ପ୍ୟାରିସ୍‌ ମ୍ୟୁଜିୟମ୍‌‌ରେ ଚମକିଲା ଚାର୍‌କୋଲ୍‌ ଚିତ୍ରକଳା

ବାଲିପାଟଣା‌ ମାଟିର ଗର୍ବ ଶାଶ୍ବତୀ

ବାଲିପାଟଣା: ପ୍ୟାରିସ୍ ମ୍ୟୁଜିୟମ୍ ଅଫ୍ ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ଝଲସିଛି ବାଲିପାଟଣାର ଝିଅ ଶାଶ୍ବତୀଙ୍କ ହାତର ଯାଦୁ। ୧୭୬ ଦେଶର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଶାଶ୍ବତୀ ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ତାଙ୍କ ଚିତ୍ରକଳା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ଆର୍ଟ ଗ୍ୟାଲେରିରେ ସ୍ଥାନିତ ହୋଇଛି। ନଖରାସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ଶାଶ୍ବତୀଙ୍କ ଚାର୍‌କୋଲ୍‌ ପ୍ରସ୍ତୁତ ଚିତ୍ରକଳା ସମଗ୍ର ଏବେ ବିଶ୍ବ କଳାଜଗତର ଆକର୍ଷଣ ପାଲଟିଛି। ଏହି କୃତିତ୍ବ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଶାଶ୍ବତୀଙ୍କୁ ଶୁଭେଚ୍ଛା ଜଣାଇଦିଆଯାଇଛି ଏବଂ ଖୁବ୍‌ ଶୀଘ୍ର ତାଙ୍କୁ ମନ୍ତ୍ରାଳୟ ପକ୍ଷରୁ ବି ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି। ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବାଲିପାଟଣାରେ ଖୁସିର ଲହରି ଖେଳିଯାଇଛି।

ଚଳିତ ବର୍ଷ ଆୟୋଜିତ ଜାତୀୟ ପ୍ୟାରିସ୍‌ ଆର୍ଟ ପ୍ରତିଯୋଗିତାରେ ମୋଟ ୧୭୬ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗତ ୮ ତାରିଖରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଶାଶ୍ବତୀ ଚାର୍‌କୋଲରେ ଚିତ୍ର ଆଙ୍କିଥିଲେ। ଏହି ଚିତ୍ରକଳା ପଦ୍ଧତି ବହୁ ପ୍ରାଚୀନ ଓ କଷ୍ଟକର। କଳାଧଳା ରଙ୍ଗର ଏହି ଚିତ୍ର ଆଙ୍କିବା ପାଇଁ ଚାର୍‌କୋଲ୍‌(ବିଶୁଦ୍ଧ କୋଇଲା ବା ଅଙ୍ଗାର)ରେ ତିଆରି ପେନ୍‌ସିଲ୍‌ ବ୍ୟବହାର ହୋଇଥାଏ। ପୁଣି ଥରେ ଆଙ୍କିବା ପରେ ତାକୁ ଲିଭାଇ ହୁଏନାହିଁ। ପେନ୍‌ସିଲକୁ ଘଷିଘଷି ଚିତ୍ରକୁ ଜୀବନ୍ତ କରିବାକୁ ପଡ଼େ। ତେବେ ଚିତ୍ରକଳାରେ ନିପୁଣା ଶାଶ୍ବତୀ ଏଥିରେ ସଫଳ ହୋଇଛନ୍ତି। ବଡ଼ କଥା ହେଉଛି, ଶାଶ୍ବତୀଙ୍କ ଚିତ୍ରରେ ସ୍ଥାନ ପାଇଥିଲା କରୋନାର କାରୁଣ୍ୟ। ଶାଶ୍ବତୀଙ୍କ କହିବା କଥା ମହାମାରୀ କରୋନା ସମୟରେ ସେ ବାପାଙ୍କ ସହ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ଯାଉଥିଲେ। ସେତେବେଳେ ତାଙ୍କ ଆଖିରେ ପଡ଼ିଥିଲା ଭୋକିଲା ବୃଦ୍ଧଙ୍କ ବିକଳ ଚିତ୍ର। ଏହାକୁ ସେ ଏହି ପ୍ରତିଯୋଗିତାରେ ଆଙ୍କିଥିଲେ। ବିଶ୍ବସ୍ତରୀୟ ଏହି ପ୍ରତିଯୋଗିତାରେ ତାଙ୍କୁ ପ୍ରଥମ ସ୍ଥାନ ମିଳିଥିବାରୁ ସେ ବେଶ୍ ଖୁସି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ବାଲିପାଟଣା ବ୍ଲକ୍‌ ତୁରିନ୍ତିରା ପଞ୍ଚାୟତ ଦୋରବାଙ୍ଗ ଗ୍ରାମର ବିଭୁ ଭୂଷଣ ସାହୁ ଓ ନମିତା ସ୍ୱାଇଁଙ୍କ ଝିଅ ଶାଶ୍ବତୀଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ଆଜି ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ୟାରିସ୍‌ରୁ ଆସିଥିବା ପ୍ରମାଣପତ୍ର, ମେଡାଲ ଓ ଟ୍ରଫି ତାଙ୍କୁ ପ୍ରଦାନ କରାଯାଇଛି। ଖୁବ୍‌ ଶୀଘ୍ର ତୁରିନ୍ତିରା ପଞ୍ଚାୟତ ମଧ୍ୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ତାଙ୍କୁ ସମ୍ପର୍ଦ୍ଧନା ଦେବ ବୋଲି ଜଣାପଡ଼ିଛି। ବାପା ବିଭୁ ଭୂଷଣ (ଅଡିଟର) ଓ ମା’ ନମିତା(ଶିକ୍ଷୟିତ୍ରୀ)ଙ୍କ ପ୍ରେରଣା ଓ ଚିତ୍ରକଳାରେ ନିଜର ରୁଚି ରଖିଥିବା ଶାଶ୍ବତୀ ପୂର୍ବରୁ ଏଭଳି ବହୁ ଜାତୀୟସ୍ତର ପ୍ରତିଯୋଗିତାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର