ମେଣ୍ଢା ପରେ ଛେଳି ମଡ଼କ, ବାଲିଅନ୍ତାରେ ଚିନ୍ତା: ସପ୍ତାହରେ ୭୧ ଛେଳି ମୃତ, ଚିକିତ୍ସା‌ କେନ୍ଦ୍ରରେ ତାଲା

ବାଲିଅନ୍ତା: ମେଣ୍ଢା ମଡ଼କ ପରେ ଏବେ ଛେଳି ମଡ଼କ ଘଟଣା ବାଲିଅନ୍ତା ବ୍ଲକ ଅଞ୍ଚଳରେ ଛେଳିମେଣ୍ଢା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଲାଣି। ସପ୍ତାହକ ଭିତରେ ୬୧ ମେଣ୍ଢା ଓ ୭୦ରୁ ଅଧିକ ଛେଳି କୌଣସି ଅଜଣା ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସ୍ଥାନୀୟ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରୋଗ ନିରୁପଣ କରିବାରେ ସକ୍ଷମ ହେଉନଥିବାରୁ ଅଜଣା ରୋଗ ଗାଁରୁ ଗାଁ କୁ ବ୍ୟାପିବାରେ ଲାଗିଛି। ସେଥିରେ ପୁଣି ଗ୍ରାମ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଲୋକେ ବାଳକାଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗତ ସପ୍ତାହରେ କାକରୁଦ୍ରପୁର ପଞ୍ଚାୟତ ଗଣ୍ଡିଲୋ ବେହେରା ସାହିରେ ୬୧ ମେଣ୍ଢା ରୋଗାକ୍ରାନ୍ତ ହୋଇ ମରିଥିଲେ ଓ ଆହୁରି ୧୦ରୁ ଅଧିକ ମେଣ୍ଢା ଆକ୍ରାନ୍ତ ଥିଲେ। ଖବର ପାଇ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଣ୍ଡିଲୋ ଯାଇ ଆକ୍ରାନ୍ତ ମେଣ୍ଢାଙ୍କୁ ପରୀକ୍ଷା କରିଥିଲେ ବି ରୋଗ ନିରୁପଣ କରିପାରିନଥିଲେ। ଏବେ ପ୍ରତାପରୁଦ୍ରପୁର ପଞ୍ଚାୟତରେ ଛେଳି ମଡ଼କ ଆରମ୍ଭ ହୋଇଯାଇଛି। ସପ୍ତାହକ ଭିତରେ ୭୦ରୁ ଅଧିକ ଛେଳି ଅଜଣା ରୋଗରେ ମରିଛନ୍ତି। ଖବର ଅନୁସାରେ ପ୍ରତାପରୁଦ୍ରପୁର ଗାଁର କାଶୀନାଥ ଭୋଇଙ୍କର ୩୦ଟି ଛେଳି ମରିଛନ୍ତି ଓ ୫ଟି ଚିକିତ୍ସାଧୀନ ଅଛନ୍ତି। ବିଜୟରାମ ଭୋଇଙ୍କର ୩୩ ଛେଳି ଓ ନୂଆସାହିର ସୁକାନ୍ତ ‌ପରିଡ଼ାଙ୍କର ୮ଟି ଛେଳି ମରିଛନ୍ତି।

ସେହିଭଳି ବେତେଣ୍ଡା ଗାଁର ଗଣେଶ ସାମଲଙ୍କର ୧୫ଟି ମେଣ୍ଢା, ହାଟସାହିର କୃଷ୍ଣଚନ୍ଦ୍ର ବିଶ୍ବାଳଙ୍କର ୮ଟି ମେଣ୍ଢା ମରିଥିବା ସେମାନେ ଅଭିଯୋଗ କରିଛନ୍ତି। କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ଦୁଇ ପଡ଼ୋଶୀ ପଞ୍ଚାୟତ ହୋଇଥିବାରୁ ଏହି ଅଜଣା ରୋଗରେ ଛେଳିମେଣ୍ଢା ସଂକ୍ରମିତ ହେଉଥିବା ଚାଷୀମାନେ କହିଛନ୍ତି। ବଡ଼ କଥା ହେଉଛି ଏହି ରୋଗ ପାଇଁ ଛେଳିମେଣ୍ଢା ମଡ଼କ ପଡ଼ିଥିବାରୁ ବହୁ ଚାଷୀ ଭୟରେ କମ୍ ଦରରେ ଛେଳିମେଣ୍ଢା ବିକି ଦେଉଥିବା କହିଛନ୍ତି। ଏଣେ ଚାଷୀମାନଙ୍କ ଅଭିଯୋଗ ଯେ ପ୍ରତାପରୁଦ୍ରପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଧିକାଂଶ ସମୟ ତାଲା ଝୁଲୁଛି। ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀ କାର୍ଯ୍ୟାଳୟକୁ ନିୟମିତ ଆସୁନାହାନ୍ତି। ତେଣୁ ବହୁ ସମୟରେ ଚାଷୀମାନେ ନିରାଶ ହୋଇ ଫେରୁଥିବା କହିଛନ୍ତି। ସେଥିପାଇଁ ଆଜି ପ୍ରତାପରୁଦ୍ରପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚାଷୀମାନେ ହୋ-ହଲ୍ଲା କରିଥିଲେ। ଏମିତିକି ସେମାନେ ପ୍ରତାପରୁଦ୍ରପୁର ସରପଞ୍ଚ ବାମନ ଚରଣ ଭୋଇଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଉ କରିଥିଲେ। ସରପଞ୍ଚ ଶ୍ରୀ ଭୋଇ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରି ବିହିତ ପଦକ୍ଷେପ ନେବେ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପ୍ରାଣୀ ସଂପଦ ବିକାଶ ବିଭାଗ ଯଦି ସ୍ବତନ୍ତ୍ର ଶିବିର ଆୟୋଜନ କରି ଚିକିତ୍ସା ଆରମ୍ଭ ନ କରେ, ମେଣ୍ଢା, ଛେଳିପାଳକମାନେ ବାଳକାଟି ପ୍ରା‌ଣୀ ଚିକିତ୍ସା କେନ୍ଦ୍ର ଘେରାଉ କରିବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର