‘ଗିଭ୍‌ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ବର : ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଓ ରୋଗୀଙ୍କ ଜୀବନ ବଞ୍ଚଇବା ପାଇଁ ଓକ୍ରିଜ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଗିଭ୍‌ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନର ଶୁଭାରମ୍ଭ ହୋଇଛି। ଟ୍ରାଫିକ୍‌ ଭିଡ଼ ଭିତରେ ଆମ୍ବୁଲାନ୍ସକୁ ନ ଅଟକାଇବା ପାଇଁ ଲୋକଙ୍କୁ ସଚେତନ କରାଇବା, ପରିବାର, ବନ୍ଧୁ ଓ ପଡେ଼ାଶୀଙ୍କ ମଧୢରେ ସଚେତନତା ସୃଷ୍ଟି, ପ୍ରଭାବଶାଳୀ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରାଇବା ସହ ଶପଥ ପାଠ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନର ଅ˚ଶସ୍ବରୂପ ଓକ୍ରିଜ୍‌ର କର୍ମଚାରୀ ଟି. ଭି ନୀଲିକଣ୍ଠ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ସାକ୍ଷାତ କରି ରୋଗୀଙ୍କ ପାଇଁ ପ୍ରତି ସେକେଣ୍ତ କିଭଳି ଗୁରୁତ୍ବପୂର୍ଣ୍ଣ ଓ ପ୍ରତି ଚାରି ମିନିଟ୍‌ର ବିଳମ୍ବରେ କିଭଳି ଗୁରୁତର ରୋଗୀଙ୍କ ବଞ୍ଚିବାର ସମ୍ଭାବନା ୭୦%ରୁ ୭%କୁ ହ୍ରାସ ପାଇଥାଏ, ତାହା ବୁଝାଇଥିଲେ।

ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି, ଏହା ଏକ ଭଲ କାର୍ଯ୍ୟକ୍ରମ। ଆମ୍ବୁଲାନ୍ସକୁ ବାଟ ଛାଡ଼ିବା, କେବେ ବି ତାହାର ପଥ ନରୋକିବା ପାଇଁ ଅଧିକରୁ ଅଧିକ ଲୋକମାନଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ସ୍କୁଲ୍‌ର ନିର୍ଦେଶକ ନଲିନ୍‌ ଶ୍ରୀବାସ୍ତବ କହିଛନ୍ତି, ଗତ ମାର୍ଚ୍ଚରେ ଏହି ଅଭିଯାନକୁ କ୍ରିକେଟ୍‌ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୫୦ ଛାତ୍ରଛାତ୍ରୀ ଲୋକମାନଙ୍କ ମଧୢରେ ସଚେତନତା ସୃଷ୍ଟି କରିବାକୁ ଆଗେଇ ଆସିଥିଲେ। ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ଉତ୍ସାହର ସହ ଅଭିଯାନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର