ରାଜଧାନୀରେ ‘ଗାଁ ଆମ୍ବ ପସରା’

ଭୁବନେଶ୍ବର : ପ୍ରତିବର୍ଷ ଭଳି ଏଥର ବି ରାଜଧାନୀକୁ ଆସିଛି ଗାଁ ଆମ୍ବ ପସରା। ଗତ ୭ ତାରିଖରୁ ଏହି ପସରା ଖୋଲି ଯାଇଛି। ୧୨ପ୍ରକାରର ସ୍ବାଦିଷ୍ଟ ଆମ୍ବ ନେଇ ପସରା ଖୋଲିଥିବା ଓଡ଼ିଆ ଚାଷୀମାନେ ଏଥର ଭଲ ବେପାର କରିବା ଆଶା କରିଥିଲେ ହେଁ କରୋନା କଣ୍ଟା ସାଜିଛି। ଲକ୍‌ଡାଉନ୍‌ ପାଇଁ ବେପାର ବେଶ୍ ମାନ୍ଦା ଥିବା ଜଣାପଡ଼ିଛି। ତେବେ ସାବିତ୍ରୀ ବ୍ରତ ଉପଲକ୍ଷେ କିଛି ଭଲ ବେପାର ହୋଇଥିବା ଜଣାପଡ଼ିଛି।

ଏଥର ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଓ ସମ୍ବଲପୁର ଅଞ୍ଚଳର ଚାଷୀମାନେ ସେମାନଙ୍କ ଆମ୍ବ ଧରି ଭୁବନେଶ୍ବର ଆସିଛନ୍ତି। ବେପାର ପାଇଁ ଓରମାସ୍‌ ପକ୍ଷରୁ ସେମାନଙ୍କୁ ସବୁପ୍ରକାର ସହଯୋଗ କରାଯାଉଛି। ୟୁନିଟ୍-୮ ଡେଲ୍ଟା ଛକ ନିକଟରେ ୪ଟି ଓ ଚନ୍ଦ୍ରଶେଖରପୁରରେ ଗୋଟିଏ ଷ୍ଟଲ୍ ଖୋଲାଯାଇଛି। ଏହି ସବୁ ଷ୍ଟଲ୍‌ରେ ୧୨ପ୍ରକାରର ଆମ୍ବ ବିକ୍ରି ହେଉଛି। ସୁନ୍ଦରୀ, ଚିତ୍ତାପଲ୍ଲୀ, ବାଇଗଣପଲ୍ଲୀ, ଆମ୍ରପଲ୍ଲୀ, ଦଶେରି, ଲେଙ୍ଗ୍ଡ଼ା, ହିମ୍ ସାଗର, ବମ୍ବେ ଗ୍ରୀନ୍, ମଲ୍ଲିକା, ତୋଟାପଲ୍ଲୀ ଓ ଆଖୁରସ ଭଳି ସୁଆଦିଆ ଆମ୍ବ ମିଳୁଛି। ଆମ୍ବ ଦାମ୍ ୪୦ରୁ ୪୫ଟଙ୍କା ମଧ୍ୟରେ ରହୁଛି। ଚାଷୀ ରଞ୍ଜିତ ବାଗଙ୍କ କହିବା କଥା, ପ୍ରତିବର୍ଷ ଭଲ ବେପାର ହେଉଥିଲା। ଦୈନିକ ଲକ୍ଷଲକ୍ଷ ଟଙ୍କାର ଆମ୍ବ ବିକ୍ରି ହେଉଥିଲା। ଟ୍ରକ୍‌ ଟ୍ରକ୍‌ ମାଲ ଆସୁଥିଲା ଓ ଖୁବ୍‌ଶୀଘ୍ର ସରି ଯାଉଥିଲା। କିନ୍ତୁ ଚଳିତ ବର୍ଷ ଲକ୍‌ଡାଉନ୍‌ ପାଇଁ ସେଭଳି ପରିସ୍ଥିତି ନାହିଁ। ସାବିତ୍ରୀ ଓଷା ପୂର୍ବରୁ ସେ ଦୁଇ କ୍ବିଣ୍ଟାଲ ଆମ୍ବ ବିକିଥିବା କହିଛନ୍ତି। ଗତବର୍ଷ ସାବିତ୍ରୀ ଓ ରଜ ବେଳେ ସେ ଦୈନିକ ୫କ୍ବିଣ୍ଟାଲ ପର୍ଯ୍ୟନ୍ତ ଆମ୍ବ ବିକୁଥିଲେ ବୋଲି ରଞ୍ଜିତ୍ କହିଛନ୍ତି। ସେହିଭଳି ଚାଷୀ ସୁଦାମଙ୍କ କହିବା କଥା, ଓଡ଼ିଶାରେ ପ୍ରଚୁର ପରିମାଣରେ ଆମ୍ବ ଅମଳ ହେଉଛି। କିନ୍ତୁ ବହୁ ସ୍ଥାନରେ ବଜାର ନଥିବାରୁ ଚାଷୀମାନେ ଦଲାଲଙ୍କୁ ଆମ୍ବ ବିକିବାକୁ ବାଧ୍ୟ ହେଉଛନ୍ତି। ଓର୍‌ମାସ୍‌ ସହଯୋଗ କରିବା ଦ୍ବାରା ଏବେ କିଛିଟା ସୁଧାର ଆସିଛି। ପୂର୍ବରୁ ଦଲାଲଙ୍କୁ ୮/୧୦ ଟଙ୍କାରେ ବିକ୍ରି କରୁଥିଲୁ। କିନ୍ତୁ ଓରମାସ ପକ୍ଷରୁ ‘ଗାଁ ଆମ୍ବ ପସରା’ ଅଭିଯାନ ହେବା ଦ୍ବାରା ୪୦/୪୫ ଟଙ୍କାରେ ବିକି ପାରୁଛୁ ବୋଲି ସୁଦାମ କହିଛନ୍ତି। ସୂଚନାଯୋଗ୍ୟ, ୩ ଦିନରେ ୨୫ଜଣ ଚାଷୀଙ୍କଠାରୁ ପ୍ରାୟ ୫୦ ଟନ୍ ଆମ୍ବ ଆସିଥିଲା ଓ ୩୫ଟନ୍ ଆମ୍ବ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର