ଆସୁଛି ରଜ : ଛେଳି,ମେଣ୍ଢା ଚୋରି ବଢ଼ୁଛି, ଦୁଇ ସପ୍ତାହ ମଧ୍ୟରେ ୨୦୦ ‌ନେଇଗଲେଣି

ନିଶା ସ୍ପ୍ରେ କରି ଲୁଟୁଛନ୍ତି

ବାଲିଅନ୍ତା : ଆସୁଛି ରଜ। ତେଣୁ ଏବେଠାରୁ ଛେଳିମେଣ୍ଢାଙ୍କୁ ଟାର୍ଗେଟ୍‌ କଲେଣି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁହାଳରେ ପଶି ଲୁଟି ନେଉଛନ୍ତି ଛେଳିମେଣ୍ଢା। ନିଶା ଔଷଧ ସ୍ପ୍ରେ କରି ଛେଳିମାନଙ୍କୁ ‌ଉଠାଇ ‌ନେଉଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୨ ଶହ ଛେଳିମେଣ୍ଢା ଚୋରି ହୋଇଥିବା ଜଣାପଡ଼ିଛି। ଗରିବ ଚାଷୀମାନଙ୍କ ଏହି ସମ୍ପତ୍ତି ଲୁଟ୍‌ ହେଉଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ ରହୁଥିବାରୁ ସେମାନଙ୍କୁ ଉଚିତ ନ୍ୟାୟ ମିଳୁନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଅନ୍ୟପକ୍ଷରେ ପୁଲିସ ‌ଛେଳି ଚୋର ଗ୍ୟାଙ୍ଗ୍‌କୁ ଠାବ କରିପାରୁନଥିବାରୁ ସେମାନଙ୍କ ଉତ୍ପାତ ବେଳକୁ ବେଳ ବଢ଼ିବାରେ ଲାଗିଛି।

ଅଭିଯୋଗ ଅନୁସାରେ ଗତ ୧୫ ଦିନ ମଧ୍ୟରେ ଲୁଟେରାମାନେ ଅନେକ ଛେଳି ଓ ମେଣ୍ଢାପାଳକଙ୍କ ଗୁହାଳରେ କଳାକନା ବୁଲାଇଛନ୍ତି। ଗୁହାଳଘର ତାଟି କବାଟ ଭାଙ୍ଗି ଛେଳିମେଣ୍ଢାଙ୍କ ମୁହଁରେ ନିଶା ଔଷଧ ‌ସ୍ପ୍ରେ କପ୍ରସେମାନଙ୍କୁ ନିସ୍ତେଜ କରିବା ପରେ ବୋଲେରୋ କିମ୍ବା ଟାଟାଏସ୍‌ ଗାଡ଼ିରେ ଲଦି ନେଇ ପଳାଉଛନ୍ତି। ସୋମବାର ବିଳମ୍ବିତ ରାତିରେ ବାଳକାଟି ଫାଣ୍ଡି ଅଧୀନ ବ୍ରାହ୍ମଣସୁଆଁଲୋ ଗ୍ରାମର ସୁରେନ୍ଦ୍ର କୁମାର ସ୍ବାଇଁଙ୍କ ଗୁହାଳ ତାଟି ଭାଙ୍ଗି ଦୁର୍ବୃତ୍ତମାନେ ୨୦ଟି ମେଣ୍ଢା ଲୁଟି ନେଇଛନ୍ତି। ଏ ବାବଦରେ ସୁରେନ୍ଦ୍ର ମଙ୍ଗଳବାର ପୂର୍ବାହ୍ନରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଅଭିଯୋଗ ପାଇ ପୁଲିସ ଚୁପ୍ ବସିଥିବା ଜଣାପଡ଼ିଛି। ସେହିଭଳି ବିରିବାଟି ଗ୍ରାମର ପ୍ରମିଳା ବେହେରାଙ୍କର ୧୮ଟି ଛେଳି ଲୁଟ୍‌ ହୋଇଥିଲା। ସେ ଏ ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ଦୁର୍ବୃତ୍ତମାନେ ପ୍ରମିଳାଙ୍କ ସମେତ ସବୁ ଛେଳିଙ୍କ ମୁହଁରେ ନିଶା ଔଷଧ ପକାଇ ଏହି ଲୁଟ୍‌ କରିଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଥିଲେ। ବାଲିଅନ୍ତା ଥାନା ନୂଆସାହି ଗ୍ରାମର ନାରାୟଣ ପ୍ରଧାନଙ୍କର ୧୯ଟି ମେଣ୍ଢା ଓ ହାଟସାହିର ଜଟ ବିଶ୍ବାଳଙ୍କର ୪ଟି ମେଣ୍ଢା ଚୋରି ହୋଇଥିଲା। ଗତ ସପ୍ତାହରେ ବିଶୁନିଆପଡ଼ା ଗ୍ରାମର ବାବାଜୀ ପରିଡ଼ାଙ୍କର ୨୩ଟି ମେଣ୍ଢା ଓ ତାଙ୍କ ସାନଭାଇ ସୁକାନ୍ତ ପରିଡ଼ାଙ୍କର ୨୬ଟି ମେଣ୍ଢା , ଚଗୁ ପରିଡ଼ାଙ୍କର ୧୧ଟି ମେଣ୍ଢା ଏବଂ ଭକୁରୀ ବେହେରାଙ୍କର ୬ଟି ମେଣ୍ଢା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ସିଙ୍ଗିରି ଗ୍ରାମର ପ୍ରଶାନ୍ତ ବେହେରାଙ୍କର ୧୪ଟି ମେଣ୍ଢା ଓ ପ୍ରକାଶ ବେହେରାଙ୍କର ୧୨ଟି ମେଣ୍ଢା ଲୁଟ୍‌ ହୋଇଥିବା ନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର