ବାଲିପାଟଣାରେ ଛେଳିମେଣ୍ଢା ଚୋରି ବଢ଼ୁଛି : ନିଶା ସ୍ପ୍ରେ’ କରି ୩୨ ଉଠାଇନେଲେ

୨ ମୃତ, ଗୁହାଳ ଖାଲି କରିଦେଉଛନ୍ତି ଦୁର୍ବୃତ୍ତ

ବାଲିପାଟଣା : କିଛି ମାସ ହେଲା ବାଲିପାଟଣା ଅଞ୍ଚଳରେ ଛେଳିମେଣ୍ଢା ଚୋରି ବଢ଼ିବାରେ ଲାଗିଛି। ଏହି ଚୋରି ସବୁର ଲମ୍ବା ତାଲିକାରୁ ପୁଲିସ ଗୋଟିଏ ବି ମାମଲା‌ର ପର୍ଦାଫାସ କରି ପାରୁନାହିଁ। ଗତରାତିରେ ପୁଣି ଛେଳିମେଣ୍ଢା ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି। ବାଲିପାଟଣା ଥାନା ଜୟଦେବ ପଞ୍ଚାୟତ ସାହେବନଗର ଗ୍ରାମର ସୁକାନ୍ତ ବାରିକଙ୍କ ଗୁହାଳରୁ ୩୨ଟି ମେଣ୍ଢା ଉଠାଇ ନେଇଛନ୍ତି। ମୋଟ୍ ୩୯ ମେଣ୍ଢାରୁ ୩୨ଟି ଚୋରି ହୋଇଥିବା ବେଳେ ୨ଟି ମରି ଯାଇଛନ୍ତି ଓ ଅନ୍ୟ ୫ଟି ଅସୁସ୍ଥ ହୋଇପଡ଼ିଛନ୍ତି। ଦୁର୍ବୃତ୍ତମାନେ ଚୋରି କଲା ବେଳେ କୌଣସି ବିଷାକ୍ତ ପଦାର୍ଥ ସ୍ପ୍ରେ’ କରିଥିବାରୁ ମେଣ୍ଢାମାନେ ମରିଛନ୍ତି ଓ ଅସୁସ୍ଥ ହୋଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଗତରାତିରେ ଦୁର୍ବୃତ୍ତମାନେ ଗାରେଡ଼ିପାଞ୍ଚଣ ଭୋଇସାହିର ବେଣୁଧର ଭୋଇଙ୍କ ୨ ଗୋଟି ଛେଳି ନେଇଯାଇଛନ୍ତି। ଏ ନେଇ ସୁକାନ୍ତ ଓ ବେଣୁଧର ବାଲିପାଟଣା ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ପୁଲିସ ଦୁର୍ବତ୍ତମାନଙ୍କ ଟେର୍ ପାଇନାହିଁ।

ସୁକାନ୍ତଙ୍କ ଅଭିଯୋଗ ଅନୁସାରେ, ଗାଁ ଜାଗୁଳାଇ ମନ୍ଦିର ନିକଟରେ ତାଙ୍କର ଗୁହାଳ ରହିଛି। ସେଠାରେ ତାଙ୍କର ୩୯ମେଣ୍ଢା ଥିଲା। ଗତରାତିରେ ଦୁର୍ବୃତ୍ତମାନେ ୩୨ଟି ମେଣ୍ଢା ଚୋରି କରି ନେଇଛନ୍ତି। ଅବଶିଷ୍ଟ ୭ଟି ମେଣ୍ଢାରୁ ୨ଟି ମରି ପଡ଼ିଥିବା ବେଳେ ଅନ୍ୟଗୁଡ଼ିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦୁର୍ବୃତ୍ତମାନେ ଛୁଆ ମେଣ୍ଢାମାନଙ୍କୁ ଛାଡ଼ି ବାଛି ବାଛି ବଡ଼ଗୁଡ଼ିକୁ ଉଠାଇ ନେଉଛନ୍ତି। ସୁକାନ୍ତଙ୍କ କହିବା କଥା, ଦୁର୍ବୃତ୍ତମାନେ ଛାଡ଼ି ଦେଇଥିବା ୪ଟି ଯାକ ଛୁଆ ସେମାନଙ୍କ ମା’ଙ୍କୁ ହରାଇ ଝୁରି ହେଉଛନ୍ତି ଓ ଖାଉ ନାହାନ୍ତି। ତେଣୁ ସେମାନେ ଆଉ ବଞ୍ଚିବା ସମ୍ଭବ ନୁହେଁ ବୋଲି ସେ ଆଶଙ୍କା କରିଛନ୍ତି। ଏହି ଚୋରି ଯୋଗୁଁ ବିଚରା ସୁକାନ୍ତ ଏକପ୍ରକାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି ଓ ପରିବାର ପ୍ରତିପୋଷଣର ରାସ୍ତା ବନ୍ଦ ହୋଇ ଯାଇଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି।

ଏହି ଅଞ୍ଚଳର ଛେଳିମେଣ୍ଢା ଚୋରି ତାଲିକା ବହୁ ଲମ୍ବା। ଗତ ବର୍ଷ ନଭେମ୍ବରରେ ସରାଟ ଗାଁର ମଦନ ବେହେରାଙ୍କ ୨୩ମେଣ୍ଢା ଚୋରି ହୋଇଥିଲା। ଗତ ଫେବ୍ରୁଆରିରେ ରଶ୍ମିରଂଜନ ପଣ୍ତାଙ୍କ ୫୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଗାଈ ଚୋରି ହୋଇଥିଲା। ଚଣାହଟାର ଭାଗବତ ଭୋଇଙ୍କର ୧୨ ଛେଳି ଚୋରି ହୋଇଥିଲା। ସିଙ୍ଗିରି ଶାସନ ପ୍ରଶାନ୍ତ ବେହେରା ଓ ପ୍ରକାଶ ବେହେରାଙ୍କ ୫୧ଟି ମେଣ୍ଢା ଚୋରି କରି ଦୁର୍ବୃତ୍ତମାନେ ତାଙ୍କ ଗୁହାଳ ଖାଲି କରିଦେଇଥିଲେ। ସେହିପରି ବିଶୁନିଆପଡ଼ା ଗ୍ରାମର ବାବାଜୀ ମାଠିଆ, ଚକ୍ରଧର ବେହେରାଙ୍କ ଓ ପ୍ରଫୁଲ୍ଲ ପରିଡ଼ାଙ୍କର ୩୧ଟି ମେଣ୍ଢା ଚୋରି ହୋଇଥିଲା। ଏହି ଅଞ୍ଚଳରେ ବାରମ୍ବାର ଛେଳିମେଣ୍ଢା ଚୋରି ହେଉଥିବାରୁ ଚାଷୀମାନେ ସର୍ବସ୍ବାନ୍ତ ହୋଇପଡ଼ୁଛନ୍ତି, ଅଥଚ ପୁଲିସ ଗୁହାଳ ଖାଲି କରି ଦେଉଥିବା ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି।

ସମ୍ବନ୍ଧିତ ଖବର