ଗଡ଼ଚାରିପଡ଼ାରେ ରାଜତନ୍ତ୍ରର ଝଲକ, ଅଭିଷିକ୍ତ ହେଲେ ନୂଆ ସାଆନ୍ତ

ବାଲିପାଟଣା: ଏବେ ଆଉ ରାଜତନ୍ତ୍ର ନାହିଁ। ରାଜାଙ୍କ ଶାସନ ବି ନାହିଁ। କିନ୍ତୁ ଲୋକେ ରାଜାଙ୍କୁ ମାନି ଆସୁଛନ୍ତି। ଏମିତି ଏକ ବିଧି ରହିଆସିଛି ବାଲିପାଟଣା ଗଡ଼ଚାରିପଡ଼ାରେ। ଏଠି ବି ଦେଖିବାକୁ ମିଳେ ରାଜତନ୍ତ୍ରର ଝଲକ। ସେହି ଅନୁସାରେ ଆଜି ନୂଆ ସାଆନ୍ତଙ୍କ ଅଭିଷେକ ଅବସରରେ ଗଡ଼ଚାରିପଡ଼ା ଗାଁ ଉତ୍ସବମୁଖର ହୋଇଉଠିଥିଲା। ପ୍ରଥା ଓ ପରମ୍ପରା ଅନୁସାରେ, ଆଜି ପୁରୁଣା ସାଆନ୍ତଙ୍କ ଚତୁର୍ଦଶାହ ଅବସରରେ ନୂଆ ସାଆନ୍ତଙ୍କ ହାତରେ ପାଟ ଖଣ୍ଡା ଦିଆଯିବା ସହ ମୁଣ୍ଡରେ ମୁକୁଟ ପିନ୍ଧାଇ ଅଭିଷେକ ପର୍ବ ସମାହିତ ହୋଇଥିଲା। ୫ ମଠ ଓ ୭ ଗଡ଼ର ଅତିଥିମାନଙ୍କ ଗହଣରେ ଗ୍ରାମଦେବତୀ ପୂଜା କରାଯାଇଥିଲା ଓ ବାଜା, ବାଣ, ରୋଶଣି ଓ ପାଇକ ଆଖଡ଼ା ଖେଳରେ ଗାଁ ପ୍ରକମ୍ପିତ ହୋଇଥିଲା।

ଗ୍ରାମବାସୀଙ୍କ ସୂଚନାନୁସାରେ, ଗଡ଼ଚାରିପଡ଼ା ଏକ କ୍ଷତ୍ରୀୟ ଗାଁ। ପ୍ରାଚୀନ କାଳରୁ ଏହି ଗାଁରେ ସାମନ୍ତ ରାଜା ବିଧି ବ୍ୟବସ୍ଥା ରହିଆସିଛି। ସେ ହିଁ ଗାଁ ମୁଖିଆ ବା ମୁରବି ବୋଲି ବିବେଚିତ ହୋଇଥାଆନ୍ତି। ପରମ୍ପରା ଅନୁସାରେ ଗାଁରେ ଯାହା ଘରେ ବି କିଛି ପର୍ବପର୍ବାଣି ଓ ଯାନିଯାତ୍ରା ହେଲେ, ସାଆନ୍ତଙ୍କୁ ପ୍ରଥମେ ଗୁଆ ନିମନ୍ତ୍ରଣ କରାଯା‌ଏ। ଏମିତିକି ସାଆନ୍ତଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରାଯାଏ। ଗତ ୨୮ ତାରିଖରେ ପୂର୍ବତନ ସାଆନ୍ତ ବଂଶୀଧର ପାଲଟାସିଂଙ୍କ ଦେହାନ୍ତ ହୋଇଥିଲା। ଆଜି ଥିଲା ଚତୁର୍ଦଶାହ କାର୍ଯ୍ୟକ୍ରମ। ପ୍ରଥା ଓ ପରମ୍ପରା ଅନୁଯାୟୀ ତାଙ୍କ ବଡ଼ ପୁଅ ବିଜୟ କୁମାର ପାଲଟାସିଂଙ୍କୁ ଆଜି ଗାଦିରେ ବସାଯାଇଛି। ବିଧି ଅନୁସାରେ ଆଜି ମଧ୍ୟାହ୍ନରେ ସାଆନ୍ତଙ୍କ ଘରେ ବେଦୀରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

ଗୁରୁଗାଦି ମଠ, ବଡ଼ ମଠ, ଅନ୍ତର୍ବେଦି ମଠ, ଦିୱାନ ପାଟଣା ବଡ଼ ମଠ, ଧ୍ୟାନୀ ଦାସ ମଠର ମହନ୍ତ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ଓ ହୋମ କରିଥିଲେ। ପ‌ରେ ପରେ ନୂଆ ସାଆନ୍ତଙ୍କ ହାତରେ ପାଟ ଖଣ୍ଡା ପ୍ରଦାନ କରାଯିବା ସହ ମୁଣ୍ଡକୁ ମୁକୁଟ ବା ପଗଡ଼ି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୭ ଗଡ଼ ଯଥା ଭଅଁରାଗଡ଼, ଶ୍ରୀରାମପୁରଗଡ଼, ବେଙ୍ଗବତୀ ଗଡ଼, ଝିଙ୍କିରିଆ ଗଡ଼, ଗଙ୍ଗେଶ୍ୱର ଗଡ଼, ଆମେଣାକୁଦ ଗଡ଼ ଏବଂ ପଦନପଦା ଗଡ଼ରୁ କ୍ଷତ୍ରୀୟ ଭାଇମାନେ ନିମନ୍ତ୍ରଣ ରକ୍ଷା କରି ଉପସ୍ଥିତ ଥିଲେ। ସୁସଜ୍ଜିତ ଯାନରେ ନୂଆ ସାଆନ୍ତଙ୍କୁ ଗାଁ ପରିକ୍ରମାରେ ନିଆଯାଇଥିଲା। ସେ ପ୍ରଥମେ ଗ୍ରାମଦେବତୀ ମା’ ଭାକେଶ୍ୱରୀଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଥିଲେ। ସେଠାରୁ ଯାଇ ଗୁରୁଗାଦି ଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗାଁର କାହ୍ନୁଚରଣ ପାତ୍ର, ମାନସ ପାତ୍ର, ଲକ୍ଷ୍ମୀଧର ପାତ୍ର, ପ୍ରକାଶ ପାତ୍ର, ସୁଧୀର ପାତ୍ର, ପିଣ୍ଟୁ ପାତ୍ର, ସଂଜୀବ କୁମାର ରାୟ, ପପୁ ପାତ୍ର ତଥା ଗ୍ରାମବାସୀମାନେ ବିଶେଷ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର