‘ସମ୍ବାଦ’ କାର୍ଯ୍ୟାଳୟରେ ଗ୍ଲୁକୋମା ସପ୍ତାହ ପାଳିତ

ଭୁବନେଶ୍ୱର : ମାର୍ଚ୍ଚ ୮ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ବ ଗ୍ଲୁକୋମା ସପ୍ତାହ ଅବସରରେ ଆଜି ‘ସମ୍ବାଦ’ ଭବନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଏସ୍‌ଜି ଚକ୍ଷୁ ଚିକିତ୍ସାଳୟ ଚକ୍ଷୁ ବିଶେଷଜ୍ଞ ଡା. ଦିବ୍ୟାକିଶୋର ଯୋଗ ଦେଇ ଏହି ରୋଗ ସମ୍ବନ୍ଧରେ ସଚେତନ କରାଇଥିଲେ। ମୋତିଆବିନ୍ଦୁ ଅପରେସନ ଦ୍ବାରା ଭଲ ହୋଇ ଯାଉଥିବା ବେଳେ ଏହି ଗ୍ଲୁକୋମା କିନ୍ତୁ ଭଲ ହୋଇ ପାରେନାହିଁ। ସାରା ବିଶ୍ବରେ ଦୃଷ୍ଟିହୀନତାର ୧୦ ପ୍ରତିଶତ ଗ୍ଲୁକୋମା ଯୋଗୁଁ ହୋଇଛି। ତେବେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ସଚେତନ ରହିଲେ ମୂଲ୍ୟବାନ ଆଖିକୁ ସୁରକ୍ଷିତ ରଖି ହେବ ବୋଲି ସେ କହିଥିଲେ। ଏହି ଅବସରରେ ଏଠାରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରରେ କର୍ମଚାରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ‘ସମ୍ବାଦ’ ମହାପ୍ରବନ୍ଧକ (ନ୍ୟୁଜ୍‌) ଅରବିନ୍ଦ ଦାସ ଓ ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କରଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଏସ୍‌ଜି ଚକ୍ଷୁ ହସ୍‌ପିଟାଲର ଅପ୍ଟିମେଟ୍ରିଷ୍ଟ ପଲ୍ଲବୀ ବେହେରା ଓ କାର୍ତ୍ତିକ ପାଢ଼ୀ, ଜନସମ୍ପର୍କ ଅଧିକାରୀ ରାହୁଲ ସାହୁ ଏବଂ ମ୍ୟାନେଜର (ଜନସମ୍ପର୍କ) ଅରବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର