ଭୁବନେଶ୍ବର: ଈଶ୍ବର ଏବଂ ବିଜ୍ଞାନ ପରସ୍ପର ବିରୋଧାତ୍ମକ ନୁହନ୍ତି। ବିଜ୍ଞାନ ମାଧ୍ୟମରେ ଆଜି ଈଶ୍ୱରୀୟ ଶକ୍ତି ପ୍ରକଟିତ ହେଉଛି ବୋଲି ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲଠାରେ ପ୍ରଥମ ପ୍ରତିଭା ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳାର ବିଷୟ ‘ଶିରିଡ଼ି ସାଇବାବାଙ୍କ ଆଧ୍ୟାତ୍ମିକ ବିଚାର’ ଉପରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି।

Advertisment

ଗୁରୁଜୀ କହିଲେ ଯେ ଆଧ୍ୟାତ୍ମିକତାର ପ୍ରଥମ ଗୁଣ ହେଉଛି ଅନ୍ୟମାନଙ୍କ ପ୍ରତି ଦରଦୀ ହେବା। ସାଇବାବାଙ୍କ ଭଳି ସନ୍ଥମାନଙ୍କ କ୍ଷେତ୍ରରେ ଏହା ସ୍ୱତଃସ୍ଫୂର୍ତ୍ତ ଭାବେ ପ୍ରକଟିତ ହୋଇଥାଏ। କୌଣସି ପ୍ରତିଦାନର ଆଶା ନ ରଖି ସେମାନେ ଅନ୍ୟମାନଙ୍କ ସହାୟତା କରିଥା’ନ୍ତି। ମାନବ ଜାତିର ଇତିହାସରେ ଏକ ସନ୍ଧିକ୍ଷଣରେ ଶିରିଡ଼ି ସାଇବାବାଙ୍କର ଆବିର୍ଭାବ ହୋଇଥିଲା। ନିଜର ଅସୀମ ତ୍ୟାଗ, ଦୟା ଓ କରୁଣାବଳରେ ସେ ତତ୍କାଳୀନ ବହୁଧା ବିଭାଜିତ ସମାଜରେ ସଂହତିର ବାତାବରଣ ସ୍ଥାପନ କରିଥିଲେ।

ପ୍ରାରମ୍ଭରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ତାଙ୍କ ସହଧର୍ମିଣୀ ତଥା ବିଶିଷ୍ଟ ସମାଜସେବୀ ପ୍ରତିଭା ପଟ୍ଟନାୟକଙ୍କ ସ୍ମୃତିରେ ଆୟୋଜିତ ଏହି ବକ୍ତୃତାମାଳାର ଅଭିପ୍ରାୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଶ୍ରୀମତୀ ପ୍ରତିଭା ପଟ୍ଟନାୟକଙ୍କର ସ୍ମୃତିଚାରଣ କରି ଜଷ୍ଟିସ ପଟ୍ଟନାୟକ କହିଥିଲେ ସେ ଜଣେ ଅତ୍ୟନ୍ତ କର୍ମନିଷ୍ଠ, ଧର୍ମପରାୟଣ, ଦୟାଶୀଳ ଓ ପରୋପକାରୀ ମହିଳା ଥିଲେ। ଶିରିଡ଼ି ସାଇବାବାଙ୍କର ଏକନିଷ୍ଠ ଭକ୍ତ ଥିଲେ। ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଚାରପତି, ବୃଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଠ ପ୍ରଶାସନିକ ଅଧୁକାରୀ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।