ରାସ୍ତାକଡ଼ରୁ ବାପଘର

ସରିଲା ଶାନ୍ତି ସାହାଙ୍କ ୧୪ ବର୍ଷର ବନବାସ

ଖଣ୍ଡଗିରି: ରାସ୍ତାକଡ଼ରୁ ମିସନ୍‌ ଆଶ୍ରା। ପୁଣି ମିସନ୍‌ ଆଶ୍ରାରୁ ବାପଘର। ଦୀର୍ଘ ୧୪ ବର୍ଷ ବନବାସର ଏକ ଲମ୍ବା ଯାତ୍ରା। ଏହି ବନବାସ ପରେ ଶାନ୍ତି ସାହା(୪୫) ଫେରିଛନ୍ତି ବାପଘର। ମାନସିକ ବିକାରଗ୍ରସ୍ତ କାରଣରୁ ଘର ଛାଡ଼ି ରାସ୍ତାକଡ଼ରେ ବୁଲୁଥିବା ଶାନ୍ତି ମିସନ୍‌ ଆଶ୍ରାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଶ୍ୱଶୁର ଘର ଠିକଣା ହଜି ଯାଇଥିଲେ ବି ବାପଘରେ ତାଙ୍କୁ ମିଳିଛି ଆଶ୍ରୟ। ସ୍ୱାମୀ ଓ ପିଲାଛୁଆ ତାଙ୍କୁ ଭୁଲି ଯାଇଥିଲେ ବି ବାପଘରର ଲୋକେ ତାଙ୍କୁ ଆଦରି ନେଇଛନ୍ତି। ଜନ୍ମମାଟିରେ ଘଟିଛି ପୁର୍ନମିଳନ ଓ ନୂତନ ଜୀବନ। ଖାଲି ଶାନ୍ତି ନୁହଁନ୍ତି, ତାଙ୍କ ସହ ମିସନ୍‌ ଆଶ୍ରାରେ ରହୁଥିବା ଅନ୍ତେବାସୀ ହସିନା ବିବି(୩୨), ଆଲିଆ ଖାତୁନ୍‌(୪୨) ଓ ଅର୍ପନା ବିବି(୪୫) ମଧ୍ୟ ମିସନ୍‌ ଆଶ୍ରାରୁ ଘରକୁ ଫେରିଛନ୍ତି। ଏହି ୪ ମହିଳାଙ୍କ ଘରବାହୁଡ଼ା ମିସନ୍‌ ଆଶ୍ରାରେ ଏକ ବଡ଼ ଧରଣର ଆଶ୍ୱସ୍ତି ଆଣି ଦେଇଛି।
ରାଜଧାନୀ ଉପକଣ୍ଠ ଯାଁଳାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍‌ସ ଫୋରମ୍‌ର ‘ମିସନ୍‌ ଆଶ୍ରା’ରେ ଦୀର୍ଘ ୧୪ ବର୍ଷ କାଳ ରହି ଚିକିତ୍ସିତ ହେଉଥିଲେ ଶାନ୍ତି ସାହା। ମାନସିକ ବିକାରଗ୍ରସ୍ତ ହେବା ପରେ ସେ ଚାଲି ଆସିଥିଲେ ରାସ୍ତାକଡ଼କୁ। ସ୍ୱାମୀ ଓ ବାପଘର ଲୋକେ ବହୁ ଖୋଜାଖୋଜି କରିଥିଲେ ବି ଶାନ୍ତି ମିଳିନଥିଲେ। ପଶ୍ଚିମବଙ୍ଗ ନର୍ଥ ଦମ୍‌ଦମ୍‌ ଚବିଶପ୍ରଗଣାରୁ ଶାନ୍ତି ଚାଲି ଆସିଥିଲେ ଓଡ଼ିଶାର ରାଜଧାନୀକୁ। ରାସ୍ତାକଡ଼ରେ ବୁଲୁଥିବାବେଳେ ପୁଲିସ ତାଙ୍କୁ ଉଦ୍ଧାର କରି ମିସନ୍‌ ଆଶ୍ରାରେ ଛାଡ଼ିଥିଲା। ଦୀର୍ଘ ୧୦ ବର୍ଷର ଚିକିତ୍ସା ପରେ ଶାନ୍ତି ସୁସ୍ଥ ହୋଇଥିଲେ ଓ ଘରର ଠିକଣା କହିଥିଲେ। ମିସନ୍‌ ଆଶ୍ରା ପକ୍ଷରୁ ଯୋଗାଯୋଗ କରାଯିବା ପରେ ସ୍ୱାମୀ କରଛଡ଼ା ଦେଇଥିଲେ। ତେଣୁ ବାପଘର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା। ବାପା ସର୍ବେଶ୍ୱର ସାହା ମୃତ୍ୟୁବରଣ କରି ସାରିଛନ୍ତି। ଭାଇ ଆର୍ଥିକ ଅନାଟନ ଭିତରେ ଗତି କରୁଥିବାରୁ ଭଉଣୀକୁ ନେବା ପାଇଁ ଆଗ୍ରହ ଥିବା ସତ୍ୱେ ଭୁବନେଶ୍ୱର ଆସି ପାରୁନଥିଲେ। ଏଭିତରେ ସେହି ପଶ୍ଚିମବଙ୍ଗରୁ ଆଲିଆ, ହସିନା ଓ ଅର୍ପନା ଅନୁରୂପଭାବେ ମିସନ୍‌ ଆଶ୍ରାରେ ପହଞ୍ଚି ଥିଲେ। ଆଲିଆ ୪ ବର୍ଷ, ହସିନା ୨ ବର୍ଷ ଓ ଅର୍ପନା ୧ ବର୍ଷ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ଶାନ୍ତିଙ୍କ ଭଳି ସେମାନଙ୍କ ବାପଘର ଲୋକେ ବି ଆର୍ଥିକ ସମସ୍ୟା କାରଣରୁ ଭୁବନେଶ୍ୱର ଆସି ସେମାନଙ୍କୁ ନେଇ ପାରିନଥିଲେ। ତେଣୁ ମିସନ୍‌ ଆଶ୍ରାର ଏକ ୪ ଜଣିଆ ଟିମ୍‌ ସମସ୍ତଙ୍କୁ ଧରି ବାହାରିଥିଲା ପଶ୍ଚିମବଙ୍ଗ। ସିଲି ପରିଡ଼ା, ଚିନୁ ରେଡ୍ଡୀ, ଆଦିତ୍ୟ ବାସୁଦେବ ଓ ଜଟାଧାରୀ ସାହୁଙ୍କୁ ନେଇ ଗଠିତ ଟିମ୍‌ ସେମାନଙ୍କୁ ନେଇ ପଶ୍ଚିମବଙ୍ଗ ଯାଇଥିଲା। ୪ ଦିନ ବୁଲି ବୁଲି ସମସ୍ତଙ୍କୁ ବାପଘର ଲୋକଙ୍କ ଜିମା ଦିଆଯାଇଥିଲା। ଘର ଲୋକେ ସେମାନଙ୍କ ହଜିଲା ମଣିଷକୁ ଫେରି ପାଇବାର ସୁଖ ଯେତିକି ଥିଲା, ପୁର୍ନମିଳନ ପାଇଁ ମିସନ୍‌ ଆଶ୍ରାର ଏହି ଟିମ୍‌ ତା’ଠାରୁ ଅଧିକ ଖୁସି ଥିଲା।

ସମ୍ବନ୍ଧିତ ଖବର