ସଫଳତା ପାଇଁ ଗତାନୁଗତିକ ଧାରାରୁ ଊର୍ଦ୍ଧ୍ବକୁ ଯାଅ: ସୌମ୍ୟ

‘ସ୍କନ୍ଦ ପୁରାଣ’ର ସଂକ୍ଷିପ୍ତ ଗଦ୍ୟ ରୂପାନ୍ତର ଉନ୍ମୋଚିତ

ଭୁବନେଶ୍ବର: ‘ସ୍କନ୍ଦ ପୁରାଣ’ର ସଂକ୍ଷିପ୍ତ ଗଦ୍ୟ ରୂପାନ୍ତର ପୁସ୍ତକ ଆଜି ‘ସମ୍ବାଦ’ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଦ୍ୟା ପବ୍ଲିସିଂ, କାନାଡ଼ା ଦ୍ବାରା ପ୍ରକାଶିତ ଏହି ପୁସ୍ତକକୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରି କହିଲେ, ଗତାନୁଗତିକ ଧାରାରୁ ଊର୍ଦ୍ଧ୍ବକୁ ଯାଇ କିଛି ନୂଆ କାମ କଲେ ବିଶେଷ ସଫଳତା ମିଳିପାରିବ। ପ୍ରକାଶନୀ ସଂସ୍ଥାର ତନ୍ମୟ ପଣ୍ଡା ଓ ସୁନନ୍ଦା ମିଶ୍ର ପଣ୍ଡା ପ୍ରବାସରେ ରହି ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି, ତାହା ଦ୍ବାରା ବିଦେଶରେ ଓଡ଼ିଆ ଭାଷା ଓ ସଂସ୍କୃତିର ବ୍ୟାପକ ପ୍ରଚାରପ୍ରସାର ହୋଇପାରୁଛି। ଜାତି ତଥା ଭାଷା ପାଇଁ ବିଦେଶରେ ରହୁଥିବା ପ୍ରତିଟି ଓଡ଼ିଆ ଏଭଳି କାମ କରିବା ଉଚିତ ବୋଲି ସେ କହିଥିଲେ। ଏହି ପୁସ୍ତକ ମାଧ୍ୟମରେ ଜଗନ୍ନାଥଙ୍କ ମାହାତ୍ମ୍ୟଗୁଡ଼ିକୁ ଶିକ୍ଷିତ ବର୍ଗଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିବାରୁ ପୁସ୍ତକର ଲେଖକ ପ୍ରଫେସର୍‌ ହରେକୃଷ୍ଣ ଶତପଥୀଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥ‌ିଲେ। ଏହାଦ୍ବାରା ଜଗନ୍ନାଥ ସଂସ୍କୃତିର ଉନ୍ନତି ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ପୁସ୍ତକର ରଚୟିତା ଶ୍ରୀ ଶତପଥୀ କହିଲେ, ଜଗନ୍ନାଥଙ୍କ ବିଷୟରେ ଅନେକ ପୁସ୍ତକ ରଚନା କରାଯାଇଛି। ହେଲେ ସବୁଠାରୁ ପ୍ରାଚୀନ ଏବଂ ଅନ୍ୟତମ ହେଉଛି ସ୍କନ୍ଦ ପୁରାଣ। ଏଥିରେ ଥିବା ଚାରିଗୋଟି ଖଣ୍ଡ ମଧ୍ୟରୁ ପୁରୁଷୋତ୍ତମ ମାହତ୍ମ୍ୟ ବା ଉତ୍କଳ ଖଣ୍ଡରେ ଓଡ଼ିଶା ଏବଂ ଜଗନ୍ନାଥଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥିରେ ଜଗନ୍ନାଥଙ୍କ ରୀତିନୀତି, ମନ୍ଦିର ନିର୍ମାଣ, ସହସ୍ର ଅଶ୍ବମେଧ ଯଜ୍ଞ, ନୀଳମାଧବଙ୍କ ଅନ୍ତର୍ଧ୍ୟାନ, ଚତୁର୍ଦ୍ଧା ମୂର୍ତ୍ତି, ଗୁଣ୍ଡିଚା ମନ୍ଦିରରେ ମହାବେଦୀରେ ଆବିର୍ଭାବ, ରଥଯାତ୍ରା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଆଦି ସମ୍ପର୍କରେ ଉଲ୍ଲେଖ ରହିଛି। ଏହାର ଗଦ୍ୟ ଅନୁବାଦ ପ୍ରଥମେ ଚୈତନ୍ୟ ଚରଣ ଦାସ କରିଥିଲେ। ଏବେ ଜଗନ୍ନାଥଙ୍କ ବିଷୟରେ ଅନେକ ଲୋକ କପୋଳକଳ୍ପିତ କାହାଣୀମାନ କହୁଛନ୍ତି। ଲୋକଙ୍କୁ ଠିକ୍ କଥା ଜଣାଇବା ପାଇଁ ସ୍କନ୍ଦ ପୁରାଣର ସଂକ୍ଷିପ୍ତ ସାର ପ୍ରସ୍ତୁତ କରାଯାଇଛି।

କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବା ପାଇଁ ଇଣ୍ଟରନେଟ୍‌ରେ ଆବଶ୍ୟକ ତଥ୍ୟ ନାହିଁ। ତେଣୁ ଏହାର ସଂସ୍କୃତରୁ ଓଡ଼ିଆ ଭଳି ଇଂରାଜୀ ରୂପାନ୍ତରଣର ମଧ୍ୟ ଆବଶ୍ୟକତା ରହିଛି। ନୂଆ ପିଢ଼ି ପାଇଁ ଏହା ନିତାନ୍ତ ଜରୁରୀ। କାର୍ଯ୍ୟକ୍ରମରେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଓ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ପ୍ରକାଶନୀ ସଂସ୍ଥାର ତନ୍ମୟ ପଣ୍ଡା ପ୍ରମୁଖ ପ୍ରକାଶିତ ପୁସ୍ତକ ଏବଂ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାରପ୍ରସାର ଦିଗରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟ‌ରେ ସଂଜୟ ପାତ୍ର, ଲେଖକ କ୍ଷୀ‌ରୋଦ ପରିଡ଼ା, ଲେଖିକା ସୁନନ୍ଦା ପ୍ରଧାନ ଓ ବାସନ୍ତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର