାଦିକା ଅଞ୍ଜଳି ପଟେଲ, ଭାରତୀୟ ମଜୁଦୁର ସଂଘର ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା, କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର