ଚନ୍ଦ୍ରଶେଖରପୁର, ୨/୪ (ଇମିସ): ଗଞ୍ଜା ଲଢ଼େଇରେ ଲାଗୁନି ରୋକ୍‌। ଆଗରୁ ଲୁଚାଛପାରେ ଖେଳ ଚାଲୁଥିବା ବେଳେ ଏବେ ଖୁଲମ୍‌ଖୁଲା ଚାଲିଛି। ଶତାଧିକ ଲୋକ ସାମିଲ ହୋଇ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି। ହାରଜିତ୍‌କୁ ନେଇ ଗୋଷ୍ଠୀ-‌ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି। ତା’ରି ପାଖରେ ଜମୁଛି ହାଣ୍ଡିଆ ବେପାର। ହାଣ୍ଡିଆ ପିଇ ଲୋକ ମାତାଲ ହେଉଛନ୍ତି। ଦିନ ଦି’ପହରେ ରାଜଧାନୀ‌ରେ ଏଭଳି ବେଆଇନ କାରବାର ଚାଲିଥିଲେ ହେଁ ପୁଲିସ୍‌ ଦେଖି ନଦେଖିଲା ପରି ହେଉଛି। ଗଞ୍ଜା ଲଢ଼େଇ ସ୍ଥାନଠାରୁ ମାତ୍ର ୧୦୦ ମିଟର ଦୂରରେ ପୁଲିସ୍‌ ଭ୍ୟାନ୍‌ ପଇଁତରା ମାରିବା ସହ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛି। କିନ୍ତୁ ଏହାକୁ ଅଟକାଇବାକୁ କୌଣସି ପଦକ୍ଷେପ ନେଉନି। ଭରତପୁର ଜଙ୍ଗଲକୁ ଲାଗି ରହିଥିବା ସାଲିଆସାହି ହାତିଆଶୁଣି ପଡ଼ିଆରେ ଆଜି ପୁଣିଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ପାଖାପାଖି ୨ ସପ୍ତାହ ତଳେ ଗଞ୍ଜା ଲଢ଼େଇ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୈତ୍ରୀବିହାର ଥାନା ପୁଲିସ୍‌ ଚଢ଼ଉ କରି ଖେଳ ବନ୍ଦ କରାଇଥିଲା। କିନ୍ତୁ ଏବେ ପୁଣିଥରେ ଖୁଲମ୍‌ଖୁଲା ଖେଳ ଆରମ୍ଭ ହୋଇଯାଇଛି।

ପୂର୍ବଥର ତୁଳନାରେ ଏଥର ଖେଳର ଆକାରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କଣ୍ଟାଝଟା ବଦଳରେ ଗଞ୍ଜା ଲଢ଼େଇ ହେଉଥିବା ସ୍ଥାନର ଚାରିପାଖରେ ପ୍ଲାଷ୍ଟିକ୍‌ ଜାଲ୍‌ ଦିଆଯାଇଥିଲା। ଭିତରେ ଚିହ୍ନଟ ହୋଇଥିବା ସ୍ଥାନ(ପାଳା)ରେ ନିଜ ଗଞ୍ଜାକୁ ଛାଡ଼ିବା ପରେ ଆରମ୍ଭ ହେଉଥିଲା ଲଢ଼େଇ। ଦୁଇଟି ଗଞ୍ଜା ପରସ୍ପରକୁ ଆକ୍ରମଣ କରୁଥିଲେ। ମାତ୍ର ଦୁଇରୁ ତିନି ମିନିଟ୍‌ ମଧ୍ୟରେ ଗୋଟିଏ ମାଟିରେ ଲୋଟି ପଡ଼ୁଥିଲା। ଏମିତି ଭାବେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୬ଟା ୨୦ଭିତରେ ପାଖାପାଖି ୧୫ ଗଞ୍ଜାର ଜୀବନ ଯାଇଥିଲା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।

କଥାକଥାକେ ଗଣ୍ଡଗୋଳ
ଚାଲିଛି ବେଧଡ଼କ ହାଣ୍ଡିଆ ବେପାର
ଦେଢ଼ଘଣ୍ଟାରେ ମରିଗଲେ ୧୫ ଗଞ୍ଜା
ପୁଲିସ ନେଉଛି ହାତଗୁଞ୍ଜା!

ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଯେ ଗଞ୍ଜା ଲଢ଼େଇ ନାଁରେ ଏଠାରେ ବେଟିଂ ଚାଲୁଛି। ଭିତରେ ଗଞ୍ଜା ଲଢ଼େଇ ଚାଲିଥିବା ବେଳେ ବାହାରେ ଉପସ୍ଥିତ ଥିବା ଦର୍ଶକ ନିଜ ପସନ୍ଦର ଗଞ୍ଜା ସପକ୍ଷରେ ବାଜି ଲଗାଉଥିଲେ। ସର୍ବନିମ୍ନ ୧୦୦ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବାଜି ଲାଗୁଥିଲା। ବାଜି ଜିତୁଥିବା ଦଳ ଅପରପକ୍ଷଠାରୁ ଦୁଇ ଗୁଣା ଅର୍ଥ ନେଉଥିଲା। ତେବେ ଏହାକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତତର୍କ, ଗଣ୍ଡଗୋଳ ବି ହେଉଥିଲା। ଆଜି ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ପାଖାପାଖି ୪ଥର ଗଣ୍ଡଗୋଳର ଦୃଶ୍ୟ ସାମ୍ନାକୁ ଆସିଥିଲା।

publive-image

ଗଞ୍ଜା ଲଢ଼େଇ ସ୍ଥାନଠାରୁ ମାତ୍ର ୫୦ମିଟର ଦୂରରେ ପୁଲିସର ପିସିଆର୍‌ ଭ୍ୟାନ୍‌ ଉପସ୍ଥିତ ରହିଥିବାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ପିସିଆର୍‌ ଭ୍ୟାନ୍‌ରେ ୩ଜଣ କର୍ମଚାରୀ ବସି ରହିଥିଲେ। ସେଥିରେ ଜଣେ ମହିଳା କର୍ମଚାରୀ ମଧ୍ୟ ଥିଲେ। ପାଖାପାଖି ୨୦ମିନିଟ୍‌ ଧରି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଗାଡ଼ିରୁ ଓହ୍ଲାଇ ନଥିଲେ କି ଉକ୍ତ ସ୍ଥାନକୁ ଯାଇ ନଥିଲେ। ହାତଗୁଞ୍ଜା ନେଇ ଏଭଳି ଗଞ୍ଜା ଲଢ଼େଇକୁ ପୁଲିସ୍ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

୨୦୧୭ ମସିହାରେ ରାଜଧାନୀରେ ଗଞ୍ଜା ଲଢ଼େଇକୁ କମିସନରେଟ୍‌ ପୁଲିସ ବେଆଇନ ଘୋଷଣା କରିଥିଲା। ଏହା ସତ୍ତ୍ବେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ, ତାହା ସନ୍ଦେହ ସୃଷ୍ଟି କରୁଛି। ଗଞ୍ଜା ଲଢ଼େଇ ହେଉଥିବା ସ୍ଥାନଠାରୁ ମାତ୍ର ଗୋଟିଏ କିମି ଦୂରରେ ମୈତ୍ରୀବିହାର ଥାନା ରହିଥିଲେ ମଧ୍ୟ ପୁଲିସ ଅଧିକାରୀମାନେ କାହିଁକି ଚଢ଼ଉ କରୁନାହାନ୍ତି, ତାହା ବୁଝା ପଡ଼ୁନାହିଁ।