୬ ପ୍ରତିଶତ ରୋଗୀଙ୍କ ଦୃଷ୍ଟିଶକ୍ତି ଚୋରାଇ ନେଇଛି ଗ୍ଲୁକୋମା

ଚିକିତ୍ସାରେ ବାଧକ କରୋନା, ୨ ମାସରେ ଏମ୍ସକୁ ଆସିଥିବା ୫୦ ରୋଗୀ ହେଲେ ଅନ୍ଧ

ଭୁବନେଶ୍ବର: ଗ୍ଲୁକୋମା ଚୋରାଇ ନେଉଛି ଦୃଷ୍ଟିଶକ୍ତି। ରାଜ୍ୟରେ ୬ ପ୍ରତିଶତ ବ୍ୟକ୍ତିଙ୍କ ଅନ୍ଧତ୍ବର କାରଣ ସାଜିଛି ଏହି ରୋଗ। ମୋତିଆବିନ୍ଦୁ ପରେ ଗ୍ଲୁକୋମାରେ ସର୍ବାଧିକ ବ୍ୟକ୍ତି ପୀଡ଼ିତ ହେଉଛନ୍ତି। ୪୦ ବର୍ଷ ପରେ ନିୟମିତ ଚକ୍ଷୁ ପରୀକ୍ଷଣ ଅଭାବରୁ ଏହା ବର୍ତ୍ତମାନ ଗୁରୁତର ହେବାରେ ଲାଗିଛି। ଲକ୍‌ଡାଉନ୍‌ ଏବଂ କରୋନାରେ ଚକ୍ଷୁ ସମସ୍ୟା ଥିବା ବ୍ୟକ୍ତି ଲଗାତାର ୯ମାସ ଧରି ଡାକ୍ତରଖାନା ଆସି ପାରିନବାରୁ ଅନେକ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଛନ୍ତି। ୨ ମାସ ମଧ୍ୟରେ ଏମ୍ସ ଭୁବନେଶ୍ବରକୁ ଆସିଥିବା ୫୦ ଗ୍ଲୁକୋମା ରୋଗୀ ଅନ୍ଧ ହୋଇ ଯାଇଥିବା କହିଛନ୍ତି ଏମ୍ସ ଚକ୍ଷୁ ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ଭାଗବତ ନାଏକ। କେବଳ ଏହି ଗୋଟିଏ ଡାକ୍ତରଖାନାରେ ଏହିଭଳି ସ୍ଥିତି ଥିବାବେଳେ ରାଜ୍ୟରେ ଅବସ୍ଥା କଣ ଥିବ ଏଥିରୁ ସ୍ଥିତି ସ୍ପଷ୍ଟ ଅନୁମେୟ।

‘ଓ୍ବାଲ୍ଡ ଇଜ ବ୍ରାଇଟ୍‌, ସେଭ୍‌ ୟୋର ସାଇଟ୍‌’ର ସ୍ଲୋଗାନ ଦେଇ ମାର୍ଚ ୭ ତାରିଖରୁ ଗ୍ଲୁକୋମା ସପ୍ତାହ ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ନଥିବାରୁ ଏହା ଜଟିଳ ହେବାରେ ଲାଗିଛି। ମଧୁମେହ, ଏଡ୍ସ କିମ୍ବା କରୋନାକୁ ନେଇ ଯେମିତି ନିୟମିତ ସଚେତନତା ସୃଷ୍ଟି କରାଯାଇ ଏହାର ମୁକାବିଲା କରାଯାଉଛି; ଗ୍ଲୁକୋମାର ମୁକାବିଲା ପାଇଁ ଲୋକଙ୍କ ମଧ୍ୟରେ ସେହିଭଳି ସଚେତନତାର ଆବଶ୍ୟକ ବୋଲି ଡ.ନାଏକ କହିଛନ୍ତି। ଡ. ନାଏକ ଆହୁରି କହିଛନ୍ତି, ଏମ୍ସ ଭୁବନେଶ୍ବରକୁ ପ୍ରତି ମାସରେ ପ୍ରାୟ ୨୦୦ରୁ ୨୫୦ ଜଣେ ଗ୍ଲୁକୋମା ରୋଗୀ ଆସିଥାଆନ୍ତି। ସିଧାସଳଖ ଏହି ସମସ୍ୟା ନେଇ କେହି ଆସନ୍ତି ନାହିଁ। ବରଂ ଅନେକ ସମୟରେ ରୋଗୀ ମୋତିଆବିନ୍ଦୁ, ମଧୁମେହ, ଦୁର୍ଘଟଣାର ଶିକାର ହୋଇ କିମ୍ବା ଭିନ୍ନ କାରଣ ପାଇଁ ଡାକ୍ତରଖାନାକୁ ଆସିଥିବାବେଳେ ଆଖି ସ୍କ୍ରିନିଂ ବେଳେ ଗ୍ଲୁକୋମା ହୋଇଥିବା ଜଣାପଡ଼େ। ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥାଏ। ଏଥିରେ କେବଳ ଦୃଷ୍ଟିଶକ୍ତି ନୁହେଁ, ଦୃଷ୍ଟିର ପରିସୀମା ମଧ୍ୟ ସଙ୍କୁଚିତ ହୋଇଯାଏ। ଏଥିଯୋଗୁଁ ରୋଗୀ ରାସ୍ତା ଅତିକ୍ରମ ବେଳେ ବାମ, ଡାହାଣ ଦେଖି ନ ପାରି ଦୁର୍ଘଟଣାର ଶିକାର ହୋଇଥାଆନ୍ତି। ଏଥିସହିତ ଚଷମାର ନମ୍ବର ମଧ୍ୟ ବାରମ୍ବାର ବଦଳି ଯାଏ। ଗ୍ଲୁ‌କୋମାର କାରଣ ତ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ମସ୍ତିଷ୍କକୁ ସଂଯୋଗ କରୁଥିବା ଆଖିର ସ୍ନାୟୁ ଶୁଖିଗଲେ ଏହି ରୋଗ ହୁଏ। ଅଧିକାଂଶ ସମୟରେ ରୋଗୀ ଏହା ଜାଣି ପାରେ ନାହିଁ। ରକ୍ତଚାପ ଭଳି ଆଖିର ଚାପ ରହିଥାଏ। ଏହି ଚାପ ବଢିଗଲେ, ସ୍ନାୟୁ ଶୁଖିଯାଏ। ଅଧିକାଂଶ ବ୍ୟକ୍ତିଙ୍କ ସ୍ନାୟବିକ ଚାପ ବେଶି ବଢି ନ ଥିବାରୁ କୌଣସି ପ୍ରକାର ଆଖି କଷ୍ଟ ରୋଗୀ ଜାଣିପାରେ ନାହିଁ ।

ଓଡ଼ିଶା ଏକ ପଛୁଆ ଅଞ୍ଚଳ ହୋଇଥିବାରୁ ଏଠାରେ ଥିବା ୯୦ ପ୍ରତିଶତ ଗ୍ଲୁକୋମା ବିଷୟରେ ଜାଣି ପାରନ୍ତି ନାହିଁ। ଆଖିରେ ଯେତେ ପ୍ରତିଶତ ଗ୍ଲୁକୋମା ହୁଏ, ସେହି ଅନୁସାରେ ଦୃଷ୍ଟିଶକ୍ତି ଚାଲିଯାଏ। ଏହାକୁ ଫେରାଇ ଆଣିବା ସମ୍ଭବ ହୁଏ ନାହିଁ। ଏଥିଯୋଗୁଁ ୪୦ ବର୍ଷରୁ ଊର୍ଧ୍ବ ବ୍ୟକ୍ତି, ମଧୁମେହ ରୋଗୀ, ଅଧିକ ପାଓ୍ବାରର ଚଷମା ପିନ୍ଧୁଥିବା ବ୍ୟକ୍ତି, ପରିବାରର କାହାର ଗ୍ଲୁକୋମା ଥିଲେ ନିୟମିତ ଭାବରେ ଚକ୍ଷୁର ଚାପର ପରୀକ୍ଷା କରାଇଲେ, ଏହି ରୋଗର ମୁକାବିଲା ସମ୍ଭବ ହେବ ବୋଲି ଡ.ନାଏକ କହିଛନ୍ତି। ଏହା ଏଭଳି ରୋଗ ଯେଉଁଥିରେ ଥରେ ଏହା ହେଲା ପରେ ଦୃଷ୍ଟିଶକ୍ତି ଫେରାଇବା ସମ୍ଭବ ହୁଏ ନାହିଁ। ଲୋକେ ନିୟମିତ ଆଖି ସ୍କ୍ରିନିଂ କରାଇ ଦୃଷ୍ଟିହୀନତାର ମୁକାବିଲା କରନ୍ତୁ ବୋଲି ଚକ୍ଷୁ ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର